ଏଥର ସାଲେପୁର କାହା ସପକ୍ଷରେ ?

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନେତାଙ୍କୁ ଚକମା ଦେଇଛି ସାଲେପୁର ।କଟକ ଜିଲ୍ଲା ରାଜନୀତିରେ ସାଲେପୁର ନିର୍ବାଚନ ମଣ୍ଡଳୀ ସବୁ ବେଳେ ଚକିତ କଲା ଭଳି ଫଳାଫଳ ଦେଇ ଆସିଛି। ମାତ୍ର ହଜାରେ, ଦୁଇ ହଜାର ଭୋଟରେ ହାରଜିତ ନିର୍ଣ୍ଣୟ କରେ ଏହି ଆସନ। କେବଳ ସେତିକି ନୁହେଁ, ଗତ ୩ଟି ସାଧାରଣ ନିର୍ବାଚନରେ ପ୍ରତିଥର ଭୋଟର ଏଠାରେ ନୂଆ ବିଧାୟକ ନିର୍ବାଚିତ କରୁଛନ୍ତି।

ଏବେ ୨୦୨୪ ନିର୍ବାଚନରେ ଏହି ଧାରା ଭାଙ୍ଗିବ ନା ଜାରି ରହିବ, ତାହାକୁ ନେଇ ବିଭିନ୍ନ ମହଲରେ ଉତ୍କଣ୍ଠା ବଢ଼ିଲାଣି। ଅନ୍ୟପକ୍ଷରେ ପୁରୁଣା ସାଲେପୁର ନିର୍ବାଚନ ମଣ୍ଡଳୀର ଇତିହାସ କହୁଛି, କେବଳ ପୂର୍ବତନ ମନ୍ତ୍ରୀ କାଳିନ୍ଦୀ ବେହେରା ଓ ମାୟାଧର ସେଠୀ ଏଠାରୁ ଲଗାତାର ଦୁଇଥର ବିଧାୟକ ହୋଇପାରିଛନ୍ତି। ପରେ ୨୦୦୯ରେ ଏଠାରୁ କାଳିନ୍ଦୀ ବେହେରାଙ୍କ ପୁଅ ବିଜେଡି ନେତା ଚନ୍ଦ୍ରସାରଥି ବେହେରା ବିଜୟୀ ହୋଇଥିଲେ। ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ବେହେରା ଓ ୨୦୧୯ରେ ବିଜେଡିରୁ ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରା ନିର୍ବାଚିତ ହୋଇଥିଲେ। ୨୦୧୪ରେ କଟକର ୯ରୁ ୮ ବିଧାନସଭା ବିଜେଡି ହାତେଇ ଥିବା ବେଳେ ସାଲେପୁର ଭୋଟର କଂଗ୍ରେସ ସପକ୍ଷରେ ରାୟ ଦେଇଥିଲେ। ଏଭଳି ଏକ ପୃଷ୍ଠଭୂମିରେ ଏଥର ସାଲେପୁର କାହା ସପକ୍ଷରେ ରହିବ, ସେ ନେଇ ଆକଳନ ଆରମ୍ଭ ହୋଇଯାଇଛି।

ଯଦିଓ ଚନ୍ଦ୍ର ସାରଥି ଗତ ଦୁଇ ନିର୍ବାଚନରେ କଟକ ସଦର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି, ତଥାପି ସାଲେପୁର ସହିତ ତାଙ୍କର ନିବିଡ଼ତା କାହାକୁ ଅଛପା ନାହିଁ। ତେଣୁ ଶେଷ ମୁହୂର୍ତ୍ତରେ ସେ ପ୍ରାର୍ଥୀ ହେବା ସମ୍ଭାବନାକୁ ଟାଳି ହେବ ନାହିଁ। ଏମିତିରେ ବି ଏହି ବିଧାନସଭା ଆସନ କେନ୍ଦ୍ରାପଡ଼ା ଲୋକସଭା ଅନ୍ତର୍ଗତ ରହିଛି। ଏଣୁ ବିେଜଡି କେନ୍ଦ୍ରାପଡ଼ା ଲୋକସଭା ଅଙ୍କକୁ ଧରି ଏଠାରେ ପ୍ରାର୍ଥୀ ଦେଇପାେର। ତେବେ ଦେଖିବାକୁ ବାକି ରହିଲା ସାଲେପୁରର କିଏ କରିବ ସରକାର ।

Leave A Reply

Your email address will not be published.