ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରେସଲରଙ୍କୁ ସମର୍ଥନ ଘୋଷଣା କଲା ଚାଷୀ ସଂଗଠନ । ଦୀର୍ଘଦିନ ହେଲା ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲରଙ୍କୁ ସମର୍ଥନ ଘୋଷଣା କରିଛନ୍ତି ହଜାର ହଜାର ଚାଷୀ । କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଦେଶ ପାଇଁ ପଦକ ଜିତିଥିବା ଅନେକ ରେସଲର ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି । ସେମାନଙ୍କ ମନୋବଳ ବୃଦ୍ଧି କରିବାକୁ ଆସନ୍ତାକାଲି ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଚାଷୀ ଯନ୍ତରମନ୍ତରରେ ପହଞ୍ଚିବେ । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରେସଲରଙ୍କୁ ସମର୍ଥନ ଘୋଷଣା କରାଯାଇଛି । ମୋର୍ଚ୍ଚା ପକ୍ଷରୁ ରେସଲରଙ୍କ ସମର୍ଥନରେ ସମଗ୍ର ଦେଶରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯିବ । ରେସଲରଙ୍କୁ ସମର୍ଥନ କରି ଖାପ ପଞ୍ଚାୟତ ପକ୍ଷରୁ ଦିଲ୍ଲୀର ଯନ୍ତରମନ୍ତରରେ ମହା ପଞ୍ଚାୟତ କରାଯିବ । ଏହାପୂର୍ବରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆସନ୍ତାକାଲି ବିକ୍ଷୋଭ କରିବ ବୋଲି କହିଛି । ଏହି ସଂଗଠନ ତୁରନ୍ତ ବିଜେପି ସାଂସଦ ତଥା କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
ମେ’ ୭ ତାରିଖରେ ପଞ୍ଜାବ, ହରିଆଣା, ଦିଲ୍ଲୀ ଓ ପଶ୍ଚିମ ଉତ୍ତର ପ୍ରଦେଶରେ ରହୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚାର ବରିଷ୍ଠ ନେତାମାନେ ହଜାର ହଜାର ଚାଷୀଙ୍କ ସହ ଯନ୍ତରମନ୍ତରରେ ପହଞ୍ଚିବେ । ସେମାନେ ଏଠାକୁ ଆସି ରେସଲରଙ୍କ ସମର୍ଥନ କରିବେ । ବ୍ରିଜ ଭୂଷଣଙ୍କ ଗିରଫ ଦାବି କରି ମୋର୍ଚ୍ଚାର ଗୋଟିଏ ପ୍ରତିନିଧି ଦଳ ଦିଲ୍ଲୀ ପୁଲିସ୍ କମିଶନର, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବେ । ମେ’ ୧୧ରୁ ୧୮ ତାରିଖ ଯାଏ ଚାଷୀ ସଂଗଠନ ଗୁଡ଼ିକ ସମସ୍ତ ରାଜ୍ୟର ରାଜଧାନୀ ଓ ଜିଲ୍ଲା ମୁଖ୍ୟାଳୟରେ କରିବେ ବିକ୍ଷୋଭ ପ୍ରଦର୍ଶନ ।