ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ବିଦ୍ଧିବଦ୍ଧ ବିଜେଡିରେ ଯୋଗଦେଇପାରନ୍ତି ସୁଜାତା କାର୍ତ୍ତିକେୟନ। ଓଡ଼ିଶା ରାଜନୀତିର କେନ୍ଦ୍ର କୁହାଯାଉଥିବା ‘ନବୀନ ନିବାସ’ରେ ଆସନ୍ତାକାଲି ଏକ ବଡ଼ଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିପାରେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ଶୀର୍ଷ ତଥା ବରିଷ୍ଠ ନେତାମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବିଗତ କିଛି ଦିନ ହେବ ଦଳ ମଧ୍ୟରେ ସାଂଗଠନିକ ପରିବର୍ତ୍ତନ ଏବଂ ପ୍ରାକ୍ତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କ ବିଜେଡିରେ ସମ୍ଭାବ୍ୟ ଏଣ୍ଟ୍ରିକୁ ନେଇ ରାଜନୀତିକ ଚର୍ଚ୍ଚା ସରଗରମ ଥିବା ବେଳେ, ଆଜିର ଏହି ହାଇ-ଭୋଲଟେଜ୍ ବୈଠକ ଦଳୀୟ ରଣନୀତିକୁ ନେଇ ଅନେକ ନୂଆ ସଂକେତ ଦେଇଛି।
ସୂଚନା ଅନୁଯାୟୀ, ଏହି ବୈଠକରେ ରାଜ୍ୟ ରାଜନୀତିର ଏବଂ ଦଳର ଅନେକ ପ୍ରଭାବଶାଳୀ ଚେହେରା ସାମିଲ ହେବେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ନେତା ପ୍ରତାପ ଜେନା ଏବଂ ଅତନୁ ସବ୍ୟସାଚୀ ନାୟକଙ୍କ ପରି ହେଭିୱେଟ୍ ତଥା ସମସ୍ତ ବିଧାୟକ, ସାଂସଦ ଏହି ବୈଠକରେ ଉପସ୍ଥିତ ରହିବେ। ରାଜନୈତିକ ସମୀକ୍ଷକଙ୍କ ମତରେ, ବିଜେଡି ଏବେ ନିଜର ସଂଗଠନକୁ ନୂଆ ରୂପ ଦେବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରୁଛି। ନିକଟରେ କେତେକ ବରିଷ୍ଠ ନେତାଙ୍କ ଦଳ ଛାଡ଼ିବା ପରେ, ବିଜେଡି ସୁପ୍ରିମୋଙ୍କ ପରେ ଦଳକୁ ସମ୍ଭାଳିବା ଏବଂ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଦକ୍ଷ ଚେହେରାର ସନ୍ଧାନ ଚାଲିଛି। ଏହି ଦୌଡ଼ରେ ପୂର୍ବତନ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ନାମ ସବୁଠାରୁ ଆଗରେ ରହିଛି। ଆସନ୍ତାକାଲିର ବୈଠକରେ ସୁଜାତାଙ୍କୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆସିପାରେ।