ଓଡ଼ିଆ ନ୍ୟୁଜ୍: ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ୨ ପୁଲିସ ଗୁରୁତର। ବୌଦ୍ଧ ଜିଲ୍ଲାର ହାଟଗାଁ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଦୁଇଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ପୁଲିସ କର୍ମଚାରୀ ଟାଙ୍ଗିଆ ଚୋଟରେ ଗୁରୁତର ହୋଇଥିବାବେଳେ ଅନ୍ୟଜଣ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ପାଞ୍ଚଜଣିଆ ପୁଲିସ ଟିମ୍ ଗଞ୍ଜେଇ ଚାଷ ଓ କାରବାର ବିରୋଧରେ ଚଢ଼ାଉ କରିବାକୁ ଯାଇଥିବାବେଳେ ଗଞ୍ଜେଇ ମାଫିଆମାନେ ସେମାନଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲେ।
ଟାଙ୍ଗିଆରେ ଆକ୍ରମଣ ହେବାରୁ ଜଣେ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ପୁଲିସ ପକ୍ଷରୁ ଅଞ୍ଚଳରେ ବ୍ୟାପକ ତଦନ୍ତ ଆରମ୍ଭ କରାଯାଇଛି। ଏହି ଘଟଣାକୁ ନେଇ ପ୍ରାୟ ୨୦ରୁ ୨୫ ଜଣ ଗ୍ରାମବାସୀଙ୍କୁ ପଚରାଉଚରା ପାଇଁ ଥାନାରେ ଅଟକ ରଖାଯାଇଛି। ଆକ୍ରମଣରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଛାନଭିନ୍ ଜୋରଦାର କରିଛି। ଏହି ଘଟଣା ପରେ ବୌଦ୍ଧ ହାଟଗାଁ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।