ଜୀ ସାର୍ଥକ ର ମୋ ଅଗଣାର ତୁଳସୀ ତୁ ଏବେ ସମସ୍ତ ଙ୍କ ପ୍ରିୟ

0

ସୁଦୂର ସମ୍ବଲପୁରର ନିପଟ ମଫସଲରେ ବଢ଼ିଥିବା ଝିଅଟି ରାଜଧାନୀ ଭୁବନେଶ୍ୱର ଆସିଛି ତାର ସ୍ୱପ୍ନକୁ ସତ କରିବାକୁ । ପରିସ୍ଥିତି ପରିବେଶ ତାକୁ ବାଧ୍ୟ କରିଛି ଜଣକ ଘରେ ରହିବାକୁ, ହାଣ୍ଡିଶାଳ ସମ୍ଭାଳିବାକୁ କିନ୍ତୁ ସେଇ ହାଣ୍ଡିଶାଳୁ ଏକ ବିରାଟ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ହେବାକୁ ସକ୍ଷମ ହୋଇଛି । ‘ମୋ ଅଗଣାର ତୁଳସୀ ତୁ’ ସୁଟିଂ ସେଟରେ ଏମିତି କିଛି ଦୃଶ୍ୟର ସୁଟିଂ ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ଗୋଟିଏ ସମ୍ଭ୍ରାନ୍ତ ପରିବାରର ନିୟମ କାନୁନ ଆଉ ଗୋଟିଏ ଗାଉଁଲୀ ଝିଅର ସିନ୍ଦୂରର ସୁରକ୍ଷାର ଚିତ୍ର ।

ଜୀ ସାର୍ଥକରେ ପ୍ରସାରିତ ‘ ମୋ ଅଗଣାର ତୁଳସୀ ତୁ’ର ସୁଟିଂ ଚାଲିଛି । ନିପଟ ମଫସଲ ଗାଁର ତୁଳସୀ ପରିବାରର ବୋଝ ହାଲୁକା କରିବାକୁ ଏବଂ ଭାଇର ଅପରେସନ କରିବାକୁ ଚିନ୍ତା କରିଛି । ତା ହାତ ତିଆରି କ୍ରୀମର ଦୋକାନ ଖୋଲି ଏସବୁ ଦୁଃଖ ଦୂର କରିବାକୁ ସେ ଚାହିଁଛି । କିନ୍ତୁ ଭାଗ୍ୟର ଖେଳ ଅଲଗା । ତୁଳସୀ ଭୁବନେଶ୍ୱର ଆସିଛି । ବିଶିଷ୍ଟ ଶିଳ୍ପପତି ଚିତ୍ରା ସାମନ୍ତରାୟ ଙ୍କ ହାଣ୍ଡିଶାଳ ସମ୍ଭାଳିବା ଦାୟିତ୍ୱ ମିଳିଛି ତୁଳସୀକୁ । ନିଜ ଦାୟିତ୍ୱ ଅତି ନିଖୁଣତାର ସହ ସମ୍ଭାଳୁଥିବା ତୁଳସୀକୁ ସାମନ୍ତରାୟ ପରିବାର ଆପଣାଇ ନେଇଛି । ରୋଷେୟାରୁ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର କରାଯାଇଛି । ହେଲେ ତୁଳସୀ ଭିତରେ ସେଭଳି କିଛି ପରିବର୍ତ୍ତନ ଆସିନାହିଁ ବରଂ ସେ କାଲି ଯାହା ଥିଲା ଆଜି ବି ସେମିତି ରହିଛି ।

ତେବେ ହଠାତ ତୁଳସୀର ନିକଟତର ହୁଅନ୍ତି ଶିଳ୍ପପତି ଚିତ୍ରା ସାମନ୍ତରାୟ ଙ୍କ ବଡ ପୁଅ ଚନ୍ଦନ । ସମୟ ଓ ପରିସ୍ଥିତି ତୁଳସୀକୁ ଏମିତି ଏକ ମୋଡରେ ଛିଡା କରିଦିଏ ଯେଉଁଠି ସେ ଆତ୍ମହତ୍ୟାର ରାସ୍ତା ବାଛିନିଏ । ତେବେ ତୁଳସୀ ଜୀବନରେ ଚନ୍ଦନର ଭୂମିକା କିଭଳି ରହୁଛି ଓ ଉଭୟଙ୍କୁ ସାମନ୍ତରାୟ ପରିବାର କେଉଁଭଳି ଗ୍ରହଣ କରୁଛନ୍ତି ତାକୁ ନେଇ କାହାଣୀ ଗତିଶୀଳ ହୋଇଛି । ଓଡିଶାର ଲୋକପ୍ରିୟ ମନୋରଂଜନ ଚ୍ୟାନେଲ ଜୀ ସାର୍ଥକରେ ପ୍ରସାରିତ ହେଉଛି ‘ମୋ ଅଗଣାର ତୁଳସୀ ତୁ’ । ଯାହାକୁ ଓଡିଶା ଦର୍ଶକ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏଥିରେ ଅଙ୍କିତ,  ରଣ୍ୟମୟୀ,ଡେଜି,ସୋମା ହୋତା,ନମିତା ଅଭିନୟ କରୁଛନ୍ତି। ନିର୍ଦ୍ଦେଶନା ଦେଉଛନ୍ତି ସରୋଜ ଦାସ, ସଂଳାପ ଆଲୋକ ରାୟ, ପ୍ରଯୋଜନା କରୁଛନ୍ତି ବିଜୟ କାଣ୍ଡୋଇ।

Leave A Reply

Your email address will not be published.