ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ରାତିର ତାପମାତ୍ରା। ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି |ଉପାନ୍ତ ଅଂଚଳରୁ ଉପକୂଳ ପର୍ଯ୍ୟନ୍ତ ଏଭଳି ପାଗ ରହିଛି। ବୁଧବାର ସକାଳୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘନ କୁହୁଡି ଯୋଗୁ ଗାଡି ଚଳାଚଳରେ ସମସ୍ୟା ଦେଖା ଦେଇଥିଲା।

ଆସନ୍ତା ୨ଦିନ ପରେ ପୁଣି ରାଜ୍ୟରେ ଶୀତ ବଢିବ ବୋଲି କୁହାଯାଉଛି। ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଶୀତ ବଢିବ। ସେହିପରି ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। କୁହୁଡି ହେଉଥିବାରୁ ଦୃଶ୍ୟମାନ କ୍ଷମତା ବାଧାପ୍ରାପ୍ତ ହେବା ସହିତ ଯାନବାହନ ଚଳାଚଳ ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

ଦୃଶ୍ୟମାନର ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିବ। କେତେକ ସ୍ଥାନରେ ଆହୁରି କମ୍‌ ରହିପାରେ। ବୁଧବାର ଭୋର ସମୟରେ ୨୨ ଜିଲ୍ଲା ଯଥା ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀରରେ ମଧ୍ୟମରୁ ଘନ କୁହୁଡ଼ି ହୋଇପାରେ। ତେଣୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ କଟକ, ଅନୁଗୁଳ, କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର କେ‌ତେକ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହୋଇଥିଲା। କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୪ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଜି ଉଦୟଗିରିରେ ୯, ଦାରିଙ୍ଗବାଡ଼ିରେ ୧୦.୫, ଫୁଲବାଣୀରେ ୧୧, ଅନୁଗୁଳରେ ୧୧.୬, କି‌ରେଇରେ ୧୨.୨, ରାଣିତାଲରେ ୧୨.୩, କେନ୍ଦୁଝରଗଡ଼ରେ ୧୨.୮ ଡିଗ୍ରି ରେକର୍ଡ କରାଯାଇଛି।

Leave A Reply

Your email address will not be published.