ମୟୂରଭଞ୍ଜ ଜିଲ୍ଲାରେ ପ୍ରାଣୀ ଚିକିତ୍ସା ଠପ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଓଡିଶା ପ୍ରାଣୀ ଚିକିତ୍ସା ସଂଘ ଡାକରାରେ ସମ୍ପୂର୍ଣ୍ଣ ଓଡିଶାର ୧୩୦୦ ପ୍ରାଣୀ ଡାକ୍ତରମାନେ ସମୂହ ଛୁଟି ନେଇ ଦୀର୍ଘ ୧୫ଦିନରୁ ଉର୍ଦ୍ଧ୍ବ ସମୟ ହେଲା ଆନ୍ଦୋଳନରେ ବସିଛନ୍ତି। ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ପ୍ରାଣୀ ଚିକିତ୍ସା ଠପ ହୋଇଯାଇଛି । ଚିକିତ୍ସା ଅଭାବରୁ ନାନା ଅଜଣା ରୋଗରେ ଗୋରୁଗାଈ, ଛେଳି କୁକୁଡ଼ା ମରୁଥିବାରୁ ହତାଶ ହୋଇ ବହୁ କ୍ଷୁଦ୍ର ପ୍ରାଣୀ ଉଦ୍ୟୋଗୀ ମୟୂରଭଞ୍ଜ ଜିଲାପାଳଙ୍କ ଅଫିସରେ ମଲା ଗାଇ ଓ କୁକୁଡ଼ା ଧରି ପ୍ରତିବାଦ ଜଣାଇଛନ୍ତି |

ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକର ପ୍ରାୟ ୭ ଲକ୍ଷ ଗୋରୁଗାଇ, ସାଢେ ଦଶଲକ୍ଷ ଛେଳି, ଲକ୍ଷେ ମେଣ୍ଢା, ୧୮ ହଜାର ଘୁଷୁରି, ୧୮ ହଜାର କୁକୁର ଓ ୩୦ ଲକ୍ଷ କୁକୁଡାଙ୍କ ଜୀବନ ଏବେ ବିପର୍ଯ୍ୟସ୍ତ ହୋଇ ଉଠିଥିବା ବେଳେ, ହଜାର ହଜାର ଗରିବ ଲୋକ ଯେଉଁମାନେ କି ସାରକାରଙ୍କ ଦ୍ବାରା ବିଭିନ୍ନ ସବସିଡି ମାଧ୍ୟମରେ ଉପକୃତ ହେଉଥିଲେ ସେମାନେ ଜିଲ୍ଲା ଅଫିସରୁ ଟଙ୍କା ନପାଇ ହଇରାଣ ହେଉଛନ୍ତି। ଗାଈଗୋରୁ ମରିଗଲେ ପୋଷ୍ଟମର୍ଟମ କରିବା ପାଇଁ ଡାକ୍ତର ନାହାନ୍ତି। ଫଳରେ ବୀମା ରାଶି ମଧ୍ୟ ଲୋକଙ୍କୁ ମିଳିପାରୁନାହିଁ । ଗରିବ ପ୍ରାଣୀପାଳକ ମାନେ ସେମାନଙ୍କ ଗୃହପାଳିତ ପ୍ରାଣୀ ମାନଙ୍କୁ ଡାକ୍ତରଖାନା ଆଣି ଚିକିତ୍ସା ନପାଇ ପାଟିତୁଣ୍ଡ କରି ଫେରାଇ ନେଇ ଯାଉଛନ୍ତି।

ସେହିପରି ଲୋନ ନେଇ ବେକାର ଯୁବକ ମାନେ କୁକୁଡ଼ା ଫାର୍ମ କରି ଆତ୍ମନିର୍ଭରଶିଳ ହେବାକୁ ପ୍ରୟାସ କରୁଥିବା ବେଳେ, ପ୍ରାଣୀ ଡାକ୍ତର ମାନେ ସମୂହ ଛୁଟିରେ ଥିବାରୁ ଏବେ ଚିକିତ୍ସା ଅଭାବରୁ ନାନା ଅଜଣା ରୋଗରେ ଗୃହପାଳିତ ପଶୁ ପକ୍ଷୀ ମରୁଥୁବାରୁ ହତାଶ ହୋଇ ଆଜି ବହୁ କ୍ଷୁଦ୍ର ପ୍ରାଣୀ ଉଦ୍ୟୋଗୀ ମୟୂରଭଞ୍ଜ ଜିଲାପାଳଙ୍କ ଅଫିସରେ ପ୍ରତିବାଦ ଜଣାଇଥିବାର ଦେଖା ଯାଇଛି । ତେଣୁ ସରକାର ଯଥାଶୀଘ୍ର ପ୍ରାଣୀ ଡାକ୍ତରଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ ଓ ଜିଲ୍ଲାର ପ୍ରାଣୀଚିକିତ୍ସାକୁ ସୁଗମ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହେଉଛି।

Leave A Reply

Your email address will not be published.