ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି କଟକ ନେତାଜୀ ବସ୍ ଟର୍ମିନାଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୪:୩୦ ସମୟରେ କଟକ ଆସି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥି ପାଇଁ ସବୁ ପ୍ରସ୍ତୁତି ସରିଛି । ସୁରକ୍ଷା ବି ସମ୍ପୂର୍ଣ୍ଣ କଡାକଡି କରାଯାଇଛି । ବସ ଟର୍ମିନାଲ ସହ ସହରରେ ନିର୍ମିତ ହୋଇଥିବା ଓ ହେବାକୁ ଯାଉଥିବା ୧୨ଟି ପ୍ରକଳ୍ପର ଉଦଘାଟନ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ୧୫ ଏକର ପରିମିତ ଜମି ଉପରେ ତିଆରି କରାଯାଇଥିବା ଏହି ବସ ଟର୍ମିନାଲରେ ଖର୍ଚ୍ଚ ହୋଇଛି ୯୦.୨ କୋଟି ଟଙ୍କା ।
ଏଠାରେ ୧୯୨ ଟି ବସର ରହଣି ଓ ଯାତାୟାତ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ସୁବିଧା ରହିଛି । ଏହି ମେଗା ପ୍ରକଳ୍ପର ଉଦଘାଟନ ପାଇଁ ସିଡିଏ, ଜିଲ୍ଲା ପ୍ରଶାସନ, ସିଏମସି ପକ୍ଷରୁ ଆଜି ଚୂଡାନ୍ତ ପ୍ରସ୍ତୁତି ସମୀକ୍ଷା କରାଯାଇଛି । ଟର୍ମିନାଲ ପରିସରରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଯୋଗଦେବା ସହିତ ଭର୍ଚୁଆଲରେ ଅନ୍ୟ ୧୨ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ।