ବଜାରରେ ପ୍ଲାଷ୍ଟିକ୍‌ ବୋତଲରେ ମିଳୁଥିବା ମିନେରାଲ ୱାଟର୍‌ ଆଦୌ ନିରାପଦ ନୁହେଁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଜାରରେ ପ୍ଲାଷ୍ଟିକ୍‌ ବୋତଲରେ ମିଳୁଥିବା ମିନେରାଲ ୱାଟର୍‌ ବା ବିଶୁଦ୍ଧ ପାଣି ଆଦୌ ନିରାପଦ ନୁହେଁ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ । କାରଣ ଆମେ ଯେଉଁ ପ୍ଲାଷ୍ଟିକ୍‌ ବୋତଲ ପାଣିକୁ ବିଶୁଦ୍ଧ ବୋଲି ଭାବୁଛୁ, ସେଥିରେ ପ୍ରାୟ ଅଢ଼େଇ ଲକ୍ଷ ଅତି ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା ରହିଛି । ପୂର୍ବର ସମସ୍ତ ଆକଳନ ଅପେକ୍ଷା ଏହି ସଂଖ୍ୟା ୧୦୦ ଗୁଣ ଅଧିକ ବୋଲି ଗବେଷକମାନେ ସ୍ପଷ୍ଟ କରିଛନ୍ତି ।

ବଜାରରେ ମିଳୁଥିବା ପ୍ଲାଷ୍ଟିକ ବୋତଲର ମିନେରାଲ ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ । ସ୍ବାସ୍ଥ୍ୟ ପାଇଁ ବିପଦଜ୍ଜନକ ନାନୋ ପ୍ଲାଷ୍ଟିକ । ଏହା ଆମେ କହୁନାହୁଁ, ନିକଟରେ ଏକ ଅଧ୍ୟୟନରେ ଏନେଇ ଖୁଲାସା କରାଯାଇଛି । ପ୍ଲାଷ୍ଟିକ୍‌ ବୋତଲ ପାଣିରେ ଥିବା ଅଧିକାଂଶ ପ୍ଲାଷ୍ଟିକ୍‌ କଣିକାକୁ ବୈଜ୍ଞାନିକମାନେ ପୂର୍ବରୁ ଚିହ୍ନଟ କରିନଥିଲେ । ପ୍ଲାଷ୍ଟିକ୍‌ ପ୍ରଦୂଷଣ ସହ ସଂଶ୍ଳିଷ୍ଟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟକୁ ସର୍ବଦା ନ୍ୟୁନ କରି ଦେଖାଯାଇଛି । କିନ୍ତୁ ପ୍ରୋସିଡିଂସ ଅଫ୍‌ ଦ ନ୍ୟାସନାଲ ଏକାଡେମୀ ଅଫ୍‌ ସାଇନ୍ସେସ୍‌ ପତ୍ରିକାରେ ପ୍ରକାଶିତ ସଦ୍ୟ ଅଧ୍ୟୟନ ପ୍ରଥମ, ଯାହା ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକାଗୁଡ଼ିକର ଉପସ୍ଥିତିକୁ ଜାଣିବା ପାଇଁ ପ୍ଲାଷ୍ଟିକ୍‌ ବୋତଲ ପାଣି ଉପରେ ବ୍ୟାପକ ଅଧ୍ୟୟନ କରିଛି ।

ଏନେଇ କଲମ୍ବିଆ ୟୁନିଭରସିଟିର ଜିଓ କେମେଷ୍ଟ୍ରିର ଆସୋସିଏଟ୍ ପ୍ରଫେସର ବାଇଜାନ ୟାନ କହିଛନ୍ତି, “ସାରା ବିଶ୍ବରେ ବୋତଲ ପାଣିକୁ ନେଇ ବିକଳ୍ପ ବାହାର କରିବାକୁ ହେବ । ବୋତଲ ପାଣିରେ ନାନୋପ୍ଲାଷ୍ଟିକ ମିଳିବା ଏକ ପ୍ରକାର ଚିନ୍ତାର କାରଣ ଅଟେ । କିନ୍ତୁ ଶରୀରରେ ପାଣିର ଅଭାବ ଦେଖାଗଲେ ଡିହାଇଡ୍ରେସନ ହେବାର ଆଶଙ୍କା ଅଧିକ ରହିଥାଏ । ପରବର୍ତ୍ତୀ ସମୟରେ ଡିହାଇଡ୍ରେସନ ଗମ୍ଭୀର ବିପଦ ସୃଷ୍ଟି କରିପାରେ ।”

ଏହି ପ୍ଲାଷ୍ଟିକ୍‌ କଣିକାଗୁଡ଼ିକର ଲମ୍ବ ୧ ମାଇକ୍ରୋମିଟରଠୁ ମଧ୍ୟ କମ୍‌ ଅବା ମଣିଷ କେଶ ମୋଟେଇର ଏକ ସପ୍ତମାଂଶ । ପୂର୍ବ ଅଧ୍ୟୟନଗୁଡ଼ିକରେ କେବଳ ମାଇକ୍ରୋପ୍ଲାଷ୍ଟିକ୍‌ କିମ୍ବା ୧ରୁ ୫ ହଜାର ମାଇକ୍ରୋମିଟର ମଧ୍ୟରେ ପ୍ଲାଷ୍ଟିକ୍‌ କଣିକା ଉପରେ ଫୋକସ୍‌ କରାଯାଇଥିଲା । ମାଇକ୍ରୋପ୍ଲାଷ୍ଟିକ୍‌ ତୁଳନାରେ ନାନୋପ୍ଲାଷ୍ଟିକ୍‌ ମଣିଷ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦକାରକ, କାରଣ ଏଗୁଡ଼ିକ ଏତେ କ୍ଷୁଦ୍ର ଯେ ମାନବ କୋଷିକାକୁ ଭେଦ କରି ରକ୍ତରେ ପ୍ରବେଶ କରନ୍ତି ଏବଂ ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାନ୍ତି ।

Leave A Reply

Your email address will not be published.