ରଥ ସିଂହାସନ ଉପରେ କନକମୁଣ୍ଡି କାମ ଶେଷ ପର୍ଯ୍ୟାୟରେ, ଧ୍ୱଜବତାରେ ଲାଗିବ ଆଜ୍ଞାମାଳ

0

ପୁରୀ(ଓଡ଼ିଆ ନ୍ୟୁଜ୍): ଆଉ ଦିନ କେଇଟା ପରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ଏନେଇଥ ରଥ ନିର୍ମାଣରେ ବ୍ୟସ୍ତ ବିଶ୍ଵକର୍ମା ସେବକ । ପ୍ରାୟ ଶେଷ ପର୍ଯ୍ୟାୟରେ ୩ ରଥ ନିର୍ମାଣ କାର୍ଯ୍ୟ।ଶନିବାର ରଥରେ ଦୁଆରଘଡ଼ାକୁ ମଜଭୁତ କରିବାକୁ ଧ୍ୱଜବତା ଲଗାଯାଇଛି। ଏଥିରେ ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ସ୍ଥାପନ ହେବ । ଛଅ କାଠରେ ପିଟା ହୋଇଛି ଧ୍ୱଜବତା । ତିନି ରଥରେ ୪ଟି କରି ୧୨ ଟି ଧ୍ୱଜବତା ଲାଗିଛି। ଏଥିସହ ରଥରେ ମଣ୍ଡଣି ବତା ଲଗାଯାଇଛି । ରଥମାନଙ୍କରେ କଣଫାଉଡା ଲାଗିଥିଲା । ପ୍ରତି ଭୂଇଁର ତିନି କୋଣରେ ୧୨ଟି କଣଫାଉଡ଼ା ଲାଗିଲା । ସେଥିରେ ମଣ୍ଡଣି ବତା ଲଗାଯାଇଛି । ରଥରେ କନାମଣ୍ଡଣିରେ ଏହା ସହାୟକ ହେବ । ଏହାଯୋଗୁ ରଥ ହୃଷ୍ଟପୁଷ୍ଟ ଓ ସୁନ୍ଦର ହେଖାଯିବ ।

ରଥର ଚାରିପଟେ ଠେକରାବାଡ ଲାଗିବ। ରଥ ଉପରେ ଅଁଳାଶ୍ରୀ ଲଗାଇ ରଥ ରକ୍ଷକଙ୍କୁ ସ୍ଥାପନ କରାଗଲେ ରଥକାମ ସରିବ ବୋଲି ବିଶ୍ୱକର୍ମାମାନେ କହିଛନ୍ତି । ଏବେ ରଥ ଉପରେ ଠାକୁରମାନଙ୍କ ସିଂହାସନ କାମ ଜାରି ରହିଛି । ବିଶ୍ୱକର୍ମାମାନେ ପଟା ବାଡ଼େଇ ସିଂହାସନ ବୁଜିଛନ୍ତି । ବୁଜା ସ୍ଥାନରେ ଗାଈପଲ ଚିତ୍ର ହେବ । ପୂର୍ବରୁ ଧମକ ଉପରେ ଜଗତପୃଷ୍ଠଶ୍ରେଣୀ ରଖିଥିଲେ । ତା’ଉପରେ ପଟା ପଡି ସିଂହାସନ ପରିଛା ପଡିଲା । ପୁଣି ପଟା ପଡି ଚକା ପଡିବ । ଚକାବେଦିରେ ଠାକୁରେ ଅବସ୍ଥାନ କରିବେ । ବେଦି ପଛପଟେ ରହିବ ପ୍ରଭା । ପ୍ରଥମେ ବିଶ୍ୱକର୍ମାମାନେ ପ୍ରଭାକାମ ସାରିଥିଲେ ।

ରୂପକାରମାନେ ପ୍ରଭାରେ କୀର୍ତ୍ତିମୁଖ ଓ ଉଭୟପାଶ୍ୱର୍ରେ ମଗରମୁଣ୍ଡ କରୁଛନ୍ତି । ସିଂହାସନ ଉପରେ କନକମୁଣ୍ଡି କାମ ଶେଷ ପର୍ଯ୍ୟାୟରେ । କନକମୁଣ୍ଡିରେ ପିତଳ ଚାଦର ବୁଲିବ । ଯେପରି ରଥରେ ଅବସ୍ଥାନ ସମୟରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଓଦା ହେବ ନାହିଁ। କମାର ସେବକମାନେ ଧୂଳିଦଣ୍ଡା କଣ୍ଟା, ଧ୍ୱଜବତା କଣ୍ଟା ତିଆରି ରଥ ଖଳାକୁ ଯୋଗାଇଥିଲେ । ଓଲଟ ଶୁଆ ଫିଟିଂ ପାଇଁ ନାରାଜ କଣ୍ଟା ୧୨ ଓ କଳସ ଫିଟିଂ ପାଇଁ ବାଗିଆ କଣ୍ଟା ୩୬ଟି ତିଆରି କାର୍ଯ୍ୟ ଚାଲୁ ରଖିଛନ୍ତି ।

Leave A Reply

Your email address will not be published.