ବନବିଭାଗ ପକ୍ଷରୁ ବିଶ୍ୱ ବନଦିବସ ପାଳିତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାରିପଦା ବନଖଣ୍ଡ କାର୍ଯ୍ୟାଳୟର ସଙ୍କଳ୍ପ ଭବନରେ ଗୁରୁବାର ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବନାଗ୍ନି ରୋକିବାକୁ ନେଇ ଶିମିଳିପାଳ ବଞ୍ଚିଲେ ଆମେ ବଞ୍ଚିବୁ ବାର୍ତା ନେଇ ଜନସାଧାରଣଙ୍କୁ ସଚେତନତା ଅଭିଯାନ କରାଯାଇଥିଲା । ନବନିଯୁକ୍ତ ବାରିପଦା ବନଖଣ୍ଡ ଅଧିକାରୀ ଆମାଜୁରେ ଉମା ମହେଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରଞ୍ଜିଆ ଡିଏଫଓ ସୁବ୍ରତ ପାତ୍ର, ରାଇରଙ୍ଗପୁର ଏସିଏଫ ରଞ୍ଜନ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

ପ୍ରାରମ୍ଭରେ ସ୍ଥାନୀୟ ମଞ୍ଚାବନ୍ଧା ଠାରେ ସହିଦ ବନ କର୍ମଚାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅଧିକାରୀମାନେ ପହଞ୍ଚି ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପ୍ରତିବର୍ଷ ଭଳି ବୃକ୍ଷ ରୋପଣ ତଥା ଜଙ୍ଗଲ ସୃଷ୍ଟି କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ୟକ୍ତି ବିଶେଷ ଓ ବନ ସୁରକ୍ଷା ସମିତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବାରିପଦା ଡିଭିଜନ ଅଧୀନରେ ଥିବା ବଣକାଟି ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ଓ ବହଳଦା ସ୍ଥିତ ଶାନ୍ତି ନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟ, କରଞ୍ଜିଆ ଡିଭିଜନ ଅଧିନରେ ଥିବା ସିଙ୍ଗାରପୁର ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ରାଇରଙ୍ଗପୁର ଡିଭିଜନ ଅଧୀନରେ ଥିବା ଠାକୁରମୁଣ୍ଡା ସରକାରୀ ଉପ୍ରା ବିଦ୍ୟାଳୟକୁ ୧୦ହଜାର ଟଙ୍କା ଲେଖାଏଁ ମୋଟ ୪୦ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ସେହିପରି ବାରିପଦା ଡିଭିଜନ ଅଧିନରେ ଥିବା ଝାରପୋଖରିଆ ଓ ବଡ ଗୁଡୁଗୁଡିଆ ଗ୍ରାମ ପଂଚାୟତ, ରାଇରଙ୍ଗପୁର ଡିଭିଜନ ଅଧୀନ ଉପରବେଡା ଗ୍ରାମ ପଂଚାୟତ ଏବଂ କରଞ୍ଜିଆ ଡିଭିଜନ ଅଧିନରେ ଥିବା ତାରାମରା ଗ୍ରାମ ପଂଚାୟତକୁ ୨୦ହଜାର ଟଙ୍କା ଲେଖାଏଁ ମୋଟ ୮୦ହଜାର ଟଙ୍କା ପ୍ରଦାନ କରାଯାଇଛି । ଅତିରିକ୍ତ ବନ ସଂରକ୍ଷକ ରବି ନାରାୟଣ ମହାନ୍ତି ମଞ୍ଚ ପରିଚଳାନା କରିଥିଲେ ।

Leave A Reply

Your email address will not be published.