ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଲାଗି ଆଜିଠୁ ଆରମ୍ଭ କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଲାଗି ଆଜିଠୁ ଆରମ୍ଭ ହେବ କାର୍ଯ୍ୟକ୍ରମ। ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଶ୍ରୀନଅର ଠାରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବେ ।

ଏଥିପାଇଁ ଗୁରୁବାର ବସିଥିବା ସ୍ବତନ୍ତ୍ର ପରିଚାଳନା କମିଟି ବୈଠକରେ ସାଂସ୍କୃତିକ ଓ ବିଭିନ୍ନ ସବ କମିଟିର ପୂର୍ବ ନିଷ୍ପତ୍ତିରେ ମୋହର ଲାଗିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଶୁକ୍ରବାରଠୁ ଆରମ୍ଭ ହେବ ଯଜ୍ଞ ପ୍ରକ୍ରିୟା । ୬ ଦିନ ବ୍ୟାପୀ ଯଜ୍ଞ ଅନୁଷ୍ଠିତ ହେବ । ଆସନ୍ତାକାଲି ଗଜପତି ମହାରାଜା ଯଜ୍ଞ ପାଇଁ ଆଚାର୍ଯ୍ୟ ବରଣ କରିବେ ।

କାଲି ସନ୍ଧ୍ୟା ସାଢ଼େ ୬ଟାରୁ ୮ଟା ମଧ୍ୟରେ ଅଙ୍କୁରାରୋପଣ କରାଯିବ । ୧୩ ତାରିଖ ଦିନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଙ୍କୁରପୂଜନ ହେବ । ୧୪ ତାରିଖ ଦିନ ୧୦ଟାରୁ ରାତି ୮ଟା ମଧ୍ୟରେ ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ବଜା ସ୍ଥାପନ, ତୋରଣ ସ୍ଥାପନ କରାଯିବ । ୧୫ ତାରିଖରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ବାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ଓ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହେବ । ଅପରାହ୍ନ ୩ଟାରୁ ବୈଷ୍ଣବାଗ୍ନି ସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ କରାଯିବ ।

୧୭ ତାରିଖ ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇଯିବ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟ । ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଶୁଭ ମୁହୂର୍ତ୍ତରେ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ଦିନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଯଜ୍ଞ ପୂର୍ଣ୍ଣାହୂତି ଦେବେ। ଅପରାହ୍ନ ୩ଟା ପରେ ପରିକ୍ରମା ମାର୍ଗକୁ ଯାଇପାରିବେ ସାଧାରଣ ଶ୍ରଦ୍ଧାଳୁ ।

Leave A Reply

Your email address will not be published.