ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ବାପା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାୟଗଡ଼ା ଜିଲା କାଶୀପୁରରେ ଚାଞ୍ଚଲ୍ୟ। ନୃଶଂସ ବାପାର ଟାଙ୍ଗିଆ ଚୋଟରେ ଝିଅ ଗୁରୁତର ଥିବା ବେଳେ ତାର ପ୍ରେମିକର ମୃତ୍ୟୁ ହୋଇଛି। ଏଭଳି ସ୍ପର୍ଶକାତର ଘଟଣା ଘଟିଛି କାଶୀପୁର ବ୍ଲକ ଆଡାଯୋର ପଞ୍ଚାୟତର ଅଡାଟାକିରି ଗାଁରେ। ସୂଚନା ମୁତାବକ, ୩ ଦିନ ତଳେ ବିଜୟଙ୍କ ଝିଅ ନିଜ ପ୍ରେମିକ ମଙ୍ଗଲଙ୍କ ସହ ଘରୁ ଲୁଚି ପଳାଇଥିଲେ।

ଝିଅକୁ ଘରକୁ ଫେରାଇ ଆଣିବାକୁ ବିଜୟ ଷଡ଼ଯନ୍ତ୍ର କରିଥିଲେ। ଉଭୟଙ୍କର ବିବାହ କରାଇଦେବେ ବୋଲି ଫୋନ୍ ଯୋଗେ କହିଥିଲେ। ଦୁହେଁକୁ ଘରକୁ ଫେରିଆସିବା ପାଇଁ ମଧ୍ୟ କହିଥିଲେ। ବାପାର ଏହି ଷଡ଼ଯନ୍ତ୍ରକୁ ବୁଝି ପାରିନଥିଲେ। ଗତକାଲି ରାତିରେ ଉଭୟ ଖୁସିରେ ଘରେ ପହଞ୍ଚିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପ୍ରେମିକ ମଙ୍ଗଳୁଙ୍କୁ ଡାକି ତାକୁ ନେଇଯିବା ପାଇଁ କହିଥିଲା ଲଳିତା। ମଙ୍ଗଳୁ ଏକ ବାଇକରେ ଲଳିତାଙ୍କୁ ନେଇ ଯାଉଥିବା ସମୟରେ ଝିଅର ବାପା ବିଜୟ ମାଝୀ ଏକ ଟାଙ୍ଗିଆରେ ପ୍ରେମୀ ଯୁଗଳଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା।

ଫଳରେ ଘଟଣାସ୍ଥଳରେ ମଙ୍ଗଳୁଙ୍କ ମୃତ୍ୟୁ ଘଟିଥିବାବେଳେ ଝିଅ ଲଳିତା ଗୁରୁତର ହୋଇଛି। ଗୁରୁତର ଲଳିତାଙ୍କୁ ପ୍ରଥମେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ  ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ହତ୍ୟାକାରୀ ବିଜୟ ଫେରାର ହୋଇଯାଇଛି । ଏ ସଂପର୍କରେ ଖବର ପାଇ କାଶୀପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.