ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ବି ପ୍ରସ୍ତୁତ ଆଉ ପଥ ବି ପ୍ରସ୍ତୁତ । କେବଳ ଅପେକ୍ଷା ମହାପ୍ରଭୁଙ୍କୁ। ନୀଳକନ୍ଦରରୁ ବାହାରି ତାଳଧ୍ୱଜ ରଥରେ ବସି ୯ ଦିନ ପାଇଁ ମାଉସୀଘର ବୁଲିଯିବେ ବଡ଼ ଠାକୁର । କଳା ଠାକୁର ଶ୍ରୀ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ରଥ ଦେବ ଦଳନ ପରି ବଡ଼ଠାକୁରଙ୍କ ରଥ ତାଳଧ୍ୱଜର ମଧ୍ୟ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । କେହି କେହି ଏହି ରଥକୁ ଲଙ୍ଗଳ ଧ୍ୱଜ ବୋଲି ମଧ୍ୟ କହିଥାନ୍ତି। ଏହାର ନିର୍ମାଣ ପାଇଁ ବ୍ୟବହୃତ ହୋଇଥାଏ ମୋଟ୍ ୭୩୧ ଖଣ୍ଡ କାଠ। ୧୪ ଚକ ବିଶିଷ୍ଟ ଏହି ରଥରେ ପ୍ରତି ଚକର ବ୍ୟାସ ହେଉଛି ୬ଫୁଟ୍ ୦୬ ଇଞ୍ଚ୍। ଏହାର ଉଚ୍ଚତା ୪୫ ଫୁଟ୍। ତେବେ ଏହି ରଥର ରକ୍ଷକ ହେଉଛନ୍ତି ବାସୁଦେବ। ନନ୍ଦ ଓ ସୁନନ୍ଦ ହେଉଛନ୍ତି ଏହାର ଦ୍ୱାରପାଳ।
ପ୍ରଥମେ ବଡ଼ ଦିଅଁ ବଡ଼ଠାକୁର ତାଳଧ୍ୱଜରେ ଓ ଦେବୀ ସୁଭଦ୍ରା ଦେବ ଦଳନ ବା ଦର୍ପ ଦଳନରେ ବିଜେ ହେବା ପରେ ଶେଷରେ ଜଗତରନାଥ ଜଗନ୍ନାଥ ନନ୍ଦିଘୋଷରେ ବିଜେ କରନ୍ତି । ଏହାପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼େ ୩ ରଥ । ତେବେ ବଳଦେବଙ୍କ ଏହି ରଥ ଚଳାନ୍ତି ସାରଥୀ ମାତଳୀ । ଏହାର ଅସ୍ତ୍ର ହେଉଛି ହଳ ଓ ମୁସଳ। ଏହି ରଥରେ ଶଙ୍ଖ, ସୁଚିତ୍ର, ଅଙ୍ଗଦ ଓ ମେଘନାଦ ପ୍ରମୁଖ ୪ଟି ଘୋଡ଼ା ରହିଥାନ୍ତି। ସମସ୍ତ ଘୋଡ଼ାର ରଙ୍ଗ କଳା। ବଳଭଦ୍ରଙ୍କ ରଥ ଦଉଡ଼ିର ନାଁ ବାସୁକୀ। ଏହି ରଥର ରଙ୍ଗ ଲାଲ ଓ ସବୁଜ। ଏହି ରଥର ପତାକାର ନାମ ହେଉଛି ଉନ୍ନନି। ବଳଭଦ୍ରଙ୍କ ରଥରେ ପାର୍ଶ୍ୱଦେବା ଦେବୀଙ୍କ ମଧ୍ୟରେ ଅଛନ୍ତି ଗଣେଶ, କାର୍ତ୍ତିକେୟ, ସର୍ବ ମଙ୍ଗଳା, ମୃତ୍ୟୁଞ୍ଜୟ, ପ୍ରଳମ୍ବରୀ, ହଳଯୁଦ୍ଧା, ନଟମ୍ବର, ମୁକ୍ତେଶ୍ୱର ଓ ଶେଷ ଦେବ ପ୍ରମୁଖ ଦେବତା। ଏହି ରଥରେ ଋଷି ସମୂହଙ୍କ ମଧ୍ୟରେ ଅଛନ୍ତି କ୍ରତୁ, ପୁଲହ, ପୁଲସ୍ତ, ଅତ୍ରି ପ୍ରମୁଖ ଋଷି। ଏମିତି ଅନେକ ସ୍ୱତନ୍ତ୍ରତା ରହିଛି ବଳଦେବଙ୍କ ରଥ ତାଳଧ୍ୱଜରେ ।