ରଥରେ ମାଉସୀ ଘର ଯାଆନ୍ତି ଦଶାବତାର ଦିଅଁ, ରଥ ଉପରେ ଦର୍ଶନ କଲେ ମିଳେ କୋଟି ଐଶ୍ବର୍ଯ୍ୟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସନ୍ତା ଜୁନ୍ ୨୦ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯିବେ ମହାପ୍ରଭୁ। ଏଥିପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ରଥଖଳାରେ ତିନିରଥ ନିର୍ମାଣ ବି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅଣସରରେ ଥିବା ଠାକୁର ଏବେ ସୁସ୍ଥ ହେଲେଣି। ଆସନ୍ତା ୨ ତାରିଖରେ ନେତ୍ରୋତ୍ସବ। ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ। ଏହାପରେ ୪ ତାରିଖରେ ରଥଯାତ୍ରା। ଦାରୁବିଗ୍ରହଙ୍କର ଏହି ଯାତ୍ରାକୁ ଗୁଣ୍ଡିଚା ଯାତ୍ରା, ଘୋଷଯାତ୍ରା ଏବଂ ଦଶାବତାର ଯାତ୍ରା ବି କୁହାଯାଏ। ଦଶାବତାର ଯାତ୍ରା ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ଦଶାବତାର ଯାତ୍ରା କହିବା ଅର୍ଥ ତିନିରଥରେ ଦଶ ଦିଅଁ ବିଜେ କରିଥାନ୍ତି। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ବଳଭଦ୍ର, ରାମ ଓ କୃଷ୍ଣ ଯାତ୍ରା କରିଥାନ୍ତି। ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ମା’ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ବିଜେ କରୁଥିବା ବେଳେ ଶ୍ରୀଜଗନ୍ନାଥଙ୍କ ରଥରେ ମହାପଭୁ ଶ୍ରୀଜଗନ୍ନାଥ ଓ ମଦନମୋହନ ଯାତ୍ରା କରିଥାନ୍ତି।

ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଚାହାଣୀ ମଣ୍ଡପରେ ରଥ ପ୍ରତିଷ୍ଠା ହୋମ ସମୟରେ ତିନି ଦେବତାଙ୍କୁ ପ୍ରତିଷ୍ଠା କରାଯାଏ। ସେମାନେ ହେଲେ ଶ୍ରୀନୃସିଂହ, ଶ୍ରୀନୁମାନ ଓ ମା’ ଭୁବନେଶ୍ୱରୀ। ରଥ ପ୍ରତିଷ୍ଠା କର୍ମ ସମାପ୍ତ କରି ଶ୍ରୋତ୍ରୀୟ ବ୍ରାହ୍ମଣମାନେ ତିନିରଥକୁ ଆସି ସେଠାରେ ଜଳ ସିଞ୍ଚନ ପୂର୍ବକ ଏହି ତିନି ଦେବତାଙ୍କୁ ପ୍ରଦାନ କରିଥାନ୍ତି। ଏହି ତିିନି ଦେବତା ତିନିରଥର ଊର୍ଦ୍ଧ ଭାଗରେ ଅବସ୍ଥାନ କରନ୍ତି। ନନ୍ଦିଘୋଷ ରଥରେ ଶ୍ରୀହନୁମାନ, ତାଳଧ୍ୱଜ ରଥରେ ଶ୍ରୀନୃସିଂହ ଓ ଦର୍ପଦଳନ ରଥରେ ମା’ ଭୁବନେଶ୍ୱରୀ ଅବସ୍ଥାନ କରନ୍ତି। ଏହିପରି ଭାବେ ରଥ ଉପରେ ଦଶାବତାର ମୂର୍ତ୍ତି ଅବସ୍ଥାନ କରିଥାନ୍ତି। ଏଣୁ ଏହି ଯାତ୍ରାକୁୁ ଦଶାବତାର ଯାତ୍ରା କୁହାଯାଏ। ଯେଭଳି ଅଣସର ଗୃହରେ ଠାକୁରମାନେ ଅବସ୍ଥାନ କରୁଥିବା ସମୟରେ ତାଟିକୁ ଲାଗି ଦଶାବତାର ପଟି ପୂଜା ପାଇଥାନ୍ତି ସେହିପରି ରଥରେ ମଧ୍ୟ ଦଶାବତାର ଦିଅଁ ଯାତ୍ରା କରିଥାନ୍ତି। ଏହି ଯାତ୍ରା ଦଶାବତାର ଯାତ୍ରା ନାମରେ ଖ୍ୟାତ। ଏହି କ୍ଷେତ୍ର ହେଉଛି ଦଶାବତାର କ୍ଷେତ୍ର। ଏହି କ୍ଷେତ୍ରରେ ରଥଯାତ୍ରା ସମୟରେ ରଥ ଉପରେ ଦଶାବତାର ମୂର୍ତ୍ତିଙ୍କୁ ଦର୍ଶନ କଲେ ଗତିମୁକ୍ତି ସହ କୋଟି ଐଶ୍ବର୍ଯ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.