ଉଦଘାଟିତ ହେଲା ‘ଉତ୍କର୍ଷ ଓଡ଼ିଶା’, ନିବେଶକଙ୍କ ପାଖରେ ଗ୍ୟାରେଣ୍ଟର ସାଜିଲେ ମୋଦି

0

ଓଡ଼ିଆ ନ୍ୟୁଜ୍: ଉଦଘାଟିତ ହେଲା ମେକ୍ ଇନ୍ ଓଡ଼ିଶାର ଚତୁର୍ଥ ସଂସ୍କରଣ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାକୁ ଉଦଘାଟନ କରିଛନ୍ତି। ଓଡ଼ିଶାକୁ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇବା ସହ ନିବେଶକଙ୍କ ପାଖରେ ବି ଗ୍ୟାରେଣ୍ଟର ସାଜିଛନ୍ତି। ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶା ଏଭଳି ଏକ ଉଦାହରଣ ସାଜିବ ଯାହା କେହି କଳ୍ପନା କରିନଥିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିବା ସହ ଓଡ଼ିଶା ନୂଆ ଆକାଂକ୍ଷା, ସୁଯୋଗ ଓ ଆଶାବାଦର ଭୂମି ଯେଉଁଠି ସମସ୍ତ ନିବେଶକ ଓ ଉଦ୍ୟୋଗପତି ସଫଳତାର ଶିଖର ପର୍ଯ୍ୟନ୍ତ ପହଂଚିବେ ବୋଲି ଆଶ୍ୱସ୍ତ କରାଇଛନ୍ତି।

ଏହାସହିତ ଓଡ଼ିଶା ପ୍ରତି ନିଜର ଭଲପାଇବାକୁ ବ୍ୟକ୍ତ କରିବା ସହ ଇଣ୍ଡୋନେସିଆ ରାଷ୍ଟ୍ରପତି ମଧ୍ୟ ତାଙ୍କ ଡିଏନଏରେ ଓଡ଼ିଶା ଥାଇପାରେ ବୋଲି କହିଥିବା ମୋଦି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭକୁ ଉଦଘାଟନ କରି ଏଭଳି ଶାନଦାର ଆୟୋଜନ ପାଇଁ ପ୍ରଶଂସା କରିବା ସହ ପୂର୍ବ ତୁଳନାରେ ଚଳିତଥର ୫-୬ଗୁଣ ଅଧିକ ନିବେଶକ ସାମିଲ ହୋଇଥିବା ତାଙ୍କୁ ସୂଚିତ କରାଯାଇଛି । ପୂର୍ବ ଭାରତକୁ ଦେଶର ବିକାଶର ଅଭିବୃଦ୍ଧି ଇଞ୍ଜିନ ଭାବେ ଅଭିହିତ କରି ମୋଦି କହିଛନ୍ତି ଯେ ଏଥିରେ ଓଡ଼ିଶାର ଏକ ବଡ଼ ଭୂମିକା ରହିଛି। ଇତିହାସ ସାକ୍ଷୀ ଅଛି, ପୂର୍ବ ଏସିଆରେ ହେଉଥିବା ବାଣିଜ୍ୟ କାରବାର ମୁଖ୍ୟ ସ୍ଥଳୀ ଓଡ଼ିଶା ଥିଲା। ଓଡ଼ିଶାର ପୁରୁଣା ବନ୍ଦର ଏକପ୍ରକାର ଭାରତର ଦ୍ୱାର ହେଉଥିଲା। ଏବେବି ଓଡ଼ିଶାରେ ପ୍ରତିବର୍ଷ ବାଲିଯାତ୍ରା ପାଳନ କରାଯାଉଛି। ନିକଟରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଆସିଥିଲେ, ଆଉ କହିଲେ ବୋଧହୁଏ ତାଙ୍କ ଡିଏନଏରେ ଓଡ଼ିଶା ରହିଛି। ଓଡ଼ିଶା ଏଭଳି ଏକ ପୀଢ଼ୀକୁ ପ୍ରତିନିଧିତ୍ୱ କରୁଛି ଯାହା ଓଡ଼ିଶାକୁ ଦକ୍ଷିଣ ପୂର୍ବ ଏସିଆ ସହ ଯୋଡ଼ୁଛି। ଏବେ ଏକବିଂଶ ଶତାବ୍ଦୀରେ ଓଡ଼ିଶା ନିଜର ଗୌରବମୟ ପରମ୍ପରାକୁ ପୁଣିଥରେ ପୁନରୁଦ୍ଧାର କରିବାରେ ଲାଗିଛି। ସିଙ୍ଗାପୁର ରାଷ୍ଟ୍ରପତି ନିକଟରେ ଓଡ଼ିଶା ହୋଇ ଫେରିଛନ୍ତି ଓ ସେ ମଧ୍ୟ ଓଡ଼ିଶା ସହ ସମ୍ପର୍କ ବୃଦ୍ଧି ପାଇଁ ଉତ୍ସାହିତ ଅଛନ୍ତି। ଆସିୟାନା ରାଷ୍ଟ୍ରଗୁଡ଼ିକ ମଧ୍ୟ ଓଡ଼ିଶା ସହ ବ୍ୟବସାୟ ପାଇଁ ଇଚ୍ଛୁକ।

ଏବେ ଓଡ଼ିଶାରେ ସବୁ କ୍ଷେତ୍ରରେ ଏତେ ସମ୍ଭାବନାର ଦ୍ୱାର ଖୋଲିଛି ଯାହାକି ସ୍ୱାଧୀନତା ପରେ କେବେ ହୋଇନଥିଲା। ନିବେଶକମାନଙ୍କୁ ଆହ୍ୱାନ କରି ମୋଦି କହିଥିଲେ ଯେ, ଓଡ଼ିଶାର ଏହି ବିକାଶ ଯାତ୍ରାରେ ପୁଞ୍ଜିନିବେଶ ହିଁ ଆପଣମାନଙ୍କୁ ସଫଳତାର ନୂଆ ଶିଖରରେ ପହଂଚାଇବ। ଏହା ମୋଦି ଗ୍ୟାରେଣ୍ଟି। ମୁଖ୍ୟମନ୍ତ୍ରୀ ବି କହିଛନ୍ତି ନିବେଶ ପାଇଁ ବର୍ତ୍ତମାନର ସମୟ ହିଁ ଠିକ୍ ସମୟ। ଯାହାକୁ ସେ ସମର୍ଥନ କରୁଛନ୍ତି ବୋଲି ମୋଦି କହିଥିଲେ। ପୁଞ୍ଜିନିବେଶ ପାଇଁ ଓଡ଼ିଶା ଏକ ଉପଯୁକ୍ତ ସ୍ଥାନ। ବିପୁଳ ସମ୍ଭାବନା ସବୁ କ୍ଷେତ୍ରରେ ରହିଛି। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରାଜ୍ୟବାସୀ ନେଇଥିବା ସଂକଳ୍ପକୁ ସଫଳ କରିବା ପାଇଁ କେନ୍ଦ୍ର ସରକାର ସବୁ ପ୍ରକାରର ସହଯୋଗ ଯୋଗାଇ ଦେବେ। ପ୍ରଧାନମନ୍ତ୍ରୀ ଭାବେ ପ୍ରାୟ ୩୦ଥର ଓଡ଼ିଶା ଆସିସାରିଲେଣି। ବୋଧହୁଏ ସ୍ୱାଧୀନତା ପରେ ଦେଶର ଯେତେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସମସ୍ତେ ମିଶି ଏତେଥର ଓଡ଼ିଶାକୁ ଆସିନଥିବେ ବୋଲି ମୋଦି କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କନକ୍ଲେଭରେ ନିବେଶକଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଯଦି ନିବେଶକମାନେ ଅଧା ପାଦ ଚାଲିବେ, ତାଙ୍କ ସରକାର ୩ପାଦ ଚାଲିବାକୁ ପ୍ରସ୍ତୁତ ଅଛି। ନିବେଶକଙ୍କ ସୁବିଧା ପାଇଁ ସରକାର ସବୁପ୍ରକାରର ସୁବିଧା ଓ ସହଜ ବାତାବରଣ କରିଥିବା ସମ୍ପର୍କରେ ସୂଚନା ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନ ଓ ଦୂରଦୃଷ୍ଟିକୁ ପାଥେୟ କରି ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାର ଶିଳ୍ପ ବିକାଶ କେବଳ ଆମ ରାଜ୍ୟ ପାଇଁ ନୁହେଁ ସମଗ୍ର ଭାରତ ପାଇଁ ପ୍ରଗତି ଓ ବିକାଶର ଏକ ମଡେଲ ଭାବେ କାର୍ଯ୍ୟ କରିବ।

ଆସନ୍ତୁ ଓଡ଼ିଶାରେ ନିବେଶ କରନ୍ତୁ ଓ ଏହା ହିଁ ଠିକ୍ ସମୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଆଜିର ଉଦଘାଟନୀ ସମାରୋହ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୧୦୦ରୁ ଅଧିକ କମ୍ପାନୀର ସିଇଓମାନଙ୍କ ସହ ସ୍ୱତନ୍ତ୍ର ଭାବେ ବୈଠକ କରିଥିଲେ । ତାଙ୍କ ସରକାର କିଭଳି ନିବେଶକଙ୍କ ପାଇଁ ଉପଯୁକ୍ତ ଇକୋସିଷ୍ଟମ ପ୍ରସ୍ତୁତ କରିଛନ୍ତି ତାହା ଅବଗତ କରାଇଥିଲେ। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୫ଲକ୍ଷ କୋଟି ଟଙ୍କାର ନିବେଶ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ। କିନ୍ତୁ ଆଜିର ଯାହା ପରିବେଶ ରହିଛି ଏହି ନିବେଶ ପରିମାଣ ୩ଗୁଣ ଅଧିକ ହେବ ବୋଲି ଆଶା କରୁଛୁ। ସେହିପରି ରାଜ୍ୟ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ପ୍ରଥମ ଦିନରେ ୫୪ଟି କମ୍ପାନୀ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହି ସଂଖ୍ୟା ଆଉ ୨-୩ଘଣ୍ଟା ମଧ୍ୟରେ ୮୦କୁ ଛୁଇଁବ। ମୋଟ ୪ରୁ ସାଢ଼େ ୪ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଲାଣି । କେବଳ ଆଦାନୀ ଗ୍ରୁପଠାରୁ ୨.୨୮ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ସେମାନେ ଓଡ଼ିଶାରେ ସିମେଂଟ,ଆଲୁମିନା, ସ୍ମେଲଟର, ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ପାର୍କରେ ଏହି ଅର୍ଥ ନିବେଶ କରିବେ ବୋଲି ସେ କହିଛନ୍ତି।

ବିର୍ଲା ଗ୍ରୁପ୍ ରାଜ୍ୟରେ କପର ଫଏଲ ପ୍ଲାଂଟ ସ୍ଥାପନ ପାଇଁ ଏମଓୟୁ କରିଛି। ରି ଜେଏସଡବ୍ଲ୍ୟୁ ଗ୍ରୁପ୍ ପୋସ୍କୋ ସହ ମିଶି କେନ୍ଦୁଝରରେ ୩୫ହଜାର କୋଟି ଟଙ୍କା ବ୍ୟୟରେ ଇସ୍ପାତ କାରଖାନା କରିବା ପାଇଁ ଚୁକ୍ତିବଦ୍ଧ ହୋଇଛି। ଜେଏସଡ୍ଲ୍ୟୁ ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୧ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ଲକ୍ଷ୍ୟ ରଖିଛି । ଇଣ୍ଡିଆନ ଅଏଲ କର୍ପୋରେସନ ଆଉ ୭୦ହଜାର କୋଟି ଟଙ୍କା ପାରାଦୀପ ଓ ଭଦ୍ରକରେ ପେଟ୍ରୋ କେମିକାଲ କ୍ଷେତ୍ରରେ ନିବେଶ କରିବ । ବେଦାନ୍ତ ମଧ୍ୟ ଏକ ଲକ୍ଷ କୋଟି ଟଙ୍କାରେ ରାୟଗଡ଼ାରେ ନିଜର ଏକ ବୃହତ୍ କାରଖାନା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛି । ସେହିପରି ଗୋପାଳପୁରଠାରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆବାଡ଼ା ଗ୍ରୁପ୍ ୨୦ହଜାର କୋଟି ଟଙ୍କା ନିବେଶ କରିବାର ପ୍ରତିଶ୍ରୁତି ଦେଇଛି । ବିର୍ଲା ଗ୍ରୁପ୍ ଆଗାମୀ ଦିନରେ ଓଡ଼ିଶାରେ ଆଲୁମିନା ଓ ସ୍ମେଲଟର କ୍ଷେତ୍ରରେ ୫୦ହଜାର କୋଟି ଟଙ୍କା ନିବେଶ କରିବ ବୋଲି କହିଛି ।

Leave A Reply

Your email address will not be published.