ବାଇଡେନ୍‌ଙ୍କୁ ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି: ଡୋନାଲ୍ଡ ଟ୍ରମ୍ପ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ୨୦୨୪ରେ ହେବାକୁ ଥିବା ନିର୍ବାଚନରେ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିବା ପରେ ତାତି ଉଠିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି, ଆମେରିକାର ଇତିହାସରେ ବାଇଡେନ୍ ‘ସବୁଠାରୁ ବଡ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି’ ଓ ‘ବିଫଳ ରାଷ୍ଟ୍ରପତି’ । ଆମେରିକାର ଫକ୍ସ ନ୍ୟୁଜ୍‌କୁ ଏକ ସାକ୍ଷାତାକାର ଦେଇ ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି, ଆମେରିକାର ୫ ଖରାପ ରାଷ୍ଟ୍ରପତିଙ୍କୁ ଯଦି ନିଆଯାଏ ତେବେ ବାଇଡେନ୍‌ ସେମାନଙ୍କ ତୁଳନାରେ ସବୁଠାରୁ ଉଚ୍ଚରେ । ଆମେରିକା ବେଆଇନ ପ୍ରବାସୀ ଓ ଅପରାଧୀଙ୍କ ଖତଗଦା ପାଲଟିଛି । ବାଇଡେନ୍‌ଙ୍କ ପାଇଁ ଆମେରିକାରେ ସମାଜିକ ବିପର୍ଯ୍ୟୟ ସୃଷ୍ଟି ହୋଇଛି ଓ ସେ ହିଁ ବିଶ୍ୱସ୍ତରରେ ଦେଶମାନଙ୍କୁ ଲାଞ୍ଛିତ କରୁଛନ୍ତି। ବାଇଡେନ୍‌ ହିଁ ସ୍ଥିତିକୁ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ନେବାର ନେତୃତ୍ୱ ନେଉଛନ୍ତି ବୋଲି ଟ୍ରମ୍ପ କହିଛନ୍ତି । ନିଜର ପକ୍ଷ ରଖି ଟ୍ରମ୍ପ କହିଛନ୍ତି ଯେ, ସେ ଯଦି କ୍ଷମତାରେ ଥାଆନ୍ତେ ତେବେ କେବେ ବି ରୁଷିଆ-ୟୁକ୍ରେନ୍ ଯୁଦ୍ଧ କରାଦେଇ ନଥାନ୍ତେ ।

ସୂଚନା ଥାଉକି, ଟ୍ରମ୍ପ ମଧ୍ୟ ୱାଇଟ୍‌ ହାଉସ୍ କ୍ଷମତା ଦଖଲ ପାଇଁ ୨୦୨୪ରେ ନିର୍ବାଚନ ଲଢ଼ିବେ ବୋଲି ଗତବର୍ଷରୁ ଘୋଷଣା କରି ସାରିଛନ୍ତି। ଦେଶରେ ଦରଦାମ୍ ବୃଦ୍ଧି ରୋକିବାରେ ଫେଲ ମାରିବା, ବେକାରି ସମସ୍ୟା ବୃଦ୍ଧି, ମାନ୍ଦାବସ୍ଥା, ଅଫଗାନିସ୍ତାନ କ୍ଷମତା ପ୍ରତ୍ୟାହାର ପ୍ରଭୃତି ପ୍ରସଙ୍ଗକୁ ନେଇ ସେ ବାଇଡେନ୍ ପ୍ରଶାସନକୁ ଟାର୍ଗେଟ କରି ଆସୁଛନ୍ତି। ତେବେ ବାଇଡେନ୍ କହିଛନ୍ତି କି, ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ସେ କେବଳ ନିର୍ବାଚନ ଲଢିବା କଥା ଘୋଷଣା କରିନାହାଁନ୍ତି । ଏହାସହ ସେ ନିର୍ବାଚନ ପ୍ରଚାର କମିଟି ମଧ୍ୟ ଘୋଷଣା କରିଛନ୍ତି । ଆମେରିକା ଗଣମାଧ୍ୟମ ମୁତାବକ ବାଇଡେନ ପୁଣିଥରେ ହ୍ୱାଇଟ ହାଉସରେ ବରିଷ୍ଠ ଅଧିକାରୀ ଓ ଦୀର୍ଘଦିନ ହେବ ଡେମୋକ୍ରାଟିକ ପାର୍ଟିର କାର୍ଯ୍ୟକର୍ତ୍ତା ଭାବେ କାମ କରୁଥିବା ଜୁଲି ଶାବେଜ ରୋଡ୍ରିଗ୍ଜଙ୍କୁ ନିର୍ବାଚନ ପ୍ରଚାରର ମୁଖ୍ୟ ଭାବେ ଘୋଷଣା କରିଛନ୍ତି । ଏହା ପୂର୍ବରୁ ୨୪ ତାରିଖରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସ୍ପଷ୍ଟ କରିଥିଲେ କି ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେପଟେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୨ ନଭେମ୍ବର ମାସରେ ଘୋଷଣା କରିଛନ୍ତି କି ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ତରଫରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି । କହିରଖୁ କି ଆମେରିକାର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ୨୦୨୪ ନଭେମ୍ବର ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।

Leave A Reply

Your email address will not be published.