ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ମନୋଭାବକୁ ପଦାରେ ପକାଇଛି ଏନସିଆରବି ରିପୋର୍ଟ-୨୦୨୧: ଅନୀତା ପଟ୍ଟନାୟକ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଗତକାଲି ପ୍ରକାଶ ପାଇଥିବା ଏନ୍‌ସିଆରବି ରିପୋର୍ଟ -୨୦୨୧ (ଜାତୀୟ କ୍ରାଇମ ରେକର୍ଡସ ବ୍ୟୁରୋ) ଓଡିଶାବାସୀଙ୍କ ପାଇଁ ଅତ୍ୟନ୍ତ ଚିନ୍ତାଜନକ । ୨୩ ବର୍ଷର ନିରୁଙ୍କଶ ଶାସନ ପରେ ମଧ୍ୟ ଓଡିଶାର ମା ଓ ଭଉଣୀମାନେ ନ୍ୟାୟ ପାଇବା ବର୍ତମାନ ଦିବା ସ୍ୱପ୍ନରେ ପରିଣତ ହୋଇଛି । ଅପରାଧିକ ସାମ୍ରାଜ୍ୟ ବୃଦ୍ଧି ପାଇଁ ଓଡିଶାରେ ଅପରାଧୀଙ୍କ ଭିତରେ ଆରମ୍ଭ ହୋଇଥିବା ପ୍ରତିଯୋଗିତାକୁ ରାଜ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି । ଯେଉଁଠି ମୁଖ୍ୟମନ୍ତ୍ରୀ ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ସାଙ୍ଗରେ ନେଇ ସଭା ଓ ବିଦେଶ ଯାତ୍ରା କରୁଛନ୍ତି, ସେଇଠି ଅପରାଧ ନିୟନ୍ତ୍ରଣ ଏବଂ ଦଣ୍ଡବିଧାନ ଆଶା ନିରର୍ଥକ । ଏପରିକି ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ ଏଭଳି ଅପରାଧିକ କାର୍ଯ୍ୟରେ ସଂପୃକ୍ତ ରହୁଛନ୍ତି ଏବଂ ମୁଖିଆ ସେମାନଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି । ରାଜ୍ୟରେ ଅପରାଧ କ୍ରମାଗତ ଭାବେ ବୃଦ୍ଧି ପାଇବା ଏବଂ ଦଣ୍ଡବିଧାନ ହାର ହ୍ରାସ ପାଇବାର ଏହା ହିଁ ମୁଖ୍ୟ କାରଣ ବୋଲି ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ କହିଛନ୍ତି ।

ନାରୀ ସଶକ୍ତିକରଣ ପାଇଁ ନାରୀଙ୍କ ସୁରକ୍ଷା ହେଉଛି ପ୍ରାଥମିକତା । କିନ୍ତୁ, ନାରୀ ସଶକ୍ତିକରଣର କଥା କହି ମିଛ ବାହାସ୍ପୋଟ ମାରୁଥିବା ରାଜ୍ୟ ସରକାର ମହିଳଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ । ଓଡିଶାରେ ମହିଳା ବିରୋଧୀ ହିଂସା କ୍ରମାଗତ ବୃଦ୍ଧି ପାଇଚାଲିଥିବାବେଳେ, ଦଣ୍ଡବିଧାନ ହାର କ୍ରମାଗତ ହ୍ରାସ ପାଇଚାଲିଛି । ୨୦୨୧ ମସିହାରେ ୧୪,୮୫୩ ମହିଳା ଉତ୍ପୀଡନ ମାମଲା ସହିତ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି ଓଡିଶା । ପୂର୍ବ ବର୍ଷ ୨୫,୪୮୯ ଟି ମହିଳାଙ୍କ ବିରୋଧ ଅପରାଧ ଘଟିଥିବାବେଳେ ୨୦୨୧ ମସିହାରେ ଏହି ସଂଖ୍ୟା ୩୧,୩୫୨କୁ ପହଂଚିବା ସହିତ ସର୍ବଭାରତୀୟ ସ୍ତରରେ ୫ମ ସ୍ଥାନରେ ଓଡିଶାର ରହିଛି । ମହିଳା ଅପହରଣ ୩୭ ପ୍ରତିଶତ; ମହିଳା ଅସଦାଚରଣ ୧୭.୮ ପ୍ରତିଶତ; ବଳାତ୍କାର ମାମଲା ୨୦.୨୩ ପ୍ରତିଶତ; ନାବାଳିକା ଯୈାନ ନିର୍ଯ୍ୟାତନା ୧୩.୩୫ ପ୍ରତିଶତ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତା ଓ ଲଜ୍ଜାଜନକ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

ଏନସିଆରବି ରିପୋର୍ଟ ଅନୁଯାୟୀ ଗତ ୫ ବର୍ଷରେ ୧୪,୭୫୩ ଶିଶୁ ନିଖୋଜ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ କେବଳ ଶିଶୁ କନ୍ୟାଙ୍କ ସଂଖ୍ୟ ହେଉଛି ୧୨,୧୯୯ । ସେହିଭଳି ନିଖୋଜ ଥିବା ଅନେକ ନିରୀହ ଶିଶୁର କୈାଣସି ପତା ମିଳୁନାହିଁ । ମା କୋଳ ଶୁନ୍ୟ ହୋଇଯାଇଛି । ୨୦୨୦ ମସିହା ଅଗଷ୍ଟ ମାସ ୯ ତାରିଖରେ (ଯେତେବେଳେ କରୋନା ସଂକଟ କାରଣରୁ ଲକ୍‌ଡାଉନ / ସଟ୍‌ଡାଉନ) ନିଖୋଜ ହୋଇଥିବା ବହୁଚର୍ଚ୍ଚିତ ୨ ବର୍ଷୀୟା ପିହୁର ଆଜି ପର୍ଯ୍ୟନ୍ତ କୈାଣସି ସନ୍ଧାନ ମିଳିଲା ନାହିଁ କି ପୋଲିସ ତରଫରୁ କୈାଣସି ତତ୍ପରତା ପ୍ରକାଶ ପାଇଲା ନାହିଁ । ବାଲ୍ୟ ବିବାହ ରୋକିବାରେ ରାଜ୍ୟ ସରକାର ବିଫଳ ହେବା ସହିତ ଦେଶରେ ୫ମ ସ୍ଥାନ ଅଧିକାର କରିଛି । ପରୀ, ମମିତା ହତ୍ୟା ଘଟଣା ଏବଂ ଏହାର ସତ୍ୟାସତ୍ୟକୁ ନେଇ ବର୍ତମାନ ସୁଦ୍ଧା ରାଜ୍ୟବାସୀଙ୍କ ମନରେ କ୍ଷୋଭ ରହିଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

କେବଳ ଯେ ମହିଳା ଓ ଶିଶୁ ନୁହନ୍ତି ବରଂ ଦଳିତ ଓ ଆଦିବାସୀ ବର୍ଗ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି । ଦଳିତଙ୍କ ବିରୋଧରେ ଅପରାଧ ୧୩.୭୩ ପ୍ରତିଶତ; ଆଦିବାସୀଙ୍କ ବିରୋଧରେ ଅପରାଧ ୮.୩୩ ପ୍ରତିଶତ ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତାଜନକ । ସାଇବର କ୍ରାଇମରେ ସମଗ୍ର ଦେଶରେ ଓଡିଶା ରାଜ୍ୟ କ୍ରମାଗତ ଭାବେ ପ୍ରଥମ ସ୍ଥାନ ହାସଲ କରୁଛି, କିନ୍ତୁ ରାଜ୍ୟ ସରକାର ଏହାକୁ ରୋକିବାରେ ସଂପୂର୍ଣ୍ଣ ବିଫଳ ହେବା ଅତ୍ୟନ୍ତ ଲଜ୍ଜାର ବିଷୟ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।ଏନସିଆରବି ରିପୋର୍ଟ ଅନୁଯାୟୀ ଗତ ବର୍ଷ ଦେଶରେ ୬୫୩୩ ଜଣଙ୍କ ଚାଲଣ ହୋଇଥିବାର ଅଭିଯୋଗ ହୋଇଥିବାବେଳେ ଓଡିଶାରୁ କେବଳ ୧୪୭୫ । ଏମାନଙ୍କ ଭିତରେ ୪୪୪ ମହିଳା ଓ ୪୯୭ ଶିଶୁ ରହିଛନ୍ତି । ରାଜ୍ୟରେ ୫,୦୬୨ ହତ୍ୟା ଉଦ୍ୟମ; ୨,୮୧୪ ଡକାୟତି; ୧,୪୧୧ ହତ୍ୟା; ୫,୬୩୦ ଅପହରଣ ମାମଲା ରୁଜୁ ହେବା ଏବଂ ପ୍ରତି ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇବା ରାଜ୍ୟ ଅରାଜକତାକୁ ସ୍ପଷ୍ଟ ପ୍ରମାଣିତ କରୁଛି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

ରାଜ୍ୟ ଗୃହ ବିଭାଗର ମୁଖ୍ୟ ହେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । କିନ୍ତୁ, ଗୃହ ବିଭାଗରେ ବହୁ ପଦବୀ ଖାଲି ପଡିଛି । ତଦନ୍ତ ପ୍ରକ୍ରିୟାରେ ଶାସକ ଦଳର ହସ୍ତକ୍ଷେପ ଦ୍ୱାରା ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ରାଜ୍ୟବାସୀ । ତୃଟିପୂର୍ଣ୍ଣ ବ୍ୟବସ୍ଥା ଓ ପକ୍ଷପାତିତା କାରଣରୁ ଲୋକେ ଆଇନ ବ୍ୟବସ୍ଥା ଉପରୁ ଆସ୍ଥା ହରାଇ ବସିଛନ୍ତି । ମହିଳା କ୍ଷେତ୍ରରେ ଦଣ୍ଡବିଧାନ ହାର ଜାତୀୟ ହାର ୨୬.୫ ପ୍ରତିଶତ ଥିବାବେଳେ, ଓଡିଶାରେ ମାତ୍ର ୮.୩ ପ୍ରତିଶତ । ପୂର୍ବ ବର୍ଷ ଏହି ହାର ଓଡିଶାରେ ୯.୩ ପ୍ରତିଶତ ଥିଲା । ସଦ୍ୟ ପ୍ରକାଶିତ ଏନସିଆବି ରିପୋର୍ଟ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ମନୋଭାବକୁ ପଦାରେ ପକାଇଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।ମହିଳା ଓ ଶିଶୁଙ୍କ ପାଇଁ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି ଓଡିଶା । ନିଜ ଅପାରଗତାକୁ ଲୁଚାଇବା ପାଇଁ ଶାସକ ବିଜେଡି ବିଭିନ୍ନ ସୁଆଙ୍ଗ କରୁଛି । ତଦନ୍ତ ପ୍ରକ୍ରିୟାରେ ହସ୍ତକ୍ଷେପ ନକରି ଏବଂ ଆଇନର ବାଟ ନ ଓଗାଳି ରାଜ୍ୟ ମୁଖିଆ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବାରେ ସହାୟକ ହୁଅନ୍ତୁ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.