ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କାଲିଠୁ ବିଜେପିର ବିଧିବଦ୍ଧ ଭାବେ ପ୍ରଚାର ବିଗୁଲ ଫୁଙ୍ଖିବେ। ଅପରାହ୍ଣ ସାଢ଼େ ୩ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ ଶାହ। ସେଠାରୁ ସୋନପୁର ଯାଇ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ। ଏହାସହ ଜନସଭାରେ ଉଦବୋଧନ ଦେବେ ଶାହ।
ଏହି ଅବସରରେ ସେ ଏଠାରେ ଦଳର ଅନ୍ୟ କର୍ମକର୍ତ୍ତାମାନଙ୍କ ସହିତ ନିର୍ବାଚନୀ ରଣନୀତି ସମ୍ପର୍କରେ ଆଲୋଚନା କରିବେ ବୋଲି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମରେ ଅମିତ ଶାହଙ୍କ ନିର୍ବାଚନୀ ସଭା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଉଚ୍ଚପଦସ୍ଥ ପୁଲିସ୍ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଶାହ ସୋନପୁରରେ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଆସିବେ। ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ସହ ବୈଠକ କରିବେ। ଓଡ଼ିଶାରେ ବିଜେପି ପୂରା ଦମ୍ରେ ପ୍ରଚାର କରିବ। ଏନେଇ ବିଜେପି ୪୦ଜଣ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରମୁଖ ପ୍ରଚାର ମଙ୍ଗ ଧରିବେ। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ କିଛିଦିନ ବାକିଥିବା ଥିବାବେଳେ ସରଗରମ ହେଲାଣି ରାଜନୀତି। ସବୁଦଳର ନେତାମାନେ ସେମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି। କଂଗ୍ରେସ, ବିଜେପି ଓ ବିଜେଡିର ଷ୍ଟାର ପ୍ରଚାରକୁ ତାଲିକା ପ୍ରକାଶ କରିବା ସହ ପ୍ରଚାରରେ ଲାଗି ପଡ଼ିଛନ୍ତି।