ଓଡ଼ିଆ ନ୍ୟୁଜ୍: ବିଧାନସଭାରେ ବିଶୃଙ୍ଖଳା କଲେ କରାଯିବନି ବରଦାସ୍ତ। ଏନେଇ ଚେବାବନୀ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଏହା ପରେ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ବିରୋଧୀ ଦଳ ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ। ନାଲି ଆଖି ଦେଖାଇଲେ ଚଳିବ ନାହିଁ ବୋଲି ପ୍ରମିଳା ବି ପାଲଟା ଜବାବ ଦେଇଛନ୍ତି। ଅବଶ୍ୟ କଂଗ୍ରେସ ସମସ୍ତଙ୍କୁ ନେଇ ଚାଲିଲେ ଗୃହରେ ବିଶୃଙ୍ଖଳା ହେବନି ବୋଲି ମତ ରଖିଛି। ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତାମାସ ୧୩ତାରିଖରୁ ଆରମ୍ଭ ହେଉଥିବାବେଳେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ଯେ, ଚଳିତ ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ।
ବିରୋଧୀ ଗଠନମୂଳକ ପରାମର୍ଶ ଦେଲେ ତାହା ଉପାଦେୟ ହେବ। କିନ୍ତୁ ବିଶୃଙ୍ଖଳା ଆଚରଣ କଲେ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି। ଯାହା ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ପାଲଟା ଜବାବ ଦେଇଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ, ନାଲି ଆଖି ଦେଖାଇଲେ ଚଳିବ ନାହିଁ। ନିଜ ଆସନର ମର୍ଯ୍ୟାଦା ବାଚସ୍ପତି ରକ୍ଷା କରନ୍ତୁ। ବାଚସ୍ପତି କୌଣସି ଦଳର ନୁହଁନ୍ତି। ବାଚସ୍ପତି କାହିଁକି ବିଜେପି ଅଫିସକୁ ଯାଇଥିଲେ। ଗଣତନ୍ତ୍ରରେ ବିରୋଧୀଙ୍କ ସ୍ୱର ଚପାଇଲେ ଚଳିବ ନାହିଁ। ବାଚସ୍ପତିଙ୍କ ଧମକରେ ବିରୋଧୀଙ୍କ ସ୍ୱର ବନ୍ଦ ହେବ ନାହିଁ। ନାଲିଆଖି ଦେଖାଇବା ବନ୍ଦ କରନ୍ତୁ। ସରକାରଙ୍କ ଦୋଷତ୍ରୁଟିକୁ ଉପସ୍ଥାପନ କରାଯିବ।
ସେ ବାଚସ୍ପତି ଥିବାବେଳେ ବିଜେପି କିଭଳି ଗୃହରେ ବ୍ୟବହାର କରିଥିଲା ତାହା ଓଡ଼ିଶା ଦେଖିଥିଲା। କିନ୍ତୁ ଆମେ ସେପର୍ଯ୍ୟନ୍ତ ଯାଇନୁ। ଆଉ ସେମାନେ ବାଧ୍ୟ କଲେ ଆମେ ସେପର୍ଯ୍ୟନ୍ତ ଯିବୁ ବୋଲି ଶ୍ରୀମତୀ ମଲ୍ଲିକ ସ୍ପଷ୍ଟ କରିଛନ୍ତି। ସେହିପରି ବିଜେଡିର ଉପମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି ଯେ, ବାଚସ୍ପତିଙ୍କ ଉକ୍ତି ହାସ୍ୟାସ୍ପଦ। ବିଧାନସଭା ହେଉଛି ବିରୋଧୀ ଦଳଙ୍କର । ବିରୋଧୀ ଦଳ କୌଣସି ପ୍ରସଙ୍ଗ ଉଠାଇଲେ ସୁରୁଖୁରୁରେ ଗୃହ ଚଳାଇବା ଦାୟିତ୍ୱ ବାଚସ୍ପତିଙ୍କର। ହଟ୍ଟଗୋଳ ଓ ଅଚଳାବସ୍ଥା ପାଇଁ ବାଚସ୍ପତି ଦାୟୀ ରହିବେ। ବିରୋଧୀ ଦଳକୁ ଉଚିତ୍ ସମୟ ନଦେଲେ ହଟ୍ଟଗୋଳ ହେବ।