ତୁଟିବ ମହାନଦୀ ଜଳ ବିବାଦ! ଛତିଶଗଡ଼ରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଗତ ୪୦ ବର୍ଷ ହେଲା ବିବାଦ ଖୁବ ଶୀଘ୍ର ତୁଟିବ ବୋଲି ଅନିମାନ କରାଯାଉଛି । ଏହାର ସମାଧାନ ଲାଗି ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି। ଏହା ପରେ ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏକ ଟ୍ରିବ୍ୟୁାନାଲ ଗଠନ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶରେ ବିବାଦର ସମାଧାନ କରିବା ପାଇଁ କେନ୍ଦ୍ରୀୟ ଜଳ ବିବାଦ ନ୍ୟାୟାଧିକରଣ ଅର୍ଥାତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଟିମ୍‌ ଛତିଶଗଡ଼କୁ ପ୍ରଥମ ପର୍ଯ୍ୟାୟରେ ଗତ ୧୮ ତାରିଖରେ ଗସ୍ତ କରିଥିଲେ। ଏବେ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୩୦ ତାରିଖ ଠାରୁ ଏହି ଟ୍ରିବ୍ୟୁନାଲର ପ୍ରତିନିଧି ଦଳ ପୁଣି ଥରେ ଛତିଶଗଡ଼ ଗସ୍ତ କରିଛନ୍ତି। ଟିମ୍‌ ଆଜି ଦୁର୍ଗ ଜିଲ୍ଲାର କୁମ୍ଭାରୀ ଗସ୍ତ କରିଛନ୍ତି। ଏହା ପରେ ବିଲାସପୁର, ରାୟଗଡ଼ ଓ ଜାଞ୍ଜିଗିର-ଚାମ୍ପା ପହଞ୍ଚିବେ। କୁମ୍ଭାରୀ ଆନିକଟ, ହରଦୀ ଆନିକଟ ମହାନଦୀ, ଶିବିରୀନାରାୟଣ, ତାଲ‌ ଦେବରୀ ହସଦେବ, ଅର୍ପା ଭୌସାଝୋର ବା‌ଙ୍ଗୋ ପ୍ରକଳ୍ପ, ମିନୀମାତା, ଦର୍ରିବୈରାଜ, ଖୁଦରୀ, ବିରୌଲୀ ବସନ୍ତପୁର କଲମା ବ୍ୟାରେଜ, କେଲୋ ପ୍ରକଳ୍ପ ଗସ୍ତ ପରେ ରାୟଗଡ଼ରୁ ଝାରସୁଗୁଡ଼ା ପାଇଁ ବାହାରିବେ। ଓଡ଼ିଶା ସରକାରଙ୍କ ଅଭିଯୋଗ ଯେ, ମହାନଦୀର ଜଳ ଅଟକାଇ ଦିଆଯିବା ଦ୍ବାରା ଏଥିରୁ ରାଜ୍ୟବାସୀଙ୍କୁ ଅସୁବିଧା ହେଉଛି। ଓଡ଼ିଶାରେ ଜଳ ସଂକଟ ଭଳି ସମସ୍ୟା ଦେଖାଯାଇଛି। ଗ୍ରୀଷ୍ମଋତୁରେ ଭୂତଳ ଜଳ ହ୍ରାସ ପାଇବା କାରଣରୁ ଲୋକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି। ମହାନଦୀ ଜଳ ବିବାଦ ‌ନେଇ ଓଡ଼ିଶାରୁ ୨୨ ଜଣିଆ ଟିମ୍‌ ବିଲାସପୁର ପହଞ୍ଚିବେ। ଏହି ଟିମ୍‌ ୪ଦିନ ପର୍ଯ୍ୟନ୍ତ ମହାନଦୀ ଜଳ ବିବାଦ ନ୍ୟାୟାଧିକରଣର ସଦସ୍ୟଙ୍କ ସହିତ ରହିବେ।  ଏଥି ପାଇଁ ପ୍ରସ୍ତୁତି କରାଯାଇଛି। ସଦସ୍ୟ ବିଲାସପୁର ବ୍ୟତୀତ କୋରବା, ରାୟଗଡ଼ ଓ ଜାଞ୍ଜିଗିର-ଚାମ୍ପା ଜିଲ୍ଲାର ଜଳାଶୟ ଓ ନଦୀର ନିରୀକ୍ଷଣ କରିବେ ବୋଲି ଖାରଙ୍ଗ ଡିଭିଜନ ନିର୍ବାହୀ ଯନ୍ତ୍ରୀ ସତୀଶ ସରାଫ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୧୯୮୩ ମସିହାରେ ଆରମ୍ଭ ହୋଇଥିବା ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। କୋର୍ଟଙ୍କ ନିର୍ଦ୍ଦେଶରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରାଯାଇଛି। ନ୍ୟାୟିକ ଶୁଣାଣି ହୋଇଛି। କିନ୍ତୁ ବିବାଦର ସମାଧାନ ହୋଇପାରି ନାହିଁ। ମହାନଦୀର ଜଳସ୍ତରକୁ ‌ଦୃଷ୍ଟିରେ ରଖି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଏବେ ଉଭୟ ରାଜ୍ୟ ମଧ୍ୟରେ ଭାଗବଣ୍ଟାର ସମାଧାନ ପାଇଁ ବାଟ ଖୋଜୁଛି। ଓଡ଼ିଶା ସରକାର ୨୦୧୬ ନଭେମ୍ବର ୧୯ ତାରିଖରେ କେନ୍ଦ୍ରୀୟ ଜଳ ସମ୍ବଳ ମନ୍ତ୍ରାଳୟକୁ ନଦୀରେ ଜଳସ୍ତର ହ୍ରାସ ପାଇବା ଏବଂ ନଦୀର ତଳପଟରେ ସୁଖିବା ନେଇ ଅଭିଯୋଗ କରିଥିଲେ। ଏହା ବ୍ୟତୀତ କେନ୍ଦ୍ର ସରକାର ଦ୍ବାରା ଉଭୟ ରାଜ୍ୟ ମଧ୍ୟରେ ସହମତି ନ ହୋଇପାରିବା କାରଣରୁ ମହାନଦୀ ଜଳକୁ ନେଇ ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଏକ ନ୍ୟାୟାଧିକରଣ କମିଟି ଗଠନ କରିଥିଲେ। ଏଥିରେ ସୁପ୍ରିମକୋର୍ଟଙ୍କ ଚେୟାରମ୍ୟାନ ଜଷ୍ଟିସ ଏଏମ୍‌ ଖାନଭିଲକର, ଜଷ୍ଟିସ ରବି ରଂଜନ, ଜଷ୍ଟିସ ଇନ୍ଦରମୀତ କୌର କୋଛର, ସଂଜୀବ ଅଗ୍ରୱାଲ, ବିଜୟ କୁମାର ଦ୍ବିବେଦୀ ସାମିଲ ଅଛନ୍ତି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗସ୍ତକୁ ନେଇ ଛତିଶଗଡ଼ର ବିଶେଷଜ୍ଞ ତଥା ବରିଷ୍ଠ ଅଧିକାରୀ ସତର୍କ ଅଛନ୍ତି। ଟିମ୍‌ର ପ୍ରଶ୍ନର ଉତ୍ତର ଦେବା ପାଇଁ ଛତିଶଗଡ଼ର ୨୨ ଜଣ ବରିଷ୍ଠ ଅଧିକାରୀ ଚୟନ କରାଯାଇଛି। ଏଥିରେ ବିଭାଗୀୟ ସଚିବ ଅନ୍ବଲଗନ ପି, ସ୍ବତନ୍ତ୍ର ସଚିବ ଅନୁରାଗ ପାଣ୍ଡେ, ବରିଷ୍ଠ ଆଇନଜୀବୀ ଏକେ ଗାଙ୍ଗୁଲି, କେକେ ଲହରୀ, ଜଗଜୀତ ସିଂହ ଛାବରା, ଟେକ୍ନିକାଲ ବିଶେଷଜ୍ଞ ଏନ୍‌କେ ମାଥୁର, ବିପ୍ଲବ ଚାଟାର୍ଜୀ, ଅନିଲ କୁମାର ଗୋୟଲ, ଡା ବାପୁଜୀରାଓ ବୋଡାପତି, ରାଜୀବ ବବୁଟା, ଅରୁଣକୁମାର ସରକାର, ଏଏଲ ରାଠୋର, ଭିକେ ଚତୁର୍ବେଦୀ, ଆରଏଲ ଧୁରନ୍ଧର, ପ୍ରମୁଖ ଯନ୍ତ୍ରୀ ଇନ୍ଦ୍ରଜିତ ଉଇକେ, ମୁଖ୍ୟ ଯନ୍ତ୍ରୀ ଆରକେ ନଗରିଆ, ଅଧୀକ୍ଷଣ ଯନ୍ତ୍ରୀ ଆରଏସ୍‌ ନାଇଡୁ, ପ୍ରଣବ କୁମାର ପାଳ, ନିର୍ବାହୀ ଯନ୍ତ୍ରୀ ଗରିଆବନ୍ଧ ଏସ୍‌କେ ବର୍ମନ, ଆଶୁତୋଷ ସାରସ୍ବତ ପ୍ରମୁଖ ଏଥିରେ ସାମିଲ ଅଛନ୍ତି ।

Leave A Reply

Your email address will not be published.