ବାରିପଦାରେ ଜବତ ଧଳା ଜହର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିର୍ବାଚନ ପୂର୍ବରୁ ବ୍ରାଉନ ସୁଗାର ଭଳି ମାରାତ୍ମକ ନିଶା କାରବାରକୁ ରୋକ ଦେବାରେ ଅବକାରୀ ବିଭାଗ ସଫଳ ହୋଇଛି। ବାରିପଦା ସହରରେ ଦିନକୁ ଦିନ କାୟା ବିସ୍ତାର କରି ଯୁବ ସମାଜକୁ କବଳିତ କରୁଥିବା ଉକ୍ତ ବ୍ରାଉନ ସୁଗାରକୁ ବାରିପଦା ଦେବେନ୍ଦ୍ରପୁର ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ବ୍ରାଉନସୁଗର ଜବତ କରିଛି। ଏହା ସହିତ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତ ମାନେ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ତକତପୁର ଅଞ୍ଚଳର ଭିଆଇପି କଲୋନିର ଶମ୍ଭୁ ମୁଖି(୩୫) ଓ ମନୋଜ କୁମାର ଦାସ (୨୨)। ତାଙ୍କ ଠାରୁ ୧୭୦.୦୬ଗ୍ରାମ ବ୍ରାଉନସୁଗର ଓ ଏକ ଅଟୋକୁ ଜବତ କରାଯାଇଛି। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଅବୈଧ ନିଶା କାରବାର ରୋକିବା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି। ବ୍ରାଉନ ସୁଗାର କାରବାର ନେଇ ବାରିପଦା ଅବକାରୀ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର କଁହରଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଚଢ଼ାଉ କରିଥିଲା। ଅଭିଯୁକ୍ତ ଦ୍ୱୟ ବାଲେଶ୍ୱରରୁ ଏକ ଅଟୋରେ ବ୍ରାଉନସୁଗର ଧରି ବାରିପଦାର ତକତପୁରକୁ ଆସୁଥିଲେ। ସଦର ଅବକାରୀ ଥାନା ଇନିସପେକ୍ଟର ସ୍ୱପ୍ନାରାଣୀ ସାହୁ ଓ ଅତିରିକ୍ତ ଅବକାରୀ ଏସପି ତପସ୍ୱିନୀ ନାୟକଙ୍କ ନେତୃତ୍ୱରେ ଏକ ଟିମ ଦେବେନ୍ଦ୍ରପୁର ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାର ଛକ ନିକଟରେ ଚଢାଉ କରି ଅଟୋକୁ ଅଟକାଇ ଯାଞ୍ଚ କରିଥିଲେ। ବୁରା ମଧ୍ୟରୁ ଦୁଇ ଗୋଟି ପ୍ୟାକେଟରୁ ୧୭୦.୦୬ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି।

ଉକ୍ତ ବ୍ରାଉନସୁଗର ଚାଲାଣରେ ସମ୍ପୃକ୍ତ ଥିବା ରାକେଟର ଅନ୍ୟ ସଦସ୍ୟକୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା କେଶ ନମ୍ବର ୧୮/୨୪ରେ ଏକ ମାମଲା ରୁଜୁ କରି ଦୁଇ ଜଣକୁ କୋର୍ଟ ଚାଲାଣ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଉକ୍ତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୭ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ସୂଚନା ମିଳିଛି। ତେବେ ଦିନକୁ ଦିନ ବାରିପଦା ସହରରେ ଉକ୍ତ କାରବାର ବ୍ୟାପକ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି। ବ୍ରାଉନସୁଗାର ନିଶାରେ କବଳିତ ହୋଇ ଯୁବପିଢ଼ି ନାନା ଆପରାଧିକ କାର୍ଯ୍ୟକଳାପ କରୁଛନ୍ତି। ତେବେ ଧଳା ଜହର ବେପାରର ଚେର ବାରିପଦାକୁ କିପରି ଲମ୍ବିବାରେ ଲାଗିଛି ତାହାର ତଦନ୍ତ କରି ଧଳା ଜହର ବେପାରର କିଙ୍ଗପିନକୁ ଗିରଫ କରି ବେପାରର ମୂଳପୋଛ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.