ପୁସ୍ତକ ଓ ବୈଷୟିକ ଓଡିଆ ଶବ୍ଦୋକୋଷର ଅନୁବାଦକ ମାନଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ମାତୃଭାଷା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୌଦ୍ଧିକ ଜ୍ଞାନ ବିକଶିତ କରିଥାଏ, ଏଥିରେ କୌଣସି ସନ୍ଦେହ ନାହିଁ । ମାତୃଭାଷାରେ ଶିକ୍ଷା ଦାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ ବିଚାରଧାରା ଏବଂ ଦକ୍ଷତା ବିକଶିତ କରିବ ବୋଲି ଶୁକ୍ରବାର ‘ଜାତୀୟ ଶିକ୍ଷା ଦିବସ’ ଅବସରରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେଇଛନ୍ତି ।

ଓଡ଼ିଆ ଇଞ୍ଜିନିୟରିଂ ପୁସ୍ତକ ଓ ଅନ୍ୟାନ୍ୟ ଉପକ୍ରମକୁ ଶୁଭାରମ୍ଭ କରିବା ଅବସରରେ ମାନ୍ୟବର ରାଷ୍ଟ୍ରପତି କହିଛନ୍ତି ଯେ ଓଡ଼ିଆ ଏକ ପ୍ରାଚୀନ ଏବଂ ସମୃଦ୍ଧ ଭାଷା। ଏହାର ଏକ ଅଭିନବ ସାହିତ୍ୟ ପରମ୍ପରା ଏବଂ ସମୃଦ୍ଧ ଶବ୍ଦ ଭଣ୍ଡାର ରହିଛି । ତେଣୁ ଓଡ଼ିଆ ଭାଷାରେ ବୈଷୟିକ ଶିକ୍ଷା ପାଇବା କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ସେ କହିଥିଲେ ଶିକ୍ଷା ହେଉଛି ସଶକ୍ତିକରଣର ଏକ ମାଧ୍ୟମ । ଆମ ଦେଶର ପ୍ରତ୍ୟେକ ଶିଶୁ ପ୍ରତ୍ୟେକ ସ୍ତରରେ ଯେପରି ଶିକ୍ଷାର ଲାଭ ପାଇପାରିବ ଆମେ ତାହା ସୁନିଶ୍ଚିତ କରିବା ଉଚିତ୍। ବିନା କୌଣସି ବାଛବିଚାରରେ ସମସ୍ତଙ୍କ ପାଖରେ ଶିକ୍ଷା ଉପଲବ୍ଧ କରାଇବା ପାଇଁ ଆମେ ଯଥାସମ୍ଭବ ପ୍ରୟାସ କରିବା ଉଚିତ୍‌ । ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା କ୍ଷେତ୍ରରେ ଭାଷା ବାଧକ ନୁହେଁ ବରଂ ସହାୟକ ହେବା ଉଚିତ୍‌ । ଆଞ୍ଚଳିକ ଏବଂ ସ୍ଥାନୀୟ ଭାଷାରେ ଶିକ୍ଷାଦାନ ଆରମ୍ଭ କରାଯିବା ଫଳରେ ଦୀର୍ଘସ୍ଥାୟୀ ଭିତ୍ତିରେ ଏକ ଶିକ୍ଷିତ, ସଚେତନ ଏବଂ ସକ୍ରିୟ ସମାଜ ଗଠନରେ ସହାୟତା ମିଳିପାରିବ ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଜିର ଦିନ ଓଡ଼ିଆ ଜନମାନସ ଓ ଓଡ଼ିଆ ଭାଷା ପାଇଁ ସ୍ମରଣୀୟ ଦିନ ହୋଇ ରହିବ । ଏଭଳି ଏକ ସାରସ୍ୱତ ସମାରୋହରେ ଜଣେ ଓଡ଼ିଆ ଭାବେ ମାନ୍ୟବର ରାଷ୍ଟ୍ରପତି ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା କେନ୍ଦ୍ର (ଆଇଓଏସଆର) ର ମିଳିତ ଉଦ୍ୟମରେ ପ୍ରସ୍ତୁତ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ସମୂହ, ଭାରତୀୟ ଭାଷାରେ ଜ୍ଞାନ ପୋର୍ଟାଲ ‘ଇ-କୁମ୍ଭ’ ଏବଂ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଭାଷାକୋଷ (ସିଏସଟିଟି) ଦ୍ୱାରା ବିକଶିତ ଯାନ୍ତ୍ରିକ ଶବ୍ଦକୋଷକୁ ଉନ୍ମୋଚନ ହେବା ଓଡିଆଙ୍କ ପାଇଁ ଗୌରବର ବିଷୟ । ‘ଜାତୀୟ ଶିକ୍ଷା ଦିବସ’ ଅବସରରେ ମାର୍ଗଦର୍ଶନ ଦେବା ପାଇଁ ମାନ୍ୟବର ରାଷ୍ଟ୍ରପତିଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୨୦ରୁ ଜାତୀୟ ଶିକ୍ଷା ନୀତି(ଏନଇପି) ଲାଗୁ ହୋଇଛି । ଜାତୀୟ ଶିକ୍ଷା ନୀତି ହେଉଛି, ଏକବିଂଶ ଶତାବ୍ଦୀରେ ବିଶ୍ୱର ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରିବା ଭଳି ଏକ ଦାର୍ଶନିକ ତତ୍ତ୍ୱ । ଆମ ଶିକ୍ଷା ବ୍ୟବସ୍ଥାକୁ ଭାରତୀୟ ଆତ୍ମା ସହ ଯୋଡିବା ପାଇଁ ହେଲେ ମାତୃଭାଷା ଓ ସ୍ଥାନୀୟ ଭାଷାକୁ ପ୍ରାଥମିକତା ଦେବାକୁ ହେବ । ଜାତୀୟ ଶିକ୍ଷା ନୀତିର ପରାମର୍ଶ କ୍ରମେ ଇଞ୍ଜିନିୟରିଂ କଲେଜର ପାଠ୍ୟକ୍ରମର ଦାୟିତ୍ୱ ସମ୍ଭାଳିଥିବା ଏଆଇସିଟିଇ ଏବଂ ଆଇଓଏସଆର ମିଳିତ ଭାବେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମ ବର୍ଷ ପାଇଁ ଇଞ୍ଜିନିୟରିଂ ପାଠ୍ୟକ୍ରମର ୨୦ଟି ବିଷୟକୁ ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ଶିକ୍ଷାବିତଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହେଉଥିବାରୁ ଏହି ଦିନ ଓଡ଼ିଶା ଇତିହାସ ପୃଷ୍ଠାରେ ଲମ୍ବା ସମୟ ଧରି ଲିପିବଦ୍ଧ ହୋଇ ରହିବ ।

ଭାରତ ସରକାର ଆଜି ଗୋଟିଏ ନୂଆ ଅଧ୍ୟାୟ ଯୋଡିଛନ୍ତି । ସିଏସଟିଟି ଦ୍ୱାରା ୫୦ ହଜାର ଇଂରାଜୀ ବୈଷୟିକ ଶବ୍ଦକୁ ଓଡ଼ିଆ ଭାଷାନ୍ତର କରିବାର ଏକ ଗ୍ଲୋସାରୀ ପ୍ରସ୍ତୁତ କରାଯାଇଛି । ଏହି ଶବ୍ଦକୋଷର ଏହାର ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆକ୍ସେଲେଟର ଭଳି ବୈଜ୍ଞାନିକ ଇଂରାଜୀ ଶବ୍ଦର ଓଡିଆ ଅର୍ଥ ହେଉଛି ତ୍ୱରକ । ବିଜ୍ଞାନର ପ୍ରମୁଖ ବିଷୟ ପାର୍ଟିକିଲର ଓଡ଼ିଆ ଭାଷା ହେଉଛି କଣିକା । ଏହିଭଳି ଶବ୍ଦକୋଷ ଦ୍ୱାରା ଓଡିଆ ଇଞ୍ଜିନିୟରିଂ ପିଲାମାନେ ଭଲ ଭାବରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ବୁଝିପାରିବେ ।

ସେହିପରି ବର୍ତ୍ତମାନ ସୁଦ୍ଧା ଏଆଇସିଟିଇ ଦ୍ୱାରା ଓଡ଼ିଆ ସମେତ ୧୦ଟି ଭାରତୀୟ ଭାଷାରେ ଇଂରାଜୀରେ ଥିବା ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଅନୁବାଦିତ କରାଯାଇସାରିଛି । ଏହି ଭାଷା ଗୁଡ଼ିକ ହେଲା ଓଡ଼ିଆ, ହିନ୍ଦି, ତାମିଲ, ତେଲୁଗୁ, କନ୍ନଡ, ପଞ୍ଜାବୀ, ବେଙ୍ଗଲୀ, ମରାଠୀ, ଗୁଜୁରାଟୀ ଓ ଆସାମୀ । ଆଉ ୨ଟି ଭାଷା ମାଲାୟାଲାମ ଏବଂ ଉର୍ଦ୍ଦୁ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଅନୁବାଦ ହେବା ପାଇଁ କାର୍ଯ୍ୟ ଚାଲୁ ରହିଛି । ଏହି ସବୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରାଇବା ପାଇଁ ‘ଇ-କୁମ୍ଭ’ ପୋର୍ଟାଲ ଉନ୍ମୋଚନ ହୋଇଯାଇଛି।

ଓଡ଼ିଶାର ବିଶିଷ୍ଟ ସାହିତ୍ୟକାର ସ୍ୱଭାବ କବି ଗଙ୍ଗାଧର ମେହେର କହିଛନ୍ତି “ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା” । ଓଡ଼ିଶାର ଏକବିଂଶ ଶତାବ୍ଦୀର ନୂଆପିଢିଙ୍କୁ ପ୍ରସ୍ତୁତ କରିବା ଓ ମାତୃଭାଷାକୁ ବ୍ୟାପକ କରିବା ପାଇଁ ଗଙ୍ଗାଧରଙ୍କ ଉକ୍ତିକୁ ଜାତୀୟ ଶିକ୍ଷା ନୀତିରେ କ୍ରିୟାନ୍ୱୟନ କରାଯାଇଛି । ଚାଇନିଜ୍ ଫିଲୋସଫର କନଫୁସିଅସ କହିଥିଲେ – If your plan is for 100 years, educate children । ଯଦି ୧୦୦ ବର୍ଷ ପାଇଁ ତୁମର ଯୋଜନା ଅଛି ତେବେ ପିଲା ମାନଙ୍କୁ ଶିକ୍ଷିତ କର । ଏହି ବିଚାରରେ ଆଜିର ପିଲା ମାନଙ୍କୁ ଏବେ ଠାରୁ ପ୍ରସ୍ତୁତ କରିବାକୁ ହେବ । ପିଲାମାନେ ମୂଳରୁ ମାତୃଭାଷାରେ ପାଠ ପଢିଲେ ତାଙ୍କର ପୂର୍ଣ୍ଣାଙ୍ଗ ବିକାଶ ହେବ । ଏହି ଧାରଣା ପଞ୍ଚକୋଷ ଶିକ୍ଷା ବ୍ୟବସ୍ଥାରେ ଆମ ବେଦ ଶାସ୍ତ୍ରରେ ଅଛି । ବୈଜ୍ଞାନିକ ସ୍ୱୀକାର କରିଥିବା ଏହି ପରମ୍ପରାକୁ ଆଗକୁ ନେବା ପାଇଁ ଭାରତ ସରକାର ଚେଷ୍ଟାରତ ।

ସେ କହିଛନ୍ତି ଇଂରାଜୀ ଭାଷା ନ ଶିଖିଲେ ବୈଶ୍ୱିକ ନାଗରିକ ନହେବା ଭଳି ଧାରଣା ଭୁଲ ଅଟେ । ଜାପାନ, ଜର୍ମାନ, ଚୀନ ଭଳି ପ୍ରଗତିଶୀଳ ରାଷ୍ଟ୍ର ତାଙ୍କ ମାତୃଭାଷାକୁ ପ୍ରାଧାନ୍ୟ ଦେଉଛନ୍ତି । ଓଡ଼ିଆ ମାତୃଭାଷା ପ୍ରଚଳିତ ସମୟରେ ଶ୍ରୀମନ୍ଦିର, ଲିଙ୍ଗରାଜ ଓ କୋଣାର୍କ ମନ୍ଦିର ନିର୍ମାଣ ହୋଇଛି । ସେତେବେଳେ ଆଇଆଇଟି ଓ ଏନଆଇଟି ଭଳି ଶିକ୍ଷାନୁଷ୍ଠାନ ନଥିଲା । ଆମ କଳା, ସଂସ୍କୃତି ଓ ସଭ୍ୟତା ବନାଇବା ପାଇଁ ମାତୃଭାଷାକୁ ଗୁରୁତ୍ୱ ଦେବାକୁ ହେବ । ୨୦୩୬ରେ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ପାଇଁ ଆଉ ମାତ୍ର ପ୍ରାୟ ୧୩ ବର୍ଷ ବାକି ଅଛି । ଏହି ସମୟ ଅବଧିରେ ଆମ ଭାଷାକୁ ସମୃଦ୍ଧ କରିବା ଓ ଭାଷାର ତତ୍ତ୍ୱକୁ ସମୃଦ୍ଧ କରିବା । ଦେଶର ଅମୃତ ମହୋତ୍ସବ ପାଳନ କରିବା ବେଳେ ଭାଷାଭିତ୍ତିକ ଶିକ୍ଷାକୁ ଦେଶରେ ପ୍ରତିପାଦିତ କରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ ସିଏସଟିଟି ଦ୍ୱାରା ବିକଶିତ ଯାନ୍ତ୍ରିକ ଶବ୍ଦକୋଷର ଅନୁବାଦକ ମାନଙ୍କୁ କୃତଜ୍ଞତା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ କେନ୍ଦ୍ରମନ୍ତ୍ରୀ । ଜାତୀୟ ଶିକ୍ଷା ନୀତିରେ ଭାରତୀୟ ଭାଷାକୁ ବ୍ୟାପକ କରିବାର ପରମ୍ପରାକୁ ଆଗେଇ ନେଉଥିବାରୁ ଏଆଇସିଟିଇ ଏବଂ ଆଇଓଏସଆରକୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଜଣେ ଜଣେ ସ୍ୱେଚ୍ଛାସେବୀ ଭାବରେ ସହଭାଗିତା ହୋଇ ଭାଷାକୁ ଆଗେଇ ନେବାରେ ଆଇଓଏସଆରର ଅବଦାନ ଅତୁଳନୀୟ । ଜ୍ଞାନକୁ ବୁଝେଇବାର ମାଧ୍ୟମ ହେଉଛି ଭାଷା । ସମସ୍ୟାକୁ ସମାଧାନ କରିବାର ମୂଳ ଚାବିକାଠି ହେଉଛି ଭାଷା । ଆଞ୍ଚଳିକ ଭାଷା ଓ ସଂସ୍କୃତିକୁ ଗୁରୁତ୍ୱ ଦେଲେ ପାରମ୍ପରିକ ଜ୍ଞାନ ବୁଝିହେବ । ଆମେ ସମସ୍ତେ ନିଜ ନିଜ ମାତୃଭାଷାକୁ ପ୍ରାଥମିକତା ଦେବା ସହ ଭାଷାର ଭାବକୁ ବୁଝିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ।

ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ୧୮ ତାରିଖରେ ଭୁବନେଶ୍ୱରଠାରେ ଓଡ଼ିଆ ଭାଷାରେ ଇଂଜିନିୟରିଂ ଶିକ୍ଷା ପ୍ରଦାନ କରିବା ପାଇଁ ଏଆଇସିଟିଇ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା କେନ୍ଦ୍ର(ଆଇଓଏସଆର) ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମାନ୍ୟବର ରାଷ୍ଟ୍ରପତିଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱର ସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ, ରାଷ୍ଟ୍ରପତି ଶିକ୍ଷା ଲାଭ କରିଥିବା ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟ, କୁନ୍ତଳା କୁମାରୀ ସାବତ ଜନଜାତି ଛାତ୍ରୀନିବାସ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.