ପୁରୀ(ଓଡ଼ିଆ ନ୍ୟୁଜ୍): ଦୀର୍ଘ ଦିନର ଅସୁସ୍ଥତା ପରେ ଅଣସର ଘରେ ଦଶ ମୋଦକ ଖାଇ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଗତକାଲି ଏ ସମ୍ପର୍କରେ ଗଜପତି ମହାରାଜାଙ୍କୁ ବି ସୂଚନା ଦେଇ ସାରିଛନ୍ତି ଦଇତା ସେବକ। ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ବି ନିବେଦନ କରିଛନ୍ତି ସେବକଗଣ। ରବିବାର ଶ୍ରୀମନ୍ଦିରରେ ଘଣାଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ବିଳମ୍ବିତ ରାତିରୁ ଦଇତାପତି ସେବକମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ନୀତିକାନ୍ତି ଚାଲିବ।
ଅନ୍ୟପଟେ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର ପାଇଁ ଶୁଦ୍ଧ ସୁଆର ସେବକଙ୍କ ଘରୁ ଖଳିପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଏଥିସହ ଖଡ଼ି ପ୍ରସାଦ ଲାଗି ନୀତି ବି ଅନୁଷ୍ଠିତ ହେବ। ଆଜି ଶୁଦ୍ଧ ସୁଆର ସେବକଙ୍କ ଘରୁ ଦିବ୍ୟ ପ୍ରଲେପ ‘ଖଳିପ୍ରସାଦ’ ବିଜେ କରିବ। ଶ୍ରୀମନ୍ଦିରରୁ ନିମନ୍ତ୍ରଣ ପାଇବା ପରେ ଦୋଳମଣ୍ଡପସାହିରୁ ବିଜେ କାହାଳୀ ସହ ଶୋଭାଯାତ୍ରାରେ ଶୁଦ୍ଧ ସୁଆର ସେବକମାନେ ଶ୍ରୀମନ୍ଦିରକୁ ଖଳି ପ୍ରସାଦ ବିଜେ କରିବେ। ଘନ ଅନ୍ଧକାର ଭିତରେ ଶ୍ରୀମନ୍ଦିରରେ ଶୋଧ କାର୍ଯ୍ୟ ସମ୍ପନ୍ନ ହେବ।