ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଳପୂର୍ବକ ଲୋକଙ୍କୁ ଅଟକାଉଥିଲେ; ଧମକାଇ ଲୁଟୁଥିଲେ । ଶେଷରେ ଗିରଫ ହୋଇଛନ୍ତି ୭ ନକଲି ପୁଲିସ । ଏଆରଫିଲଡ଼ ଥାନା ପୁଲିସ ହାତରେ ହାଇୱେ ଲୁଟେରା ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ ଧରିଛି । ଗିରଫ ହୋଇଥିବା ଲୁଟେରାମାନେ ନକଲି ପୁଲିସ ସାଜି ଲୋକଙ୍କୁ ଡରାଇ, ଧମକାଇ, ମାଡ଼ ମାରି ଟଙ୍କା ଲୁଟ କରୁଥିଲେ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି । ଶ୍ରୀ ସିଂହ କହିଛନ୍ତି ଯେ, କୋରାପୁଟର ଜଣେ ତେଲ ଟ୍ୟାଙ୍କର ମାଲିକଙ୍କ ଟ୍ରକ ତେଲ ପାଇଁ ପାରାଦୀପ ଯାଉଥିବା ସମୟରେ ଜଟଣୀ ନିକଟରେ ଏହି ଲୁଟେରାମାନେ ଗାଡ଼ିରେ ନକଲି ନାଲିବତୀ ଲଗାଇ ହାତରେ ନକଲି ବନ୍ଧୁକ ଧରି ଅଟକାଇ ଥିଲେ । ଡ୍ରାଇଭର ଓ ହେଲ୍ପରକୁ ମାଡ଼ ମାରିଥିଲେ । ଟ୍ୟାଙ୍କର, ଡ୍ରାଇଭର, ହେଲ୍ପରଙ୍କୁ ଅପହରଣ କରି ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲେ।
ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଛି କହି ୪ ଲକ୍ଷ ଟଙ୍କା ବଟି ମାଗିଥିଲେ । ଟଙ୍କା ନଦେଲେ ଗାଡି ସିଜ କରିବା ସହ ଗିରଫ କରିବାର ଧମକ ଦେଇଥିଲେ । ଭୟଭୀତ ହୋଇ ଗାଡି ମାଲିକ ୪ଲକ୍ଷ ଟଙ୍କା ଡ୍ରାଇଭର ଓ ହେଲ୍ପରଙ୍କ ଆକାଉଣ୍ଟରେ ଡିପୋଜିଟ୍ କରିଥିଲେ। ହେଲେ ବିଳମ୍ବିତ ରାତି ଯାଏଁ ଏହି ଲୁଟେରା ଡ୍ରାଇଭର ଓ ହେଲ୍ପରକୁ ଛାଡି ନଥିଲେ। କୌଶଳ କ୍ରମେ ବିଳମ୍ବିତ ରାତିରେ ଡ୍ରାଇଭର ତାଙ୍କ କବଳରୁ ଫେରାର ହୋଇ ଅନ୍ୟ ଜଣେ ଲୋକଙ୍କ ସହାୟତାରେ ଏଆରଫିଲଡ଼ ଥାନା ଯାଏଁ ଆସିଥିଲେ। ଏହି ଘଟଣାର ତଦନ୍ତ କରି ଏଆରଫିଲଡ଼ ଥାନା ପୁଲିସ ଏହି ୭ ଲୁଟେରାଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ଏକ ନକଲି ବନ୍ଧୁକ, ନକଲି ନାଲିବତୀ, ଦୁଇଟି କାର, ୭ଟି ମୋବାଇଲ, ୧୦ ହଜାର୍ ଟଙ୍କା ଜବତ କରିଛି । ୪ ଲକ୍ଷ ଟଙ୍କା ଯାଇଥିବା ଦୁଇଟି ଆକାଉଣ୍ଟକୁ ଫ୍ରିଜ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀ ସିଂ ।