ରତ୍ନଭଣ୍ଡାରରେ ଗଚ୍ଛିତ ମହାପ୍ରଭୁଙ୍କ ଅଳଙ୍କାରର ହେବ ଗଣତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାରରେ ଗଚ୍ଛିତ ମହାପ୍ରଭୁଙ୍କ ଅଳଙ୍କାରର ହେବ ଗଣତି ।  ଦୁର୍ମୂଲ୍ୟ ସୁନା ଅଳଙ୍କାର ଗଣତି ପାଇଁ ହାଇଲେବଲ କମିଟି ଗଠନ ହେବା ପରେ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ଏକ ଉଚ୍ଚସ୍ତରୀୟ ତଦାରଖ କମିଟିର ବୈଠକ ଅନୁଷ୍ଠିତ ହେବ।  ଏହି କମିଟି ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତ କରିବେ ।

ସେଥିପାଇଁ ଆଜି ତଦାରଖ କମିଟିର ଅଧ୍ୟକ୍ଷ ଅରିଜିତ୍ ପଶାୟତ ଆଜି ପୁରୀ ଗସ୍ତ କରିଛନ୍ତି । ଦିନ 11ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଦିନ 2ଟାରୁ ରତ୍ନଭଣ୍ଡାରରୁ ଦୁର୍ଲଭ ଅଳଙ୍କାର ଗଣତିମଣତି ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ତଦାରଖ କମିଟିରେ ଅଧ୍ୟକ୍ଷଙ୍କ ସହିତ ୧୨ ଜଣ ସଦସ୍ୟ ରହିଥିବା ବେଳେ ପରିଚାଳନା କମିଟିର ତିନିଜଣ ସଦସ୍ୟ, ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା, ଆହ୍ଲାବାଦ ବ୍ୟାଙ୍କର ପୂର୍ବତନ ସିଏମଡି ଡକ୍ଟର ବିଧୁଭୂଷଣ ସାମଲ, ଚାଟାର୍ଡ ଆକାଉଟାଣ୍ଟ ଏ.କେ. ସାବତ, ଗଜପତି ମହାରାଜାଙ୍କ ପ୍ରତିନିଧି, ASI ଅଧିକାରୀ, ଭଣ୍ଡାର ମେକାପ ଶ୍ରୀଯୁକ୍ତ ଗଣେଶ ମେକାପ, ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କମିଟିରେ ସ୍ଥାନ ପାଇଛନ୍ତି।

ଓଡିଶା ହାଇକୋର୍ଟଙ୍କ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ, ଗତ ଫେବୃଆରୀ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଏହି କମିଟି ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଏବଂ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବେ । ଏହି କମିଟିର ଅଧ୍ୟକ୍ଷଙ୍କ ସହିତ ୧୨ ଜଣ ସଦସ୍ୟଙ୍କୁ ରଖାଯାଇଛି ।

Leave A Reply

Your email address will not be published.