ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଭାରତରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ବଢିବାରେ ଲାଗିଥିଲା । କିନ୍ତୁ ଦୈନିକ ସଂକ୍ରମଣରେ ରୋକ ଲାଗିଛି । ୧୨ ହଜାର ଉପରେ ଥିବା ସଂକ୍ରମଣ ମାମଲା ଏବେ ୮ ହଜାର ତଳକୁ ଖସିଛି । ଆଜି ଦେଶରେ ମାତ୍ର ୭,୫୩୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ଟିଭ କେସ୍ ୫୩,୮୫୨ରେ ପହଂଚିଛି । ସେହିପରି ଆଜି ୪୪ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଯାହାଫଳରେ ଭାରତରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୧,୪୬୮କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଦେଶରେ ୫୩,୮୫୨ଟି ଆକ୍ଟିଭ କେସ୍ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଦିନକରେ ଆଉ ୧୧,୦୪୭ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ଏବେ ଦେଶରେ ସୁସ୍ଥ ସଂଖ୍ୟା ୪,୪୩,୪୭,୦୨୪କୁ ବୃଦ୍ଧି ପାଇଛି। ଦୈନିକ ପଜିଟିଭ ରେଟ୍ ୩.୬୨ ପ୍ରତିଶତକୁ ଖସି ଆସିଛି । ସାପ୍ତାହିକ ପଜିଟିଭ ରେଟ୍ ୫.୧୧ ପ୍ରତିଶତ ରହିଛି । ସେହିପରି ଭାରତରେ କୋରୋନା ସୁସ୍ଥତା ହାର ୯୮.୬୯ ପ୍ରତିଶତ ଅଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୪,୭୭୫ ଜଣ କୋରୋନା ଟିକା ନେଇଛନ୍ତି ।
ସୂଚନା ଅନୁସାରେ କୋରୋନା ଟୀକାକରଣ ଆରମ୍ଭରୁ ଅଦ୍ୟାବିଧି ୨୨୦.୬୬ ଡୋଜ ଦିଆଯାଇଛି । ତାହାମଧ୍ୟରୁ ୯୫.୨୧ କୋଟି ଦ୍ୱିତୀୟ ଡୋଜ ରହିଥିବାବେଳେ ୨୨.୮୭ କୋଟି ଲୋକେ ବୁଷ୍ଟର ଡୋଜ ନେଇଛନ୍ତି । ସେହିପରି ମହାମାରୀ ପରଠାରୁ ସମୁଦାୟ ୯୨.୬୩ କୋଟି ଟେଷ୍ଟ କରାଯାଇଛି । କେବଳ ଗତ ୨୪ ଘଣ୍ଟାରେ ୨,୦୮,୧୧୨ କୋରୋନା ଟେଷ୍ଟ ହୋଇଛି ।