ପୁରୀ(ଓଡ଼ିଆ ନ୍ୟୁଜ୍): ଦଶମୂଳ ଔଷଧ ସେବନ କରି ସୁସ୍ଥ ହେଲେ ମହାପ୍ରଭୁ। ସ୍ନାନପୂର୍ଣ୍ଣିମା ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଦଶମୀରେ ଚକାବିଜେ ଅନୁଷ୍ଠିତ ହୋଇଥିବାବେଳେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ଔଷଧ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାବାହୁ । ଏହି ସୁସ୍ଥ ହେବାର ସମାଚାର ନେଇ ଆଜି ଦଇତାପତି ସେବକମାନେ ଶ୍ରୀନଅରକୁ ଯାଇ ଗଜପତିଙ୍କୁ ଅବଗତ କରାଇବେ ।
ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ଅନବସର ସମୟରେ ଶ୍ରୀଅଙ୍ଗକୁ ବାହାରିଥିବା ପ୍ରସାଦ ଚନ୍ଦନ, କରାଳ ଓ ପାଟଡୋରିକୁ ଧରି ଦଇତାପତିମାନେ ଶ୍ରୀନଅରକୁ ଯିବେ । ଏହା ପରେ ମହାରାଜଙ୍କ ସହିତ ଆଲୋଚନା କରି ନବଯୌବନ ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି ଦଇତାପତି । ଏହା ସହ ଘୋଷଯାତ୍ରାରେ କିପରି ଶାନ୍ତିଶୃଙ୍ଖଳାରେ ନୀତି ସମ୍ପାଦନ କରାଯିବ ସେ ଉପରେ ମଧ୍ୟ ଗଜପତି ଦଇତାପତିମାନଙ୍କ ସହ ଆଲୋଚନା କରିବେ।