ନଦୀ ପାରି ଭୋଟଦାନର ସଚେତନତା ବାର୍ତା ବହିଯାଉ ପ୍ରାଣରୁ ପ୍ରାଣକୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କୁହାଯାଏ ବୁଲେଟ୍‌ଠାରୁ ବାଲଟ୍ ଅଧିକ ଶକ୍ତିଶାଳୀ । ତେଣୁ, ଭାରତୀୟ ଗଣତନ୍ତ୍ରର ଏକ ସୁସ୍ଥ ଓ ସମୃଦ୍ଧ ପରମ୍ପରା ଗଠନ ସହ ନିର୍ବାଚନର ଏହି ମହାପର୍ବରେ ସାମିଲ ହୋଇ ଶତପ୍ରତିଶତ ଭୋଟଦାନ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ । ଆଜି ମହାକାଳପଡ଼ା ଗସ୍ତ କରି କହିଛନ୍ତି ନଦୀର ଜଳ ପରି ଭୋଟଦାନ ସଚେତନାର ବାର୍ତା ବହିଯାଉ ପ୍ରାଣକୁ ପ୍ରାଣକୁ ।

ବତୀଘର ପରି ଭୋଟଦାନ ଜାଗରଣର ପ୍ରଦୀପ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତିଟି ହୃଦୟରେ ଜଳି ଉଠୁ ଓ ଅଜ୍ଞତାର ଅନ୍ଧକାରକୁ ଦୂରୀଭୂତ କରି ଭୋଟ୍‌ଦାନ ଅଧିକାରକୁ ସୁନିଶ୍ଚିତ କରନ୍ତୁ ଆମ ଜିଲ୍ଲାବାସୀ । ସ୍ୱିପ୍ (ସିଷ୍ଟମେଟିକ୍ ଭୋଟର୍‌ସ ଇଜୁକେସନ ଆଣ୍ଡ ଇଲେକ୍ଟୋରାଲ୍ ପାର୍ଟିସିପେସନ୍‌) କାର୍ଯ୍ୟକ୍ରମରେ ବତୀଘର, ରାମନଗର ଆଦି ଅଂଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଖରନାସୀ ଘାଟ ଓ ବାହାକୁଦ ଘାଟକୁ ଡଙ୍ଗାରେ ଅତିକ୍ରମ କରି ଘରଘର ବୁଲି ସଚେତନାର ବାର୍ତା ବାଂଟିଥିଲେ ଜିଲ୍ଲା ନିର୍ବାଚନ ଅଧିକାରୀ । ଦୈନନ୍ଦିନ ଖର୍ଚ୍ଚ ପାଇଁ ଏହି ଅଂଚଳର ଅଧିକାଂଶ ଲୋକ ସାଧାରଣତଃ ପାରାଦ୍ୱୀପକୁ ରୋଜଗାର ଉଦ୍ଦେଶ୍ୟରେ ଯାଇଥାନ୍ତି ।

ମାତ୍ର ଜୁନ୍ ୧ ତାରିଖରେ କାର୍ଯ୍ୟରୁ ବିରତ ରହି ଭୋଟଦାନ ଅଧିକାରକୁ ସୁନିଶ୍ଚିତ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ଆହ୍ୱାନ ରଖିଥିଲେ । ବୁଥ୍ ସ୍ତରରେ ଲୋକଙ୍କୁ ସଚେତନ କରାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଶ୍ରୀ ନୀଲୁ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ଉପଜିଲ୍ଲାପାଳ ତଥା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର୍ ଶ୍ରୀ ଅଶୋକ କୁମାର ଦାସ, ସ୍ଥାନୀୟ ତହସିଲଦାର ଶ୍ରୀ ମାନସ ରଞ୍ଜନ ତ୍ରିପାଠୀ, ବିଡିଓ ଶ୍ରୀ ସାଗର କୁମାର ନନ୍ଦ, ବ୍ଲକ୍ ଓ ତହସିଲ୍ କାର୍ଯ୍ୟାଳୟର କର୍ମଚାରୀ ପ୍ରମୂଖ ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.