ହିରୋସୀମାରେ ମୋଦିଙ୍କୁ ଭେଟିବେ ଜେଲେନସ୍କି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଜାପାନର ହିରୋସିମାଠାରେ ଚାଲିଛି ଜି-୭ ଶିଖର ସମ୍ମିଳନୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କୁ ଭେଟିବାର ସମ୍ଭାବନା ରହିଛି । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଦୁଇ ନେତା ପରସ୍ପରକୁ ଭେଟିବେ । ୟୁକ୍ରେନର ରାଷ୍ଟ୍ରପତି  ଜେଲେନସ୍କି ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ ଏବଂ ଶନିବାର ହିରୋସିମାରେ ପହଞ୍ଚିବେ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିରୋସିମାରେ ପହଞ୍ଚିସାରିଛନ୍ତି ଯେଉଁଠାରେ ସେ ଜି-୭ ନେତାଙ୍କୁ ଭେଟିବା ସହ କ୍ୱାଡ୍ ଲିଡରସିପ୍ ଶିଖର ସମ୍ମିଳନୀରେ ଯୋଗ ଦେବେ ।

ଚଳିତ ବର୍ଷ ପ୍ରାରମ୍ଭରେ ୟୁକ୍ରେନର ଉପବୈଦେଶିକ ମନ୍ତ୍ରୀ ଏମିନ ଜାପାରୋଭା ନୂଆଦିଲ୍ଲୀ ଗସ୍ତ କରି ୟୁକ୍ରେନର ଶାନ୍ତି ଯୋଜନାକୁ ସମର୍ଥନ କରିବାକୁ ଭାରତକୁ ଅନୁରୋଧ କରିଥିଲେ । ଏହା ସହିତ ଭାରତରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗ ଦେବାକୁ ଜେଲେନସ୍କିଙ୍କୁ ଆମନ୍ତ୍ରଣ କରିବାକୁ ସେ ଅନୁରୋଧ କରିଥିଲେ । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଥରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି । ସେପ୍ଟେମ୍ବର ୨୦୨୨ରେ ଉଜ୍ବେକିସ୍ତାନର ସମରକନ୍ଦରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ଅବସରରେ ସେ ପୁଟିନଙ୍କୁ ଭେଟିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଥିଲେ ଯେ ଏହା ଯୁଦ୍ଧର ଯୁଗ ନୁହେଁ।

Leave A Reply

Your email address will not be published.