ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆମର ଦରକାର ଚଢେଇପାହାଡି ଗ୍ରାମ ପଞ୍ଚାୟତର ବିକାଶ, ପ୍ରତିଶୃତି ନୁହେଁ | ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ବାମନଘାଟୀ ଉପଖଣ୍ଡର ବିଜାତଳା ବ୍ଲକର ଚଢେଇପାହାଡି ଅଞ୍ଚଳର ୨୫ଟି ଗ୍ରାମର ଜନସାଧାରଣ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ୧୯୮୮ ମସିହାରୁ ସମାଜସେବୀ ତଥା ଶ୍ରମିକ ନେତା ନିଗମାନନ୍ଦ ପଟ୍ଟନାୟକଙ୍କ ନେତୃତ୍ବରେ ବିଭିନ୍ନ ସମୟରେ ନିଜ ଅଞ୍ଚଳର ବିକାଶ ନିମନ୍ତେ ବାରମ୍ବାର ଦାବୀ କରି ଆସୁଥିଲେ ମଧ୍ୟ ତାହା ପ୍ରତିଶୃତିରେ ରହିଯାଇଛି | ସେଥିପାଇଁ ଏହାପୂର୍ବରୁ ୩ଟି ବଡ ବଡ ରାସ୍ତା ଚଢେଇପାହାଡି – ଗୋରୁମହିଷାଣୀ, ଚଢେଇପାହାଡି ରୁ ସାରସକଣା, ରେଙ୍ଗାଲବେଡାରୁ ମୂଷାବଣୀ ରାସ୍ତା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଶ୍ରମଦାନରେ ମାଟି ରାସ୍ତା କାମ କରାଯାଇଥିଲା |
ଚଢେଇପାହାଡି ଗ୍ରାମ ପଞ୍ଚାୟତ ଓ ରାଇରଙ୍ଗପୁର ବ୍ଲକ ର କୁଲେଇଶିଳା ଗ୍ରାମ ପଞ୍ଚାୟତର ୪୮୫ଟି ଗ୍ରାମକୁ ନେଇ ୨୫ ଗ୍ରାମର ଲୋକେ ଆସି ବାମନଘାଟୀ ଉପ-ଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ | ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଚଢେଇପାହାଡି ଗ୍ରାମ ପଞ୍ଚାୟତ ସବୁଥିରୁ ବଞ୍ଚିତ ହେଉଛି | ମାଓବାଦୀ ର ଦ୍ବାହୀ ଦେଇ ଅଫିସର ମାନେ ଏ ଅଞ୍ଚଳ ନ ଆସି ବିଭିନ୍ନ ସମୟରେ ମିଥ୍ୟା ବିଲ କରି ଅର୍ଥ ଆତ୍ମସାତ କରିଥାନ୍ତି | ଏ ଅଞ୍ଚଳର ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ଚାଷ ଉପଯୋଗୀ ଜଳ, ଟେଲିଫୋନ ଟାୱାର ଇତ୍ୟାଦିରୁ ଜନସାଧାରଣ ଉପେକ୍ଷିତ ହେଉଛନ୍ତି | ନିର୍ବାଚନ ଆସିଲେ ସରପଞ୍ଚ ଠାରୁ ଆରମ୍ଭ କରି ବିଧାୟକ, ସାଂସଦ, ମନ୍ତ୍ରୀମାନଙ୍କର ମିଥ୍ୟା ପ୍ରତିଶୃତି ପାଣିର ଗାର ସଦୃଶ୍ୟ | ମାର୍ଚ୍ଚ ୨୦୨୩ ରେ ତତ୍କାଳୀନ ରାଜେଶ ପ୍ରଭାକର ପାଟିଲ ଚଢେଇପାହାଡି ଠାରେ ଏକ ଜନ ସମ୍ପର୍କ ଶିବିରରେ ଯୋଗ ଦେଇ ଏ ଅଞ୍ଚଳର ବିକାଶ ପ୍ରତିଶୃତିର ବର୍ଷା କରିଥିଲେ | ହେଲେ ତାଙ୍କ ପ୍ରତିଶୃତି ପ୍ରତିଶୃତିରେ ରହିଲା |
ଏହି ଗ୍ରାମ ଗୁଡିକରେ ବିଶେଷ ଭାବେ ହୋ, ମୁଣ୍ଡା, ମାଝୀ, ମୁଣ୍ଡାରି, ଭୂମିଜ, ସାନ୍ତାଳ ଆଦି ଆଦିବାସୀ ବସବାସ କରନ୍ତି | ଏ ଅଞ୍ଚଳର ମୁଖ୍ୟତଃ ୧୫ଟି ଦାବୀ ମଧ୍ୟରୁ ଚଢେଇପାହାଡି – ସାରସକଣା ରାସ୍ତା, ଟେଲିଫୋନ ଟାୱାର ସଂଯୋଗ, ଟାଟା- ଗୋରୁମହିଷାଣୀ ରେଳପଥକୁ ଚଢେଇପାହାଡି ଦେଇ ବାଙ୍ଗିରିପୋଷି ସହ ସଂଯୋଗ, ପଞ୍ଚାୟତରେ ପୋଷ୍ଟ ଅଫିସ, ପଶୁ ଡାକ୍ତରଖାନା, ପାନୀୟଜଳ ଯୋଗାଣ, ଗ୍ରାମାଞ୍ଚଳ ରାସ୍ତାର ଉନ୍ନତି, ଚାଷ ପାଇଁ ଚେକ୍ ଡ୍ୟାମ୍ ର ବ୍ୟବସ୍ଥା, ଭୀମଖନ୍ଦା ବିଜୁ ସେତୁ ନିର୍ମାଣ ବିଳମ୍ବ ହେତୁ କାର୍ଯ୍ୟ ଶିଘ୍ର କରାଯାଉ | ରଙ୍ଗାମାଟିଆ ଓ ଟିଆକାଟି ପ୍ରାଥମିକ ବିଦ୍ୟାଳୟ ପୁନର୍ବାର ଏ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ ନ ହେଲେ ଭୋଟ ବର୍ଜନ କରିବା ଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ ବୋଲି ସଭାପତି ନିଗମାନନ୍ଦ ପଟ୍ଟନାୟକ ଦୃଢ ଭାବେ କହିଛନ୍ତି | ଅନ୍ୟମାନଙ୍କ ମଧ୍ୟରୁ ଏହି ଆନ୍ଦୋଳନରେ ନେତୃତ୍ବ ନେଇଥିଲେ ସରସ୍ବତୀ ଟୁଡୁ, ଗଦାଧର ମୁଣ୍ଡା, ମାଇସା ସୋରେନ,ଲୋଦ ସିଂ, ମାଧବ ଚନ୍ଦ୍ର ମୁଣ୍ଡା, ଜିତେନ୍ଦ୍ର ମାର୍ଣ୍ଡି, ସନାତନ ମୁଣ୍ଡା, ସୁରେନ୍ଦ୍ର ମୁର୍ମୁ, ସାଲହ ମୁଣ୍ଡା, ରାମଚନ୍ଦ୍ର ସୋରେନ, ଚୁନୁରାମ ଲୋହାର, ରୁହା ସିଂ ମୁଣ୍ଡା, ହରେକୃଷ୍ଣ ହାଁସଦାଃ, ସୁନାରାମ କିସ୍କୁ, ସାନିୟା ହାଁସଦାଃ ଓ ହିନ୍ଦୁ ମୁଣ୍ଡା ପ୍ରମୁଖ |