ବହୁ ପ୍ରତୀକ୍ଷିତ ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ରିଲିଜ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବହୁ ପ୍ରତୀକ୍ଷିତ ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ହୋଇଛି ରିଲିଜ । ଆସନ୍ତା ଜୁନ ୧୪ରେ ରିଲିଜ୍ ହେବାକୁ ଥିବା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ତଥା ଅନୁଭବ ମହାନ୍ତି ଏବଂ ସ୍ୱପ୍ନା ପ୍ରିୟଦର୍ଶିନୀଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ଢେଙ୍କାନାଳରେ ରିଲିଜ ହୋଇଛି। ଗୁଡ୍ ନାଇଟ୍ କ୍ଲବ୍‌ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ ବୈଶାଖୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ କେନ୍ଦ୍ରାପଡ଼ା ସାଂସଦ ତଥା ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ଅନୁଭବ ମହାନ୍ତି ମୁଖ୍ୟ ଅତିଥି, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଲଳିତ କୁମାର ମିଶ୍ର, ଯୁବରାଜ ଅମରଜ୍ୟୋତି ସିଂହଦେଓ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ପଟ୍ଟନାୟକ, ଅଭିନେତ୍ରୀ ସ୍ୱପ୍ନା ପ୍ରିୟଦର୍ଶନୀ, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଟ୍ରେଲରକୁ ରିଲିଜ କରିଥିଲେ।

ଏହି ଅବସରରେ ଅଭିନେତା ତଥା ସାଂସଦ ଶ୍ରୀ ମହାନ୍ତି କହିଥିଲେ, କଳା ସଂସ୍କୃତିର ମାଟି ହେଉଛି ଢେଙ୍କାନାଳ। ଚଳଚ୍ଚିତ୍ର ଜଗତକୁ ଏହି ମାଟିର ଅବଦାନ ଅନନ୍ୟ। ଏଠାକାର ବହୁ ପ୍ରତିଭାବାନ କଳାକାର ସିନେମା ଶିଳ୍ପରେ ସୁନାମ ଅର୍ଜନ କରିଛନ୍ତି। ଜାତୀୟସ୍ତରରେ ମଧ୍ୟ ନାମ କରିଛନ୍ତି। ଢେଙ୍କାନାଳର ଝିଅ ସ୍ୱପ୍ନା ପ୍ରିୟଦର୍ଶନୀଙ୍କ ଅଭିନୀତ ଚଳଚ୍ଚିତ୍ରକୁ ଢେଙ୍କାନାଳରୁ ରିଲିଜ କରିବା ଲାଗି ମନସ୍ଥ କରାଯାଇଛି। ଆଜି ଏହାର ଟ୍ରେଲର ରିଲିଜ ହୋଇଛି ବୋଲି ସାଂସଦ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ଗୁଡ୍ ନାଇଟ୍ କ୍ଲବ ସଭାପତି ସୁକାନ୍ତ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଆବାହକ ସତ୍ୟସ୍ୱରୂପ ଦାସ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜଶ୍ରୀ ଶତପଥୀ ସ୍ୱାଗତ ଭାଷଣ ଦେଇଥିଲେ। ବାଗ୍‌ଦେବୀ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଦେବାଶିଷ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.