ନଭେମ୍ବର ୧ରୁ ବଦଳିଯିବ ବ୍ୟାଙ୍କ ଚାର୍ଜ, ରେଲୱେ ଟାଇମ୍ ଟେବୁଲ ଓ ଗ୍ୟାସ୍ ସିଲିଣ୍ଡର ବୁକିଂ ନିୟମ

0

ଆସନ୍ତା ନଭେମ୍ବର ପହିଲାରୁ ଦେଶରେ ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଏହି ନିୟମ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆପଣଙ୍କ ପକେଟ୍ ଉପରେ ପଡ଼ିବାର ସମ୍ଭାବନା ରହିଛି । ଅର୍ଥ ଡିପୋଜିଟଠାରୁ ଆରମ୍ଭ କରି ଉଠାଣ, ରେଲୱେ ଟାଇମ୍ ଟେବୁଲ, ଗ୍ୟାସ୍ ସିଲିଣ୍ଡର ବୁକିଂ ଆଦି ନିୟମ ପରିବର୍ତ୍ତନ ହେବାକୁ ଯାଉଛି ।

୧- ଏଣିକି ବ୍ୟାଙ୍କଗୁଡ଼ିକ ଅର୍ଥ ଡିପୋଜିଟ୍ ଓ ଉଠାଣ ନେଇ ଚାର୍ଜ ଆଦାୟ କରିବେ । ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଆସନ୍ତା ମାସରୁ ଏହି ନିୟମ ଲାଗୁ କରି ଅର୍ଥ ଆଦାୟ କରାଯିବ । ନଭେମ୍ବର ୧ରୁ ଲୋନ୍ ଆକାଉଣ୍ଟଧାରୀ ଗ୍ରାହକମାନେ ମାସକୁ ତିନି ଥରରୁ ଅଧିକ ଥର ଅର୍ଥ ଉଠାଣ କଲେ ୧୫୦ ଟଙ୍କା ଗଣିବେ । ସେଭିଙ୍ଗସ୍ ଆକାଉଣ୍ଟଧାରୀମାନେ ମାସକୁ ତିନି ଥରରୁ ଅଧିକ ଥର ଉଠାଇଲେ ୪୦ ଟଙ୍କା ଦେବେ । ଜନ ଧନ ଆକାଉଣ୍ଟଧାରୀଙ୍କ କ୍ଷେତ୍ରରେ ଡିପୋଜିଟ କ୍ଷେତ୍ରରେ ଚାର୍ଜ ଲାଗିବ ନାହିଁ, ମାତ୍ର ଉଠାଣ ପାଇଁ ୧୦୦ ଟଙ୍କା ଦେବାକୁ ପଡ଼ିବ ।

୨- ଇଣ୍ଡିଆନ ରେଲୱେ ପକ୍ଷରୁ ସମଗ୍ର ଦେଶରେ ଟାଇମ୍ ଟେବୁଲ୍ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଅକ୍ଟୋବର ୧ରୁ ଏହି ପରିବର୍ତ୍ତନ ନେଇ ସ୍ଥିର କରାଯାଇଥିଲା, ମାତ୍ର ନଭେମ୍ବର ୧ରୁ ଏହା ନୂଆ ରୂପେ କାର୍ଯ୍ୟକାରୀ ହେବ । ଏହାଫଳରେ ୧୩ ହଜାର ଯାତ୍ରୀ ଓ ୭ ହଜାର ମାଲବାହୀ ଟ୍ରେନର ଟାଇମ୍ ପରିବର୍ତ୍ତନ ହେବ ।

୩- ଏଲପିଜି ଗ୍ୟାସ୍ ସିଲିଣ୍ଡର ବିତରଣର ସମସ୍ତ ପ୍ରକ୍ରିୟା ଆସନ୍ତା ନଭେମ୍ବର ୧ରୁ ପରିବର୍ତ୍ତନ ହେବାକୁ ଯାଉଛି । ଏଣିକି ଗ୍ୟାସ୍ ବୁକିଂ ପରେ ଗ୍ରାହକଙ୍କ ମୋବାଇଲକୁ ଓଟିପି ପଠାଯିବ । ଗ୍ୟାସ୍ ସିଲିଣ୍ଡର ଡେଲିଭରି ପାଇଁ ପହଞ୍ଚିବା ପରେ, ଗ୍ରାହକମାନେ ଡେଲିଭରି ବଏଙ୍କୁ ଉକ୍ତ ଓଟିପି ଦେବାକୁ ପଡ଼ିବ । ତେବେ ଏହି କୋଡ୍ ମ୍ୟାଚ ହେବା ପରେ ଗ୍ରାହକଙ୍କୁ ସିଲିଣ୍ଡର ପ୍ରଦାନ କରାଯିବ । ତେବେ ନୂଆ ସିଲିଣ୍ଡର ଡେଲିଭରି ପଲିସି ଅନୁଯାୟୀ, ଭୁଲ ଠିକଣା ଓ ମୋବାଇଲ ନମ୍ବର କ୍ଷେତ୍ରରେ ଗ୍ରାହକଙ୍କୁ ସିଲିଣ୍ଡର ଡେଲିଭରି କରାଯିବ ନାହିଁ । ତେଣୁ ଏହିସବୁ ସମସ୍ତ ଜିନିଷ ଅପଡେଟ୍ କରିବାକୁ ତୈଳ କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି । ତେବେ ଏହି ନିୟମ କମର୍ସିଆଲ (ଏଲପିଜି) ସିଲିଣ୍ଡର ବୁକିଂ କ୍ଷେତ୍ରରେ କାର୍ଯ୍ୟକାରୀ ହେବ ନାହିଁ ।

Leave A Reply

Your email address will not be published.