ରାମଲାଲା ବିଗ୍ରହଙ୍କ ପ୍ରଥମ ଝଲକ ସାମ୍ନାକୁ ଆସିଛି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାଣ ପ୍ରତିଷ୍ଠା ସମୟ ପାଖେଇ ଆସୁଥିବାବେଳେ ଅଯୋଧ୍ୟା ନଗରୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଭକ୍ତଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ । ଇତି ମଧ୍ୟରେ ମନ୍ଦିରରେ ବିରାଜମାନ ହୋଇଛନ୍ତି ରାମଲାଲା ।

ଗର୍ଭଗୃହରେ ବିରାଜମାନ ରାମଲାଲା ବିଗ୍ରହଙ୍କ ପ୍ରଥମ ଝଲକ ସାମ୍ନାକୁ ଆସିଛି। ରଘୁନନ୍ଦନଙ୍କ ଏହି ଝଲକ ଦେଖି ବିଭୋର ହୋଇଛନ୍ତି ଭକ୍ତ । ଜାନୁଆରୀ ୨୨ର ସେହି ମୁହୂର୍ତ୍ତକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ । ଏହା ପୂର୍ବରୁ ରାମଲାଲାଙ୍କ ଶ୍ରୀମୁଖକୁ ଦର୍ଶନ କରିଛନ୍ତି ଦେଶବାସୀ । ଏହି ପ୍ରତିମୂର୍ତ୍ତିର ଉଚ୍ଚତା 51 ଇଞ୍ଚ ରହିଥିବା ବେଳେ ରାମଲାଲା ଏଥିରେ 5ବର୍ଷର ଶିଶୁ ଭାବେ ଭକ୍ତଙ୍କୁ ଦର୍ଶନ ଦେବେ । ଦଣ୍ଡାୟମାନ ସ୍ଥିତିରେ ଥିବା ଏହି ପ୍ରତିମୂର୍ତ୍ତିକୁ ମହୀଶୂରର ପ୍ରସିଦ୍ଧ ମୂର୍ତ୍ତି କାରିଗର ଅରୁଣ ଯୋଗୀରାଜ କଳା ପଥର ବ୍ୟବହାର କରି ନିର୍ମାଣ କରିଛନ୍ତି । ରାମଲାଲାଙ୍କ ବାଲ୍ୟକାଳର ଏହି ପ୍ରତିମୂର୍ତ୍ତିରେ ଏକାଧିକ ଧାର୍ମିକ ସଙ୍କେତ ଯେପରିକି ଓମ, ଚକ୍ର, ଶଙ୍ଖ, ଗଦା, ସ୍ବସ୍ତିକ, ଗଣେଶ, ହନୁମାନ ଓ କମଳ ନୟନ ରହିଛି ।

ଯେତେବେଳେ ରାମଲାଲାଙ୍କ ପ୍ରତିମୂର୍ତ୍ତିରୁ କପଡ଼ା ହଟାଯାଇଥିଲା, ସେତେବେଳେ ରାମନାମରେ ପ୍ରକମ୍ପିତ ହୋଇଥିଲା ଚତୁର୍ଦ୍ଦିଗ । ଏହାପରେ ଦ୍ରୁତ ବେଗରେ ରାମଲାଲାଙ୍କ ଶ୍ରୀମୁଖ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ସୂଚନା ଥାଉ କି ଗୁରୁବାର ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ପ୍ରଭୁ ରାମଲାଲାଙ୍କ ଶୀବିଗ୍ରହଙ୍କୁ ସ୍ଥାପନ କରାଯାଇଥିଲା । ମନ୍ଦିରରେ ବିଗ୍ରହ ସ୍ଥାପନ କରାଯିବା ପରେ ରାମଲାଲାଙ୍କ ପ୍ରଥମ ଝଲକ ସାମ୍ନାକୁ ଆସିଥିଲା । ହେଲେ ମୁଖମଣ୍ଡଳକୁ କପଡ଼ାରେ ଢାଙ୍କି ଦିଆଯାଇଥିଲା । ବୁଧବାର ରାତିରେ ଭାଗବାନ ରାମଙ୍କର ବିଗ୍ରହ ମନ୍ଦିର ପରିସରରେ ପହଞ୍ଚିଥିବା ବେଳେ ଏହାକୁ ଏକ କ୍ରେନ ଦ୍ବାରା ଗର୍ଭଗୃହରେ ପ୍ରବେଶ କରାଯାଇଥିଲା ।

Leave A Reply

Your email address will not be published.