ରାଜ୍ୟରେ ପୁଣି ବଢିବ ତାତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨ ଦିନ ପରେ ରାଜ୍ୟରେ ପୁଣି ବଢିବ ତାତି।  ଆଗାମୀ ୧୧ ତାରିଖରୁ ପରବର୍ତ୍ତୀ ୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି।ସେହିପରି ଆଜିଠୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକ ସହିତ କଟକ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବଲାଙ୍ଗିର, ବୌଦ୍ଧ ଓ ନବରଙ୍ଗପୁରର ଗୋଟିଏ ବା ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବାକି ସବୁ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି। ଦୁଇ ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ଲାଗି ରହିଛି। ଗତ ୩୬ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ୩୫ ମିମି, କଟକରେ ୩୦.୨, ଢେଙ୍କାନାଳରେ ୧୬.୨, ତାଳଚେରରେ ୧୫, ଭୁବନେଶ୍ବରରେ ୧୦.୬, ଅନୁଗୁଳରେ ୫.୬, ବାରିପଦାରେ ୪, ଫୁଲବାଣୀରେ ୩ ମିମି ବର୍ଷା ହୋଇଛି। ବାଲେଶ୍ବର, କେନ୍ଦୁଝରଗଡ଼, ଟିଟିଲାଗଡ଼, ନୟାଗଡ଼, ଦେବଗଡ଼, ଜଗତସିଂହପୁର, ରାଉରକେଲା ସହରରେ ମଧ୍ୟ ହାଲୁକା ବର୍ଷା ରେକର୍ଡ କରାଯାଇଛି। ଶନିବାର ସକାଳ ସାଢ଼େ ୮ଟା ସୁଦ୍ଧା ଉପକୂଳ ଓଡ଼ିଶାର କିଛି ଜିଲ୍ଲା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଶନିବାର ସକାଳ ସାଢ଼େ ୮ଟାରୁ ରବିବାର ସକାଳ ସାଢ଼େ ୮ଟା ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶା, କଟକ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମା‌ଲକାନଗିରି, ବଲାଙ୍ଗୀର, ବୌଦ୍ଧ, ନବରଙ୍ଗପୁରର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ଏବଂ ଦିନର ତାପମାତ୍ରା ବଢ଼ିବ। ୧୪ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ଆକଳନ କରିଛି।

Leave A Reply

Your email address will not be published.