ହମାସ ଏବଂ ଇସ୍ରାଏଲ ଯୁଦ୍ଧର ପଡ଼ିଲା ଯବନିକା, ଲୋକଙ୍କ ମୁହଁରେ ଫୁଟିଲା ହସ

0

ଓଡ଼ିଆ ନ୍ୟୁଜ୍: ଦୀର୍ଘ ୪୭୧ ଦିନ ପରେ ହମାସ ଏବଂ ଇସ୍ରାଏଲ ଯୁଦ୍ଧର ପଡ଼ିଲା ଯବନିକା। ଲୋକଙ୍କ ମୁହଁରେ ହସ ଫୁଟିଛି। କିଏ ଆଲିଙ୍ଗନ କରି ତ ଆଉ କିଏ ମୁଣ୍ଡରେ କୋଳ ରଖି, ଆତ୍ମହରା ହୋଇପଡିଛନ୍ତି । ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅସ୍ତ୍ରବିରତିର ପ୍ରଥମ ଚରଣରେ ଉଭୟ ପକ୍ଷରୁ ବନ୍ଦୀମାନଙ୍କୁ ମୁକ୍ତ କରାଯାଉଛି। ରବିବାର ପ୍ରଥମେ ହମାସ, ନିଜ ପାଖରେ ବନ୍ଦୀ ଥିବା ଇସ୍ରାଏଲୀଙ୍କୁ ମୁକ୍ତ କରିଛି । ହମାସ ମୁକ୍ତ କରିଥିବା ୩ମହିଳା ବନ୍ଦୀଙ୍କ ମୁକ୍ତି ବେଳର ଭିଡିଓ ଭାବପ୍ରବଣ କରିଦେଇଛି। ଇସ୍ରାଏଲ ଓ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ନେଇ ଶାନ୍ତି ବୈଠକ ପରେ ପ୍ରଥମ ଥର ପାଇଁ ଦୀର୍ଘ ୪୭୧ ଦିନ ପରେ ହମାସ କବଳରୁ ମୁକ୍ତ ହୋଇଛନ୍ତି ରୋମି, ଡୋରେନ୍ ଓ ଇମଲି।

ଯୁଦ୍ଧର ସେ ଭୟଙ୍କର ଦୃଶ୍ୟ ଭିତରେ ଜୀବନର ରାହା ଖୋଜୁଥିବା ଏହି ୩ ମହିଳା, ଏବେ ପରିବାରକୁ ପାଖରେ ପାଇ ଆତ୍ମହରା ହୋଇପଡିଛନ୍ତି। ଯୁଦ୍ଧର ସେ କରାଳ ରୂପ ମନେପଡିଲେ କାନ୍ଦୁଛନ୍ତି ତ, ପରିବାରଙ୍କୁ ପାଖରେ ପାଇଥିବାରୁ ହସୁଛନ୍ତି। ଯେତେବେଳେ ହମାସ ସେନା ସେମାନଙ୍କୁ ମୁକ୍ତ କରିଥିଲା। ପ୍ରଥମେ ସେମାନଙ୍କ ମା’ଙ୍କ ସହ ସେମାନଙ୍କୁ ଭେଟ କରାଯାଇଥିଲା। ଆଉ ତା ପରେ କିଏ ମା କୋଳରେ ମୁଣ୍ଡ ରଖି ତ, ଆଉ କିଏ ଆଲିଙ୍ଗନ କରି ଭୋ ଭୋ କାନ୍ଦି ଉଠିଥିଲେ। ଆଦୌ ବିଶ୍ବାସ ହେଉନଥିଲା କି ସେମାନେ ଏବେ ସେମାନଙ୍କ ଘର ଲୋକଙ୍କ ପାଖରେ ଅଛନ୍ତି। ଗାଜା ପଟ୍ଟିରୁ ମକ୍ତ ହେବା ପରେ ଏହି ୩ଝିଅଙ୍କୁ ନିଜ ନିଜ ମାଙ୍କ ସହ ଇସ୍ରାଏଲୀ ହେଲିକପ୍ଟରରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ନିଆଯାଇଥିଲା। ଆଉ ହସ୍ପିଟାଲରୁ ବାହାରିବା ପରେ ସେଠାରେ ଶହଶହ ଲୋକ ଏକାଠି ହୋଇଥିଲେ।

ସମସ୍ତଙ୍କ ଆଖି ଲୁହରେ ଭିଜିଯାଇଥିଲା ସତ ହେଲେ ମୁହଁରେ ରହିଥିଲା ହସ। ଆଉ ଏହି ମହିଳାମାନଙ୍କ ଅଦମ୍ୟ ସାହସର ପ୍ରଶଂସା। ପରେ ସେମାନେ ସେମାନଙ୍କ ପରିବାର ସହ ନିଜ ଘରକୁ ଫେରିଯାଇଥିଲେ। ଏହି ମହିଳାମାନେ ୭ ଅକ୍ଟୋବର ୨୦୨୩ ଠାରୁ, ଦୀର୍ଘ ୪୭୧ ଦିନ ହେଲାଣି ହମାସରେ ବନ୍ଧକ ଥିଲେ। ହମାସର ଯୋଦ୍ଧାମାନେ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରି ସେମାନଙ୍କୁ ବନ୍ଦୀ କରିଥିଲେ। ଆକ୍ରମଣରେ ୧୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.