ଡ୍ରାଇଭରଙ୍କୁ ରଜ ଭେଟି ଦେଲେ ରାଜ୍ୟ ସରକାର, ମୋଟରଯାନ ଡ୍ରାଇଭର କର୍ମଚାରୀ କଲ୍ୟାଣ ଯୋଜନାକୁ କଲେ ଅନୁମୋଦନ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବାକୁ ଥିବା କଲ୍ୟାଣ ବୋର୍ଡ ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ୱୀକୃତି ପ୍ରଦାନ କରିଛନ୍ତି । ମୋଟର ଯାନ ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବୋର୍ଡକୁ ପ୍ରାରମ୍ଭିକ ଭାବେ ଅନୁଦାନ ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ, ବୋର୍ଡ, ପଞ୍ଜୀକରଣ ଶୁଳ୍କ ସଂଗ୍ରହ, ଯାନ ମାଲିକଙ୍କ ଅବଦାନ ଏବଂ ଅନ୍ୟାନ୍ୟ ଉତ୍ସରୁ ପାଣ୍ଠି ସଂଗ୍ରହ କରି ଏହି ଯୋଜନାକୁ ପରିଚାଳନା କରିବେ ।

ସୂଚନା ଅନୁଯାୟୀ, ଡ୍ରାଇଭରମାନେ ବିଭିନ୍ନ ଅସୁବିଧାକୁ ନେଇ ଆନ୍ଦୋଳନ କରୁଥିଲେ । ତେବେ ଏନେଇ ରାଜ୍ୟସରକାର ପଦକ୍ଷେପ ନେଇଛନ୍ତି । ତେବେ ମୃତ୍ୟୁ କ୍ଷେତ୍ରରେ ଡ୍ରାଇଭରର ସଂପର୍କୀୟଙ୍କୁ ୪ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଯଦି ଡ୍ରାଇଭର ଅତି ଗୁରୁତର ଅଛନ୍ତି ତାଙ୍କୁ ୮୦ ହଜାର ଟଙ୍କା ପ୍ରଦାନ କରାଯିବ । ଏହାସହ ସ୍ଥାୟୀ ଅକ୍ଷମତା ମାମଲାରେ ମୋଟର ପରିବହନ ଡ୍ରାଇଭର କିମ୍ବା କର୍ମଚାରୀଙ୍କୁ ୧ଲକ୍ଷ ପଚାଶ ହଜାର ଟଙ୍କା ପ୍ରଦାନ କରାଯିବ ।

ଏହାବ୍ୟତୀତ ସେମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁ ବାବୁ ପେନସନ୍ ଯୋଜନା ଆଦିରେ ସେମାନଙ୍କୁ ଯୋଗ୍ୟତା ଅନୁଯାୟୀ ଅନ୍ତର୍ଭୁକ୍ତ କରାଯିବ । ଏହି ଯୋଜନା କାର୍ଯ୍ୟକାରୀ ହେବାଦ୍ୱାରା ୫ଲକ୍ଷରୁ ଉଦ୍ଧ୍ୱର୍ ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ଗଠିତ ହେବାକୁ ଥିବା କଲ୍ୟାଣ ବୋର୍ଡରେ ସରକାରୀ ସଦସ୍ୟଙ୍କ ସହ ମୋଟର ପରିବହନ ଡ୍ରାଇଭର ବା କର୍ମଚାରୀ ମାନଙ୍କର ପ୍ରତିନିଧି ମଧ୍ୟ ସଦସ୍ୟ ରହିବେ ।

Leave A Reply

Your email address will not be published.