ଓଡ଼ିଆ ନ୍ୟୁଜ୍: ଖୁବ ଶୀଘ୍ର ରଦ୍ଦ ହେଇପାରେ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା। ଚଳିତମାସ ୩୧ ତାରିଖରୁ ସଂସଦରେ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏପ୍ରିଲ ୧ ତାରିଖରେ ସାଧାରଣ ବଜେଟ ଉପସ୍ଥାପନ କରିବେ । ସବୁ ବର୍ଗର ଲୋକେ ବଜେଟ ଉପରେ ନଜର ରଖିଛନ୍ତି। ସରକାର ପୁରୁଣା ଟିକସ ବ୍ୟବସ୍ଥାକୁ ରଦ୍ଦ କରି ଦେଶରେ ନୂଆ ଟିକସ ବ୍ୟବସ୍ଥା ପ୍ରଚଳନ କରିପାରନ୍ତି। ଗତ ବଜେଟରେ ଦେଶରେ ଆୟକର ଅଧିନିୟମର ସମୀକ୍ଷା କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ। ଏଥିପାଇଁ ଅଧିକାରୀମାନଙ୍କର ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। ଏହା ବ୍ୟତୀତ, ୨୦୨୦ ରେ ଦେଶରେ ନୂତନ ଟିକସ ବ୍ୟବସ୍ଥା ଦେଶକୁ ଆସିବା ପରଠୁ, ସରକାର ପୁରୁଣା ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରିନାହାଁନ୍ତି।
ନୂତନ ଟିକସ ବ୍ୟବସ୍ଥାକୁ ଲୋକପ୍ରିୟ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ସେଥିପାଇଁ ଗତ ୪ ବର୍ଷ ମଧ୍ୟରେ ସରକାର ଟ୍ୟାକ୍ସ ସ୍ଲାବ ବୃଦ୍ଧି, ଛାଡ ସୀମା ଏବଂ ମାନକ ରିହାତି ଯୋଗାଇବା ଭଳି କାର୍ଯ୍ୟ କରିଛନ୍ତି। ଏଭଳି ପରିସ୍ଥିତିରେ ସରକାର ଏଥର ମଧ୍ୟ ନୂଆ ଟିକସ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଆଣିପାରନ୍ତି। ପୁରୁଣା ଟିକସ ବ୍ୟବସ୍ଥାରେ, ୨୦୧୪ ରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଠୁ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ। ଅନ୍ୟପଟେ ସରକାର ପୁରୁଣା ଟିକସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରିଦେବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।