ଯୋଡ଼ା ବାଚୁହଟିଂର ସ୍ୱପ୍ନେଶ୍ୱର ତନ୍ତୀ ଓ ଚିଟୁ ବିନ୍ଧାଣି ନିଜ ଡ୍ୟୁଟିସାରି ଫେରୁଥିବା ସମୟରେ ନିଜ ଘରୁ ୪୦୦ ମିଟର ଦୂର ଯୋଡ଼ା ତାରିଣୀ ଛକ ପାଖ M M T C କଲୋନୀ ନିକଟରେ ଏକ JH-05-CC-0983 ନମ୍ବର ବିଶିଷ୍ଟ ହୁଣ୍ଡାଇ କାର ଆସି ତାଙ୍କ ବାଇକକୁ ଧକ୍କା ଦେବାଫଳରେ ଘଟଣା ସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ନ ଜଣାଇ ମୃତ ଦେହକୁ ଟାଟା ହସ୍ପିଟାଲ୍ ପଠାଇ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଯାହା ଫଳରେ ସେହି ସ୍ଥାନରେ ଉତ୍ତେଜନା ଦେଖା ଯାଇଥିଲା। ଉଭୟ ମୃତକ ୨ ଜଣ ପରିବାରର ଏକମାତ୍ର ରୋଜଗାରକ୍ଷମ ହୋଇଥିବାରୁ ତାଙ୍କ ପରିବାରରୁ ଜଣକୁ ଚାକିରୀ ସହ ଉଚିତ କ୍ଷତିପୂରଣ ଦାବି ନେଇ ଉତ୍ୟକ୍ତ ଲୋକେ ଆଜି ଟାୟାର ଜାଳି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିବା ଜଣା ପଡିଛି। ବରିଷ୍ଠ ପ୍ରଶାସନିକ ଓ ପୋଲିସ୍ ଅଧିକାରୀ ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସମାଧାନର ବାଟ ବର୍ତ୍ତମାନ ସୁଦ୍ଧା ବାହାରି ନ ଥିବା ଶୁଣିବାକୁ ମିଳିଛି। ସୂଚନାନୁସାରେ ଯୋଡ଼ା ପୌରପାଳିକା ପକ୍ଷରୁ ଉକ୍ତ ସ୍ଥାନରେ କଲଭର୍ଟ ନିର୍ମାଣ ନିର୍ମାଣ କରାଯାଉଛି। କିନ୍ତୁ ମାସ ମାସ ଧରି ଉକ୍ତ କାର୍ଯ୍ୟ ଅସମ୍ପୂର୍ଣ ହୋଇ ରହି ଥିବାରୁ ସେହି ଅର୍ଦ୍ଧ ନିର୍ମିତ କଲଭର୍ଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଯୋଡ଼ା ପୌରପାଳିକାକୁ ଦାୟୀ କରିଛନ୍ତି।