ଏକତରଫା ପ୍ରେମ କରି ପେଟ୍ରୋଲ ଢାଳି ଯୁବତୀଙ୍କୁ ଜାଳିଦେଇଥିବା ଅଭିଯୋଗ

0

ଓଡ଼ିଆ ନ୍ୟୁଜ୍: ଏକତରଫା ପ୍ରେମ କରି ପେଟ୍ରୋଲ ଢାଳି ଯୁବତୀଙ୍କୁ ଜାଳିଦେଇଥିବା ଅଭିଯୋଗ। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ଜାରାଟୋଲି ଗାଁରେ ଏକତରଫା ପ୍ରେମକୁ ନେଇ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ଜଣେ ଯୁବତୀଙ୍କ ଶୋଇଥିବା ଘରର ଝରକା ଦେଇ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଯୁବତୀ ଗୁରୁତର ଭାବେ ପୋଡ଼ି ଯାଇଥିବା ବେଳେ ବର୍ତ୍ତମାନ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସୂଚନାନୁସାରେ, ସନ୍ତୋଷପୁର ପଞ୍ଚାୟତ ସମିତି ସଦସ୍ୟ ଜେନା ଟୋପ୍ପୋଙ୍କ ୨୬ ବର୍ଷୀୟା ଝିଅ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ନିଜ ଘରେ ଶୋଇଥିଲେ। ଅଭିଯୋଗ ଅନୁଯାୟୀ, ସେହି ସମୟରେ ଗାଁର ରଜତ କିରୋ ନାମକ ଜଣେ ଯୁବକ ଘରର ଝରକା ଦେଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।କିଛି ମୁହୂର୍ତ୍ତ ମଧ୍ୟରେ ନିଆଁ ଘର ଭିତରେ ବ୍ୟାପି ଯାଇଥିଲା। ଜୀବନ ବଞ୍ଚାଇବା ପାଇଁ ଯୁବତୀ ଚିତ୍କାର କରିବାରୁ ପରିବାର ଲୋକେ ଉଠି ପାଟି କରିଥିଲେ। ଶବ୍ଦ ଶୁଣି ଆଖପାଖର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।ଯୁବତୀଙ୍କ ପିତା ଜେନା ଟୋପ୍ପୋଙ୍କ କହିବା ଅନୁସାରେ, ପରିବାର ଓ ଗ୍ରାମବାସୀ ପାଣି ମୋଟର ସାହାଯ୍ୟରେ ଦୀର୍ଘ ସମୟର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଘରର ଆଜବେଷ୍ଟସ ଛାତ ସହ ଅନେକ ମୂଲ୍ୟବାନ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି।

ନିଆଁରେ ଯୁବତୀଙ୍କ ଶରୀରର ବହୁ ଅଂଶ ଗୁରୁତର ଭାବେ ପୋଡ଼ି ଯାଇଛି।ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବୁର୍ଲାକୁ ରେଫର କରିଥିଲେ। କିନ୍ତୁ ପରିବାରର ଅଭିଯୋଗ ଅନୁସାରେ, ବୁର୍ଲା ବର୍ଣ୍ଣ ସେଣ୍ଟରରେ ଶଯ୍ୟା ଉପଲବ୍ଧ ନଥିବାରୁ ଯୁବତୀଙ୍କୁ ବିନା ଚିକିତ୍ସାରେ ଫେରାଇ ଆଣିବାକୁ ପଡ଼ିଥିଲା। ପରେ ଶନିବାର ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ତାଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ସେଠାରେ ଯୁବତୀଙ୍କ ଚିକିତ୍ସା ଚାଲିଛି। ପରିବାର ଲୋକଙ୍କ କହିବା ଅନୁସାରେ, ଗୁରୁତର ଅବସ୍ଥାରେ ଥିବା ଯୁବତୀଙ୍କୁ ଚିକିତ୍ସା ପାଇଁ ପ୍ରାୟ ୧୧ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡ଼ିଥିଲା।ଘଟଣାକୁ ନେଇ ଯୁବତୀଙ୍କ ପିତା ଜେନା ଟୋପ୍ପୋ ବିଶ୍ରା ଥାନାରେ ଲିଖିତ ଅଭିଯୋଗ କରି ରଜତ କିରୋଙ୍କୁ ଘଟଣା ପାଇଁ ଦାୟୀ କରିଛନ୍ତି।

Leave A Reply

Your email address will not be published.