ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଗତକାଲି ଠୁ ବଢେଇବାଙ୍କ ଛକରେ ଅଟକିଛି। ଧାର୍ଯ୍ୟ ସମୟଠୁ ବିଳମ୍ବରେ ରଥଟଣା ପରେ ବଢେଇବାଙ୍କ ଛକରେ ଅଟକିଥିଲା ପ୍ରଭୁଙ୍କ ରଥ । ଆଜି ବିଭିନ୍ନ ନୀତିକାନ୍ତି ପରେ ଅପରାହ୍ମ ୨ଟାରୁ ପୁଣି ରଥଟଣା ଆରମ୍ଭ ହେବ । ପୂଜାର୍ଚ୍ଚନା କରି ରଥକୁ ମାଉସୀମାଆ ମନ୍ଦିରକୁ ଟାଣିନେବେ ଭକ୍ତ । ପାଞ୍ଚ ଦିନ ଧରି ଆୟୋଜିତ ଯାତ୍ରାରେ ରୁକୁଣା ରଥ ଲିଙ୍ଗରାଜ ମନ୍ଦିର ନିକଟରୁ ବାହାରି ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିର ନିକଟକୁ ଯାଇଥାଏ। ଗତକାଲି ସଂଧ୍ୟା ସାଢେ ୫ଟାରୁ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ରଥ ଟାଣିଥିଲେ ସେବାୟତ ଓ ଶ୍ରଦ୍ଧାଳୁ । ସଂଧ୍ୟା ହେବାରୁ ବଢେଇବାଙ୍କ ଛକଟରେ ଅଟକିରହିଥିଲା ରୁକୁଣା ରଥ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ବରେ ରହିଛନ୍ତି ୧୨ ପ୍ଲାଟୁନ ଫୋର୍ସ । ପୋଲିସ, ବିଏମସି, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସେବାୟତ ନିଯୋଗଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି ।
ସୂଚନାଯୋଗ୍ୟ, ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ଚୈତ୍ର ଶୁକ୍ଳ ଅଷ୍ଟମୀ (ଅଶୋକାଷ୍ଟମୀ) ଦିନ ଗୋଟିଏ ରଥରେ ରାମେଶ୍ୱର ମନ୍ଦିରକୁ ନିଆଯାଇ ପାଞ୍ଚଦିନ ସେଠାରେ ଅବସ୍ଥାପିତ କରି ପୁଣି ବଡ଼ଦେଉଳକୁ ବାହୁଡ଼ାଇ ଅଣାଯାଏ । ଯିବା ବାଟରେ ଅନେକ ପୂଜାର୍ଚ୍ଚନା ପୂର୍ବକ ଅଧରପଣାର ଲାଗି କରାଯାଇଥାଏ । ଏହାକୁ ଦେଖିବା ଲାଗି ଭକ୍ତଙ୍କର ଗହଳି ଲାଗିରହିଥାଏ । ବିଶ୍ୱାସ ରହିଛି ଲିଙ୍ଗରାଜଙ୍କ ରାମେଶ୍ୱର ମନ୍ଦିରକୁ ଗମନ ଅବସରରେ ରାମଚନ୍ଦ୍ର ପୂଜାର୍ଚ୍ଚନା କରିବାର ସୁଯୋଗ ପାଇଥାନ୍ତି । ଲିଙ୍ଗରାଜ ମନ୍ଦିରଠାରୁ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ରଥକୁ ଟଣାଯାଏ । ରାମଚନ୍ଦ୍ରଙ୍କ କଥାକୁ ରଖି ପ୍ରତିବର୍ଷ ଅଶୋକାଷ୍ଟମୀ ତିଥିରେ ଦୋଳଗୋବିନ୍ଦ ଓ ରୁକୁଣାଙ୍କୁ ଧରି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର (ମାଉସୀ ମା’ ମନ୍ଦିର ) ମନ୍ଦିରକୁ ଯାତ୍ରା କରିଥାନ୍ତି । ଏହି ରଥର ଉଚ୍ଚତା ୫୦ ଫୁଟ ଓ ୪ ଚକ, ୨ଓରା, ୧୬ନାହାକା, ୫ଦଣ୍ଡା ବିଶିଷ୍ଟ ; ରଥର ନାମ ରୁକ୍ମଣୀ ବା ରୁକୁଣା ରଥ । ଏହି ରଥଟିର ବିଶେଷତ୍ୱ ହେଉଛି ରଥଟି ଅଣଲେଉଟା । ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ । ରଥର ପଛପଟେ ଦ୍ୱାର ଖୋଲାଯାଇ ଘୋଡ଼ା ଜଚାଯିବା ପରେ ଏହା ପଛକୁ ପଛ ଫେରିଥାଏ ।
ଜଗନ୍ନାଥ ମହାପ୍ରଭୁଙ୍କ ପରି ରଥ ଦକ୍ଷିଣ ମୋଡ ବା ବୁଲିନଥାଏ । ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଏ । ଏଇରଥ ଯେଉଁଆଡ଼େ ମୁହଁକରି ଯାଇଥାଏ ସେ ଆଡ଼ରୁ ଆଉ ମୁହଁ ଫେରାଏ ନାହିଁ । ବାହୁଡ଼ା ଦିନ ରଥର ଆଗପାଖର ସାଜସଜ୍ଜାକୁ ଆଣି ପଛ ପାଖରେ ଲଗାଇ ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କଉ ବାହୁଡ଼ାଇ ଅଣାଯାଏ । ଏଥିପାଇଁ ଢଗ ଅଛି ଯେ ‘ରୁକୁଣା ରଥ ଅଣଲେଉଟା/ ଆଉ ନ ଫେରେ’ । ରୁକୁଣା ରଥର ସାରଥୀଙ୍କୁ କୁହାଯାଏ ‘ବ୍ରହ୍ମା’ । ଅଶୋକାଷ୍ଟମୀ ଦିନ, ୮ଟି ଅଶୋକା କଢ଼ି ପକାଇ, ସେହି ଜଳ ପାନକଲେ, ଦୁଃଖଶୋକ ଲାଘବ ହେବାର ମାନ୍ୟତା ରହିଛି । ସନ୍ତାନ ହେଉନଥିବା ବା ସନ୍ତାନ ହୋଇ ମରିଯାଉଥିବା ମହିଳାମାନେ ଅଶୋକାଷ୍ଟମୀ ପୂର୍ବଦିନ ଅଧିବାସ କରି, ଅଶୋକାଷ୍ଟମୀ ଦିନ ମରିଚି କୁଣ୍ଡ ଜଳରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହେବାର ମଧ୍ୟ ମାନ୍ୟତା ରହିଛି । ଏଥି ଯୋଗୁଁ ମରିଚି କୁଣ୍ଡର ପ୍ରଥମ ଗରା ଜଳ ଖୁବ ଉଚ୍ଚଦରରେ ନିଲାମ ମଧ୍ୟ ହୋଇଥାଏ । ଦୋଳପୂର୍ଣ୍ଣମୀର ଦୁଇଦିନ ପରଠାରୁ ରଥ ପାଇଁ କାମ ଆରମ୍ଭ ହୋଇ ଚୈତ୍ର ମାସ ଶୁକ୍ଳପକ୍ଷ ସପ୍ତମୀ ଅଧରାତି ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଥାଏ । ଏଥିପାଇଁ ମହାପ୍ରଭୁଙ୍କର ସ୍ୱତନ୍ତ୍ର ମହାରଣାମାନେ କାର୍ଯ୍ୟ କରିଥାନ୍ତି । ରଥଖଳାରେ ରଥର ସମସ୍ତ କାର୍ଯ୍ୟକୁ କରିଥାନ୍ତି । ରଥଯାତ୍ରା ପୂର୍ବଦିନ ଭୋର ୪ଟାରୁ ମଙ୍ଗଳା ଆଳତୀ ଆରମ୍ଭ ହୋଇ ଅବକାଶ ନୀତି, ରୋଷପାକ, ସାହାଣ ମେଲା ଦର୍ଶନ, ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ପୂଜା, ମା ଭୁବନେସ୍ୱରୀଙ୍କ ପୂଜା, ସକାଳ ଧୂପ, ଭୋଗ ମଣ୍ଡପ, ବେଶ ସଜ୍ଜା ଓ ଦିନ ୨ଟା ସୁଦ୍ଧା ମହାପ୍ରଭୁ ଲିଙ୍ଗରାଜ, ବାସୁଦେବ ଓ ମା ଭୁବନେଶ୍ୱରୀ ବା ରୁକୁଣାଙ୍କ ପହଣ୍ଡି ହୋଇଥାଏ । ଏହାପରେ ରଥ ଉପରେ ଚକ ପୂଜା, ଅଖ ପୂଜା, ଦ୍ୱାରପୂଜା, ଅଶ୍ୱପୂଜା, ଧ୍ୱଜାପୂଜା, ବ୍ରହ୍ମାପୂଜା ଓ ଛେରାପହଁରା ପ୍ରଭୃତି ପ୍ରାୟ ୧୨ପ୍ରକାରର ପୂଜା କରାଯାଇଥାଏ।