ରଥଯାତ୍ରା ପାଇଁ ଆଜି ବସିଥିଲା ଦ୍ୱିତୀୟ ସମନ୍ୱୟ ବୈଠକ, ସୁରୁଖୁକୁରେ ରଥଯାତ୍ରା ସମ୍ପନ୍ନ ଉପରେ ଗୁରୁତ୍ବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିଥିଲା ଦ୍ୱିତୀୟ ସମନ୍ୱୟ ବୈଠକ । ଆଇନ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ବିଭିନ୍ନ ବିଭାଗର ସେବା ଭଳି ୨୧ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ସହ ଚାଲିଥିବା ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ ରଥଯାତ୍ରା ପୂର୍ବରୁ ଶେଷ କରାଯିବାକୁ ଗୁରୁତ୍ୱ ଦିଆଯାଇଛି । ରଥଯାତ୍ରା ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ ୩୪୧ ଖଣ୍ଡ ଓ ଖପୁରିଆ କରତ କଳକୁ ୩୩୨ ଖଣ୍ଡ କାଠ ଆସିଛି । ପୁରୀରେ ୨ ମାସ ପାଇଁ ଅସ୍ଥାୟୀ ସ ମିଲ୍ କରିବା ପାଇଁ ସେବାୟତମାନେ ପ୍ରସ୍ତାବ ଦେଇଛନ୍ତି । ଶ୍ରୀମନ୍ଦିରର ଚାରିଦ୍ୱାରରେ ଭକ୍ତ ପ୍ରବେଶ ନେଇ ପ୍ରଶାସନ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ । ରଥ ନିର୍ମାଣ ପାଇଁ ଗଠନ ହୋଇଛି ତଦାରଖ କମିଟି । ରଥଯାତ୍ରା ସମୟରେ ୨୯ଟି ଆଶୁ ଚିକିତ୍ସା କେନ୍ଦ୍ର, ୫ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀ, ୨ଟି ଖାଦ୍ୟ ନିରୀକ୍ଷକ ଟିମ୍ ରହିବେ ।

ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି । ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଭିତରେ ଓ ବାହାରେ, ରଥ କର୍ଡନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଭିଭିଆଇପିଙ୍କ ସୁରକ୍ଷା ସହ ସମନ୍ୱିତ ପୋଲିସ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ ବୋଲି କହିଥିଲେ ଅତିରିକ୍ତ ଡିଜି । ରଥଯାତ୍ରା ସମୟରେ ପୁରୀକୁ ୨୧୦ଟି ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ପାଇଁ ଡାଟା ବେସ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ଗୁଜରାଟର ଅହମଦାବାଦରୁ ୩୦୦୦ ମିଟର ରଥ କନା ଆସିଛି । ୨୦୦ କେଜି ଝୁଣା ମହଜୁଦ୍ ଅଛି । ତାମିଲନାଡୁରୁ ୩୦୦ କେଜି ଚନ୍ଦନ କାଠ ଆସିବାକୁ ଥିବାବେଳେ ୧୪ଟି ରଥ ଟଣା ଓ ୯ଟି ଇନର ଓ ଆଉଟର କର୍ଡନ ଦଉଡ଼ି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ପୁରୀ ଟାଉନ ହଲ୍ ଠାରେ ଆଜିର ବୈଠକରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପ୍ରଫୁଲ୍ଲ ମଲ୍ଲିକ, ତୁଷାରକାନ୍ତି ବେହେରା, ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ, ଏସପି, ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ ।

Leave A Reply

Your email address will not be published.