ମାଟକାମବେଡା ଇଏସଆଇ ମେଡିକାଲ ସମ୍ମୁଖରେ କାର ଓ ବାଇକ ଧକ୍କାରେ ଜଣେ ଶିଶୁ ସମେତ ତିନି ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଟକାମବେଡା ଇଏସଆଇ ମେଡିକାଲ ସମ୍ମୁଖରେ କାର ଓ ବାଇକ ଧକ୍କାରେ ଜଣେ ଶିଶୁ ସମେତ ତିନି ଗୁରୁତର | କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସହରର ମାଟକାମବେଡା ଇଏସଆଇ ମେଡିକାଲ ସମ୍ମୁଖରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଘଟିଛି।

ଝୁମ୍ପୁରା ଥାନା ଅନ୍ତର୍ଗତ ବାଲିବନ୍ଧ ଅଞ୍ଚଳର ଉପେନ୍ଦ୍ର ମାଝୀ, ପତ୍ନୀ ଦ୍ରୌପଦୀ ମାଝୀ ଓ ତାଙ୍କ ୧୨ ବର୍ଷର ପୁଅ ବାଇକ ଯୋଗେ ବଡବିଲ ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ଏକ କାର ରଙ୍ଗରୁଟରେ ଆସି ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକରେ ବସିଥିବା ଶିଶୁ ସମେତ ସ୍ବାମୀ ଓ ସ୍ତ୍ରୀ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ବଡବିଲ ମେଡିକାଲ ପଠାଇଥିଲେ। ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଚାଳକ ନିଶାସକ୍ତ ହୋଇ ବେପରୁଆ ଢଙ୍ଗରେ ଗାଡି ଚଳାଇବା ତଥା ଗାଡି ଚଳାଇବା ସମୟରେ ମୋବାଇଲରେ ଗପୁଥିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଅନ୍ୟ ପକ୍ଷରେ କାରର ଗତି ଏତେ ସ୍ପିଡ ଥିଲା ଯେ ଏହି ଧକ୍କାରେ ବାଇକ୍ ଚେଚିସ୍ ଭାଙ୍ଗି ଯାଇଥିବା ବେଳେ କାରର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇ ଏୟାର ବେଲୁନ ମଧ୍ୟ ଫାଟି ଯାଇଛି।ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଯାଇଥିବା ବେଳେ ଲୋକେ ଦୁର୍ଘଟଣା ଘଟାଇଥିବା କାର ଓ ଚାଳକକୁ ଅଟକ ରଖିଥିଲେ। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡି ଜବତ୍ କରିବା ସହ କାର ଚାଳକକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Leave A Reply

Your email address will not be published.