ମାଡ଼ି ଆସୁଛି ‘ବିପର୍ଯ୍ୟୟ’: ୧୫୦ କିମି ବେଗରେ ବହିବ ପବନ !

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାତ୍ୟା ମୁକାବିଲା ପାଇଁ ହେଉଥିବା ଏହି ପ୍ରସ୍ତୁତି ହିଁ ବୟାନ କରୁଛି, ‘ବିପର୍ଯ୍ୟୟ’କୁ ନେଇ କେତେ ବଡ଼ ଆଶଙ୍କା କରାଯାଉଛି । ତଳିଆ ଅଂଚଳରୁ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗାଈ-ଗୋରୁଙ୍କୁ ବି ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଏନଡିଆରଫ, ଏସଡିଆରଏଫ୍, ସେନା ପ୍ରସ୍ତୁତ ଥିବା ବେଳେ ହସ୍ପିଟାଲ, ଡାକ୍ତର ଓ ମେଡ଼ିକାଲ ଟିମ୍ ପ୍ରସ୍ତୁତ ରହିଛନ୍ତି । ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ କାଲି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ । ଗୁଜରାଟରେ ଜଖଉ ପୋର୍ଟ ଆଖପାଖରେ ବାତ୍ୟା ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁବା ବେଳେ ଘଂଟା ପ୍ରତି ପବନର ବେଗ ୧୨୫ରୁ ୧୩୫ କିଲୋମିଟର ବେଗରେ ରହିବ । ସ୍ଥଳ ବିଶେଷରେ ଘଂଟା ପ୍ରତି ୧୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତଳିଆ ଅଂଚଳରେ ୬ ମିଟର ଉଚ୍ଚରେ ଜୁଆର ଉଠିବ ପାଣିପାଗ ବିଭାଗ ଆକଳନ କରିଛି । ତେଣୁ ଗୁଜରାଟର ତଳିଆ ଅଂଚଳ ସୌରାଷ୍ଟ୍ର ଏବଂ କଚ୍ଛରେ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି  ବାତ୍ୟାକୁ ଦୃଷ୍ଟିରେ ରଖି ସୌରାଷ୍ଟ୍ର ଓ କଚ୍ଛର ତଳିଆ ଅଂଚଳର ପ୍ରାୟ ୪୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ରେସକ୍ୟୁ ଅପରେସନ ପାଇଁ ୧୮ ପ୍ଲାର୍ଟୁନ ଏନଡିଆରଏଫ ଟିମ ସହ ବିଏସଏଫ ଓ ବାୟୁସେନାର ହେଲିକ୍ୟାପ୍ଟର ମୁତୟନ କରାଯାଇଛି । ବାତ୍ୟା ଯୋଗୁଁ ଗୁଜରାଟର ଉପକୂଳ ଗିର, ଅମରେଲ, କଚ୍ଛ, ସୋମନାଥ ଆଦି ଜିଲ୍ଲାରେ ଦୁଇଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ପବନ ଓ ବର୍ଷା ପାଇଁ ପଶ୍ଚିମ ରେଳପଥରେ ଗୁଜରାଟରୁ ମୁମ୍ବାଇ ଚଳାଚଳ କରୁଥିବା ୬୯ ଟ୍ରେନ୍ ବାତିଲ କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ କିଛି ଘଂଟା ହେଲା ବାତ୍ୟା ସମୂଦ୍ର ଭିତରେ ଗୋଟିଏ ସ୍ଥାନରେ ରହିଛି ।

Leave A Reply

Your email address will not be published.