ଓଡ଼ିଆ ନ୍ୟୁଜ୍: ଶତାଧିକ ସରକାରୀ ଚାକିରିଆ ହାତେଇଛନ୍ତି ରାସନ କାର୍ଡ। ରାଜ୍ୟରେ ଗରିବଙ୍କ ପାଇଁ ଆସୁଥିବା ରାଜନରେ ଭାଗ ବସେଇଛନ୍ତି ୧୬୫ଜଣ ସରକାରୀ ଚାକିରିଆ। ରାସନ କାର୍ଡ ନମ୍ବର- ୦୨୦୨୦୧୧୦୪୭୩। ଏ ହେଲେ ଅଲଡିହା ଗାଁର ମକୁନ୍ଦଦେବ ପଦରାୟ, ଜଣେ ଜୁନିଅର ଇଞ୍ଜିନିୟର। ସେମିତି ୧୦ ନମ୍ବରରେ ଥିବା ବଢପାଳ ଗାଁର ଜନ୍ମେଜୟ ପାତ୍ର, ଜଣେ ଜିଏସଟି ଅଫିସର। ତାଲିକାର ୧୭ ନମ୍ବରରେ ରହିଛନ୍ତି ଜାଗାଇ ଗାଁର ଓଡ଼ିଆ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ଦାସ। ଯିଏ ଏବେ ବାଲିଆପାଳ ସୁବର୍ଣ୍ଣରେଖା ମହାବିଦ୍ୟାଳୟର ପ୍ରିନସିପାଲ୍। ତାଲିକାର ୫୧ ନମ୍ବରରେ ଥିବା ନାରାୟଣପୁର ଗାଁର ଶ୍ୟାମଘନ ବାରିକ ଜଣେ ହୋମିଓପ୍ୟାଥି ଡାକ୍ତର, ସେ ଏବେ ବାଲେଶ୍ବରରେ ଜିଲ୍ଲା ହୋମିଓପ୍ୟାଥି ମେଡିକାଲ ଅଫିସର। ୯୫ ନମ୍ବରରେ ଯିଏ ଅଛନ୍ତି ସେ ହେଲେ ବାଗଡ଼ା ଗାଁର ଜଣେ ପୋଲିସ୍ ବାବୁ, ସବଇନସପେକ୍ଟର ଭାବେ ବାରିପଦାରେ କାର୍ଯ୍ୟରତ।
ଏ ତାଲିକା ବେଶ୍ ଲମ୍ବା। ଏମାନଙ୍କ ମଧ୍ୟରୁ ସୁବର୍ଣ୍ଣରେଖା ମହାବିଦ୍ୟାଳର ପ୍ରିନସିପାଲ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ରାସନ କାର୍ଡ କେମିତି ପାଇଲେ, ପଚରାଯିବାରେ ସେ ଗୋଳମାଳିଆ ଉତ୍ତର ରଖିଥିଲେ। ତେବେ ରାସନକାର୍ଡର ଏ ମହାଘୋଟାଲା ପାଇଁ ସ୍ଥାନୀୟ ଲୋକେ ସିଧାସଳଖ ବିଜେଡି ସରକାରଙ୍କୁ ଦୋଷ ଦେଇଛନ୍ତି। ଖାଲି ବାଲିଆପାଳ ନୁହେଁ, ଏଚଆରଏମଏସ୍ ତଥ୍ୟ ଅନୁସାରେ ବାଲେଶ୍ବର ଜିଲ୍ଲାର ଭୋଗରାଇରେ ୩୦୨ ଓ ଜଳେଶ୍ବରରେ ୧୮୦ ଜଣ ସରକାରୀ ଚାକିରିଆ ବର୍ଷ ବର୍ଷ ଧରି ରାସନ ସାମଗ୍ରୀ ହାତୋଉଥିବା ଇକେୱାଇସିରୁ ଧରା ପଡ଼ିଛି। ତେଣୁ ସେମାନଙ୍କୁ ଚିହ୍ନଟ କରି କାର୍ଡ ପ୍ରତ୍ୟାହାର ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଖାଦ୍ୟ ଓ ଯୋଗାଣ ବିଭାଗ ପ୍ରମୁଖ ସଚିବ। ତେଣେ ଏସବୁ ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଉଠିଲାଣି ଦାବି।