ମା’ଙ୍କ ନବମୀରେ କୁମାରୀ ପୂଜାର ମହତ୍ତ୍ୱ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣ ଋତୁ । ମା’ଙ୍କ ଆଗମନ ପାଇଁ ସମସ୍ତେ ପୁରା ପ୍ରସ୍ତୁତ । ମା’ଙ୍କ ପୂଜା ବିଧିରେ ନବମୀ ପୂଜାର ବିଶେଷତ୍ୱ ଅନେକ ରହିଛି । ନବମୀରେ କୁମାରୀ ପୂଜାର ଗୁରୁତ୍ୱ ଅନେକ ରହିଥାଏ । ପୂଜା ରୀତିନୀତି ଅନୁଯାୟୀ, ମା ଦୂର୍ଗାଙ୍କ ଆଗମନରେ ଶ୍ରୀରାମଚନ୍ଦ୍ର ରାବଣଙ୍କୁ ବଧ କରିବା ପାଇଁ ଶରତ କାଳରେ ଶ୍ରୀ ଶ୍ରୀ ଦୁର୍ଗାପୂଜା କରିଥିଲେ । ଏହାକୁ ‘ଅକାଳବୋଧନ’ କୁହାଯାଏ । କାରଣ ଶରତକାଳ ସୂର୍ୟ୍ୟ ଦକ୍ଷିଣାୟନ କରନ୍ତି । ଶ୍ରାବଣ ମାସରୁ ପୌଷମାସ ସୂର୍ୟ୍ୟଙ୍କ ଦକ୍ଷିଣାୟନ; ମାଘରୁ ଆଷାଢ଼ ସୂର୍ୟ୍ୟଙ୍କର ଉତ୍ତରାୟନ । ଦକ୍ଷିଣାୟନ ଦେବତାଙ୍କର ରାତ୍ରି । ତେଣୁ ଉତ୍ତରାୟନ ଦେବତାଙ୍କ ଆରାଧନାର ପ୍ରକୃଷ୍ଟ ସମୟ । ରାବଣ, ବ୍ରହ୍ମାଙ୍କ ବରରେ ଅପାରଶକ୍ତିର ଆଧିକାରୀ ହୋଇଥିବାରୁ ତାଙ୍କୁ ବଧ କରିବା ନିମନ୍ତେ ଦେବୀଙ୍କ କୃପା ଆବଶ୍ୟକ । ତେଣୁ ବ୍ରହ୍ମା ଶ୍ରୀରାମଚନ୍ଦ୍ରଙ୍କୁ ଶରତ କାଳରେ ଦେବୀଙ୍କ କଳ୍ପାରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ।

ଶ୍ରୀରାମଚନ୍ଦ୍ର ଦ୍ୱନ୍ଦ୍ୱରେ ପଡ଼ିଲେ । ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ନିର୍ଦ୍ଦେଶ ଓ ଦେବଦେବୀଙ୍କର ଦକ୍ଷିଣାୟନ । ଦେବୀ ଜାଗ୍ରତ ନା ନିଦ୍ରିତ ? ଦେବୀ ଏବେ ଆବିର୍ଭୂତ ହେବେ ତ ? ତେଣୁ ସେ ଧ୍ୟାନମଗ୍ନ ହୋଇ ଜାଣିପାରିଲେ ଦେବୀ ତ୍ରିଶାଖା ବିଲ୍ୱଦଳରେ ‘କୁମାରୀ’ କନ୍ୟା ରୂପେ ଶାୟିତ । ଏହି ଦୃଶ୍ୟ ଅବଲୋକନ କରି ବିଭୋର ହେଲେ ଶ୍ରୀରାମଚନ୍ଦ୍ର । ଦେବୀଙ୍କୁ ଜାଗ୍ରତ କରାଇବେ ।ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଷଷ୍ଠୀଦିନ ‘ବିଲ୍ୱାଧିବାସ’ କଲେ ଶ୍ରୀରାମଚନ୍ଦ୍ର । ଷଷ୍ଠୀପରେ ସପ୍ତମୀରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ ମଧ୍ୟ ଦେବୀଙ୍କର ନିଦ୍ରାଭଙ୍ଗ ହେଲାନି । ଅଷ୍ଟମୀରେ ଯୋଗିନୀମାନଙ୍କୁ ଡାକି ବିଶେଷ ପୂଜାକରିଲେ ଶ୍ରୀରାମ । ତେଣୁ ଅଷ୍ଟମୀର ଶେଷ ଦଣ୍ଡ ଓ ନବମୀର ପ୍ରଥମ ଦଣ୍ଡ (୨୪+୨୪=୪୮ମିନିଟ) ସନ୍ଧିକ୍ଷଣରେ ପୂଜା କଲେ । ଏହାକୁ ‘ସନ୍ଧିପୂଜା’ କୁହାଯାଏ । ଚାମୁଣ୍ଡା ଦେବୀଙ୍କ ସହାୟତାରେ ଶ୍ରୀରାମଚନ୍ଦ୍ର ଏହି ‘ସନ୍ଧିପୂଜା’ କରିଥିଲେ । ଏହି ପୂଜା ପରେ ଅର୍ଥାତ୍ ନବମୀ ଦିନ ଦେବୀ ଜାଗ୍ରତ ହେଲେ ଏବଂ ପୁନର୍ବାର ‘କୁମାରୀ’ ରୂପରେ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ ଦେଲେ । ତେଣୁ ନବମୀ ଦିନ କୁମାରୀ ପୂଜାର ପ୍ରଚଳନ ଅଛି । କୁମାରୀ ସାକ୍ଷାତ ଯୋଗିନୀ, ପରମାଦେବୀ ପୁଣି ପରମପ୍ରକୃତି । ଶ୍ରୀ ଶ୍ରୀ ଚଣ୍ଡୀରେ ଉଲ୍ଲେଖ ଅଛି ‘ସ୍ତ୍ରୀୟା ସମସ୍ତା ସକଳ ଜଗତ ସୁ’ ଅର୍ଥାତ୍ ସମସ୍ତ ସ୍ତ୍ରୀ ଜାତି ବ୍ରହ୍ମମୟୀ, ମହାମାୟା ଜଗଜ୍ଜନନୀଙ୍କର ଏକ ଅଂଶ ବିଶେଷ । ପ୍ରତି ନାରୀ ଭଗବତୀଙ୍କ ଅଂଶ ହେଲେ ମଧ୍ୟ କୁମାରୀଙ୍କ ମଧ୍ୟରେ ଭଗବତ୍ ସତ୍ତା ବିଶେଷ ଭାବରେ ପ୍ରକାଶିତ ।

ତନ୍ତ୍ରମତେ ଷୋହଳ ବର୍ଷ ପର୍ୟ୍ୟନ୍ତ ଅବିବାହିତା କନ୍ୟାଙ୍କୁ କୁମାରୀ କୁହାଯାଏ । ଯେତେଦିନ ପର୍ୟ୍ୟନ୍ତ କନ୍ୟା ଋତୁମତୀ ନ ହୁଅନ୍ତି ସେତେଦିନ ପର୍ୟ୍ୟନ୍ତ ‘କୁମାରୀ’ ତାହା କୁସୁମପରି ପବିତ୍ର । ତେଣୁ ସେତେଦିନ ପର୍ୟ୍ୟନ୍ତ କନ୍ୟା ଦେବସେବାରେ ନିବେଦିତ ହୋଇପାରିବେ । ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ କୁମାରୀ ରୂପରେ ଦର୍ଶନ କରିଥିଲେ ଏବଂ ପୂଜା କରିଥିଲେ ମଧ୍ୟ ପରବର୍ତ୍ତୀକାଳରେ ଶ୍ରୀଶ୍ରୀ ରାମକୃଷ୍ଣ ଓ ତାଙ୍କର ଶିଷ୍ୟ ବିବେକାନନ୍ଦ ଏହାର ବହୁଳ ପ୍ରଚାର କରିଥିଲେ ଏବଂ ରାଣୀ ରାସମଣୀ ଦେବୀଙ୍କଦ୍ୱାରା କୁମାରୀ ପୂଜାକରାଇ ଏହାର ପ୍ରସାର ମଧ୍ୟ କରିଥିଲେ। କାରଣ କୁମାରୀଙ୍କ ମଧ୍ୟରେ ଭଗବତ୍ ସତ୍ତା ଅନୁଭବ କରିଥିଲେ । ଏଣୁ ଦୁର୍ଗାପୂଜାର ନବମୀ ରାତ୍ରିରେ କେତେକ ବ୍ରାହ୍ମଣ ବଂଶୀୟ ସାତରୁ ଆଠ ବର୍ଷର କନ୍ୟାକୁ ପାଦରେ ଅଳତା, ଆଖିରେ କଜ୍ଜଳ ଓ କପାଳରେ ଚନ୍ଦନ ଟିପା ଦେଇ ସୁନ୍ଦର ଭାବରେ ସଜାଇ ନୂତନ ଶାଢ଼ି ପରିଧାନ କରାଇ ବିଭିନ୍ନ ଉପଢ଼ୌକନ ଦେଇ ପୂଜା କରାଯାଏ । ଏହାକୁ ‘କୁଆଁରୀ ଲକ୍ଷ୍ମୀ’ ପୂଜା କୁହାଯାଏ । ଓଡ଼ିଶାର ସବୁ ପୂଜାମଣ୍ଡପରେ ନବମୀ ଦିନ କୁମାରୀ ପୂଜା କରା ନ ଗଲେ ମଧ୍ୟ କଟକ ଜିଲ୍ଲାର ପୁନଙ୍ଗ ଗ୍ରାମର ଘୋଷଘର ପୂଜାମଣ୍ଡପରେ ଆବାହମାନକାଳରୁ କୁମାରୀ ପୂଜା ହୋଇଆସୁଛି । କଥିତ ଅଛି, ଯେଉଁମାନେ ଏହି ପୂଜା ଦର୍ଶନ କରନ୍ତି, ସେମାନେ ଚତୁବର୍ଗ ଫଳ ପାଆନ୍ତି । କୁମାରୀ ପୂଜା ହେଉଛି ନାରୀଜାତି ପ୍ରତି ସମ୍ମାନ ପ୍ରଦର୍ଶନର ଏକ ପ୍ରକ୍ରିୟା ମାତ୍ର । ସେହି ପରମ୍ପରା ଅନୁଯାୟୀ, ମା’ଙ୍କ ନବମୀରେ କୁମାରୀ ପୂଜା ଅନେକ ଗୁରୁତ୍ୱ ବହନ କରେ ।

Leave A Reply

Your email address will not be published.