କାହିଁକି ହୁଏ ‘ଅଧରପଣା’ ନୀତି, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ବ ?

0

ପୁରୀ(ଓଡ଼ିଆ ନ୍ୟୁଜ୍‌):‘ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ବିଶେଷ ନୀତି ହେଉଛି ‘ଅଧରପଣା’ । ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ରଥା ରୂଢ଼ ତିନି ଠାକୁରଙ୍କ ଅଧରକୁ ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ । ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ରଥର ବିଜେ ପ୍ରତିମା ଶ୍ରୀମଦନମୋହନ ଓ ଶ୍ରୀବଳଭଦ୍ରଙ୍କ ରଥର ବିଜେପ୍ରତିମା ରାମ ଓ କୃଷ୍ଣଙ୍କୁ ମଧ୍ୟ ଆଉ ତିନିଟି ଛୋଟ ପଣାହାଣ୍ଡି ଭୋଗ ଲାଗୁଥିଲା । କିନ୍ତୁ ଏବେ ତିନିଟି ଲେଖାଏଁ ମୋଟ ନଅଟି ପଣାହାଣ୍ଡି ଭୋଗ ଲାଗୁଛି । ଏହି ପଣାଭୋଗର ବିଶେଷତ୍ୱ ହେଉଛି, ଭୋଗ ପରେ ଏହି ପଣାହାଣ୍ଡିଗୁଡ଼ିକୁ ପଣା ଥିବା ଅବସ୍ଥାରେ ଭାଙ୍ଗିଦିଆଯାଏ ।

ଅଧରପଣା ଭୋଗ ପ୍ରଚଳନର ପ୍ର୍ରାଚୀନତା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନଥିଲେ ମଧ୍ୟ ଅଧରପଣା ନିମନ୍ତେ ଆବଶ୍ୟକୀୟ ସାମଗ୍ରୀ ରାଘବ ଦାସ ମଠ, ଓଡ଼ିଆ ମଠ ଦ୍ୱାରା ଓ ଗଜପତି ମହାରାଜଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିଲା । ଏଥି ପାଇଁ କ୍ଷୀର, ସର, ଛେନା, ସାଚି, ପାଚିଲା କଦଳୀ, ଗୋଲମରିଚ, ଜାଇଫଳ, କର୍ପୁର, ଜଳ ଆଦି ୯ ଗୋଟି ଦବ୍ୟ ଆବଶ୍ୟକ ହୋଇଥାଏ । ଏହି ନୀତିର ସୁପରିଚାଳନା ନିମନ୍ତେ କିଛି ଜମି ମଧ୍ୟ ମଠ ମାନଙ୍କୁ ଦିଆଯାଇଥିଲା । ହେଲେ ଶ୍ରୀମନ୍ଦିର ଦାୟିତ୍ୱ ସରକାରଙ୍କ ହାତକୁ ଯିବାପରେ ଏବେ ଏହାକୁ ଯୋଗାଇ ଆସୁଛି ପ୍ରଶାସନ । ଶ୍ରୀଜିଉମାନେ ବାହୁଡା ଯାତ୍ରା ଜନିକ କ୍ଲାନ୍ତି ମେଣ୍ଟାଇବା ପାଇଁ ଏହି ପଣା ଭୋଗ ଲଗାଯାଇଥାଏ । ଏହାପରେ ପାଶ୍ୱର୍ଦେବତା ଓ ଅନ୍ୟାନ୍ୟ ଚଣ୍ଡିଚାମଣ୍ଡା ଓ ଅଶରୀରୀଙ୍କ ସନ୍ତୋଷ ବିଧାନ ଉଦ୍ଦେଶ୍ୟରେ ରଥ ଉପରେ ହିଁ ପଣା ହାଣ୍ଡିକୁ ଭାଙ୍ଗିଦିଆଯାଇଥାଏ । ଇଏ ଥିଲା ମହାପ୍ରଭୁଙ୍କ ଅଧର ପଣା ନୀତି ।

Leave A Reply

Your email address will not be published.