ଚୋରି ଅଭିଯୋଗରେ ଗିରଫ ଯୁବକ ଥାନାରେ କାଟିଲେ ବେକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ଟାଉନ ଥାନା ପୁଲିସ ଦ୍ଵାରା ଚୋରି ଅଭିଯୋଗରେ ଗିରଫ ହୋଇଥିବା ଯୁବକ ଜଣକ ଥାନା ଭିତରେ ନିଜ ବେକକୁ କାଟି ଦେଇଛନ୍ତି। ପୁଲିସ ପକ୍ଷରୁ ନିର୍ଯ୍ୟାତନା ଦେବାରୁ ଯୁବକ ଜଣକ ଏହିପରି କରିଥିବାର ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ରବିବାର ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲ ପରିସରରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ସୂଚନା ଅନୁଯାୟୀ, ବାରିପଦା ଟାଉନ ଥାନା ଅନ୍ତର୍ଗତ ଏକ ଦୋକାନରୁ ତାଲା ଭଙ୍ଗା ଚୋରି ନେଇ ଥାନାରେ ଶନିବାର ଅଭିଯୋଗ ହୋଇଥିଲା। ଏହାକୁ ନେଇ ଭଞ୍ଜପୁର ଥାନା ଅନ୍ତର୍ଗତ ବଢ଼େଇସାହି, ୱାର୍ଡ ନଂ-୧୯ ଅଞ୍ଚଳର ଯୁବକ ‘ରିଙ୍କୁ ଜେନା’ (୨୩) ଥାନାକୁ ଉଠାଇ ଆଣିଥିଲେ। ତେବେ ରିଙ୍କୁର ମା ଲକ୍ଷ୍ମୀ ଜେନା ଥାନାକୁ ଆସି ପୁଅ ରିଙ୍କୁ ଚୋର ନୁହେଁ ବୋଲି ପୋଲିସକୁ କହିଥିଲେ। ତେବେ ସେ ଉକ୍ତ ଘଟଣାରେ ସମ୍ପୃକ୍ତ ନାହାଁନ୍ତି ବୋଲି କହିଥିଲେ ସୁଦ୍ଧା ପୁଲିସ ତାଙ୍କୁ ଗିରଫ କରିଛି ବୋଲି ପରିବାର ଲୋକେ କହିଛନ୍ତି। ସେ ନିଶାଶକ୍ତ ଅବସ୍ଥାରେ ପଡିରହିଥିବା ବେଳେ ପୋଲିସ ତାକୁ ଚୋର ଭାବି ଉଠାଇ ଆଣିଛି ବୋଲି ପୋଲିସକୁ କହିବା ସହ ଥାନା ରିଙ୍କୁକୁ ଛାଡିଦେବା ପାଇଁ ଅନୁରୋଧ କରିଥିଲେ।

ତେବେ ମା କାହିଁକି ପୋଲିସକୁ ଗୁହାରୀ କରୁଛନ୍ତି ବୋଲି ଭାବି ଥାନା ମଧ୍ୟରେ ରହିଥିବା କୌଣସି ଧାରୁଆ ଜିନିଷରେ ରିଙ୍କୁ ନିଜ ଗଳାକାଟି ପକାଇଥିଲା। ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖି ପୋଲିସ ସଙ୍ଗେ ସଙ୍ଗେ ରିଙ୍କୁ ଜେନାକୁ ଉଦ୍ଧାର କରି ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲରେ ଭର୍ତ୍ତି କରିଥିଲେ। ତେବେ ଖବର ପାଇ ପରିବାର ଲୋକ ହସ୍ପିଟାଲ ପରିସରରେ ପହଞ୍ଚିବା ସହ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିବାର ଲୋକେ ପୋଲିସକୁ ଦୋଷ ଦେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.