ଘୋଷଯାତ୍ରାକୁ ଏମିତି କହେ ପୁରାଣ, ଜାଣନ୍ତୁ…

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶ୍ରୀକ୍ଷେତ୍ର ଧାମରେ ପାଳିତ ହେଉଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ତଥା ପାଳନ ବିଧିର ବିସ୍ତୃତ ବର୍ଣ୍ଣନା ବିଭିନ୍ନ ପୁରାଣ ଓ ଉପପୁରାଣମାନଙ୍କରେ ଉଲ୍ଲେଖ ହୋଇଛି। ବିଶେଷ ଭାବେ ବ୍ରହ୍ମ ପୁରାଣ , ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମ ପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା, ଶାରଦା ପୁରାଣ ପ୍ରଭୃତି ଉଲ୍ଲେଖଯୋଗ୍ୟ। ଶ୍ରୀମନ୍ଦିରରେ ପାଳିତ ମୁଖ୍ୟ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ । ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ସମ୍ବନ୍ଧରେ ଯେଉଁ ଶ୍ଳୋକଟି ସର୍ବ ମୁଖ ନିଃସୃତ, ତାହା ହେଉଛି – ମହାପ୍ରଭୁମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ ବୋଲି ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ୱର ଏକ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ତେଣୁ ପୁରାଣମାନଙ୍କରେ କୁହାଯାଇଛି – ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ଲାଭ ହୁଏ।

ସ୍କନ୍ଧ ପୁରାଣ

ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣି ରହିଛି। ନିମ୍ନରେ ସେହି ବିବରଣୀର ସାରମର୍ମ ଉଲ୍ଲେଖ କରାଯାଇଛି – ବୈଶାଖ ଶୁକ୍ଳ ତୃତୀୟା ରୋହିଣୀ ନକ୍ଷତ୍ର ଦିନ ରାଜା ସଂକଳ୍ପ କରିବେ। ଆଚାର୍ଯ୍ୟ ବରଣ କରିବେ । କାର୍ଯ୍ୟଦକ୍ଷ ଅବିଦିତ ଜଣେ ବା ତିନିଜଣ ସୂତ୍ରଧରଙ୍କୁ ବନକୁ ଯିବାପାଇଁ ବସନ, ଭୂଷଣ ଦେଇ ବରଣ କରିବେ। ଯେଉଁ ବନରେ ଅତ୍ୟୁତ୍ତମ ତରୁ ବିଦ୍ୟାମାନ ସେଠାକୁ ଯାଇ ରାଜା ମନ୍ତ୍ର ଉଚ୍ଚାରଣ କରି ଅଗ୍ନି ସ୍ଥାପନ କରିବେ। ଆଜ୍ୟଧାରଯୁକ୍ତ ଅଷ୍ଟୋତ୍ତର ଶତ ଆହୁତି ଦେବେ। ପ୍ରତି ବୃକ୍ଷ ମୂଳରେ ଆଜ୍ୟଧାରା ଦେବେ। ଦିଗପାଳମାନଙ୍କୁ ଯଥାବିଧି ବଳି ଦେବେ। କ୍ଷେତ୍ରପାଳମାନଙ୍କୁ ପଶୁବଳି ଦେବେ। ବୃକ୍ଷର ପ୍ରୀତି ପାଇଁ ଶ୍ହେ ଦୁଗ୍ଧାନ୍ନ ଆହୁତି ଦେବେ । ଆଚାର୍ଯ୍ୟ ପତଗଧ୍ୱଜ ଭଗବାନଙ୍କୁ ଧ୍ୟାନକରି କୁଠାରଧରି ମନ୍ତ୍ର ଉଚ୍ଚାରଣ କରି ବୃକ୍ଷର ମୂଳକୁ ଅଳ୍ପ ଅଳ୍ପ କରି କାଟିବେ। ସେଠାରେ ମଙ୍ଗଳଧ୍ୱନି କରାଇବେ । ସୂତ୍ରଧରଙ୍କୁ ଗଛକାଟି କାର୍ଯ୍ୟରେ ନିଯୁକ୍ତ କରି ଆଚାର୍ଯ୍ୟ ସ୍ୱଗୃହକୁ ଫେରିବେ । ଯଦି ରଥ ନିର୍ମାଣ ଉପଯୁକ୍ତ ସ୍ୱଗୃହ ନିକଟରେ ମିଳିବ ତାହା ହେଲେ ବିଧାନ ଅନୁସାରେ କାଷ୍ଠ ସଂସ୍କାର କରିବେ । ସ୍କନ୍ଧ ପୁରାଣ ଅନୁସାରେ – ଜଗନ୍ନାଥଙ୍କ ରଥ ଚକ ସଂଖ୍ୟା ୧୬ (ଷୋହଳ), ବେଦୀ ଉପରୁ ରଥର ଉଚ୍ଚତା ୨୩ (ତେଇଶି) ହାତ, ଚାରୋଟି ତୋରଣ ହେବ । ଗରୁଡଧ୍ୱଜ ରକ୍ତ ଚନ୍ଦନ କାଠରେ ହେବ। ବଳଦେବଙ୍କ ରଥର ୧୪ (ଚଉଦ)ଟି ଚକ, ବେଦୀ ଉପରୁ ରଥର ଉଚ୍ଚତା ୨୨ (ବାଇଶ) ହାତ। ସୁଭଦ୍ରା ଦେବୀଙ୍କ ରଥର ଚକ ସଂଖ୍ୟା ୧୨(ବାର), ବେଦୀ ଉପରୁ ଉଚ୍ଚତା ୨୧ (ଏକୋଇଶ) ହାତ। ଏହି ରଥଯାତ୍ରାକୁ ନବଦିନାତ୍ମକ ଯାତ୍ରା କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ୱିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ରା। ଠାକୁରମାନେ ଗୁଣ୍ଡିଚା ମଣ୍ଡପ ଉପରେ ଥିବା ସମୟରେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ। ଶୁକ୍ଳ ଦ୍ୱିତୀୟା ଦିନ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନକରି ନୃସିଂହଙ୍କଠାରେ ସଂକଳ୍ପ ବ୍ରତ ଆରମ୍ଭ କଲେ ମହାପୂଣ୍ୟ ହୋଇଥାଏ। ଏହାକୁ ମହାବେଦୀ ମହୋତ୍ସବ ବ୍ରତ କୁହାଯାଏ। ଅଷ୍ଟମ ଦିବସରେ ବ୍ରତ ଶେଷ ହୁଏ। ମହାବେଦୀରେ ଶ୍ରୀଜଗନ୍ନାଥଙ୍କ ଅବସ୍ଥିତିକୁ ମହାବେଦୀ ଯୋଗ କୁହାଯାଏ । ଏହା ଅତି ପବିତ୍ର ସମୟ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି, ମଘା ନକ୍ଷତ୍ର, ଜଗନ୍ନାଥଙ୍କ ମହା ସମାଗମ ଏ ତିନି ମହାବେଦୀ ଯୋଗର ତ୍ରିପାଦ ସ୍ୱରୂପ। ଏହା ସହିତ ଇନ୍ଦ୍ରଦ୍ୟୁମ୍ନ ସରୋବର ମିଳିତ ହେଲେ ଚତୁସ୍ପାଦ ଯୋଗ ହୁଏ। ଏହା ପୂର୍ଣ୍ଣଯୋଗ ଏବଂ ପିତୃମାନଙ୍କର ମୁକ୍ତିପଦ।

ଚୈତନ୍ୟ ଚରିତାମୃତ

ଚୈତନ୍ୟ ଚରିତାମୃତ ଗ୍ରନ୍ଥର ରଚୟିତା କବିରାଜ କୃଷ୍ଣ ଦାସ ଉକ୍ତ ଗ୍ରନ୍ଥରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାର ଯେଉଁ ବିବରଣ ପ୍ରଦାନ କରିଛନ୍ତି, ତାହା ଦୀର୍ଘ ପାଞ୍ଚ ଶହ ବର୍ଷ ପୂର୍ବର ଅଟେ। ସେ ଚୈତନ୍ୟଙ୍କ ଶିଷ୍ୟ ରଘୁନାଥ ଦାସ ଗୋସ୍ୱାମୀଙ୍କ ଶିଷ୍ୟ ଥିଲେ । ଚୈତନ୍ୟ ଚରିତାମୃତ ଗ୍ରନ୍ଥରୁ ଜଣାଯାଏ, ଶ୍ରୀଚୈତନ୍ୟ ତାଙ୍କ ପାର୍ଷଦମାନଙ୍କ ସହିତ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ମାର୍ଜନା କରୁଥିଲେ। ସେମାନେ ଛୋଟ ବଡ଼ ମନ୍ଦିର ମାର୍ଜନା ଓ ଶୋଧନ ତଥା ଶେଷରେ ଜଗମୋହନ ପରିଷ୍କାର କରୁଥିଲେ । ପୁନଶ୍ଚ ଉକ୍ତ ଗ୍ରନ୍ଥରେ ହୋଇଥିବା ବର୍ଣ୍ଣନା ଅନୁଯାୟୀ , ସେ ସମୟରେ ରଥର ସାଜସଜ୍ଜା ଉତ୍ତମମାନର ଥିଲା। ଏହା ଦର୍ଶନ କରି ସମସ୍ତେ ବିସ୍ମୟ ପ୍ରକାଶ କରୁଥିଲେ। ରଥ ସଦ୍ୟ ସୁବର୍ଣ୍ଣ ଛାଉଣୀ ହେବା ଭଳି ପ୍ରତୀୟମାନ ହେଉଥିଲା ଓ ଏହା ସୁମେରୁ ପର୍ବତ ସଦୃଶ ଅତି ଉଚ୍ଚ ଥିଲା। ରଥଗୁଡିକ ଉଜ୍ଜ୍ୱଳ ଦର୍ପଣ ଓ ଶହ ଶହ ଚାମରଦ୍ୱାରା ସଜ୍ଜିତ ହେଉଥିଲା। ରଥ ଉପରେ ସୁନ୍ଦର ଚାନ୍ଦୁଆ ଟଣା ହେଉଥିଲା ଏବଂ ଅଗ୍ର ଭାଗରେ ଅତି ସୁନ୍ଦର ପତକା ଶୋଭା ପାଉଥିଲା। ରଥଗୁଡିକ ମଧ୍ୟ ପାଟବସ୍ତ୍ର ଏବଂ ନାନା ପ୍ରକାର ଚିତ୍ରଦ୍ୱାରା ସୁଜ୍ଜିତ ହେଉଥିଲା। ଘଣ୍ଟା, ଘଣ୍ଟି, କିଙ୍କିଣୀ ପ୍ରଭୃତି ବିବିଧ ବାଦ୍ୟ ମଧ୍ୟ ବାଜୁଥିଲା। ସେତେବେଳେ ଠାକୁରମାନଙ୍କ ପହଣ୍ଡି ଦଇତାମାନଙ୍କଦ୍ୱାରା ହେଉଥିଲା। ଶ୍ରୀଜଗନ୍ନାଥଙ୍କ ବାହକ ଦଇତାମାନେ ମତ୍ତହସ୍ତୀ ତୁଲ୍ୟ ଶକ୍ତିଶାଳୀ ଥିଲେ ।

ପହଣ୍ଡି ସମୟରେ ପହଣ୍ଡି ସ୍ଥାନଠାରୁ ରଥ ପର୍ଯ୍ୟନ୍ତ ତୁଳା ନିର୍ମିତ ଉଚ୍ଚାଗଦି ବା ତୁଳୀ ବିଛାଇ ଦିଆଯାଉଥିଲା ଏବଂ ଦଇତାମାନେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଗଦିରୁ ଅନ୍ୟ ଏକ ଗଦିକୁ ବହନ କରି ନେଇଯାଉଥିଲେ, ଏହି ସମୟରେ କେତେକ ତୁଳା ଖଣ୍ଡ ଖଣ୍ଡ ହୋଇ ଛିଡି଼ ଯାଉଥିଲା ଏବଂ ତୁଳା ସବୁ ଆକାଶରେ ଉଡୁଥିଲା ଓ ଗଦି ଫାଟିବା ସମୟରେ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହେଉଥିଲା। ବର୍ତ୍ତମାନ ଗଜପତି ମହାରାଜ ରଥ ଉପରେ ଛେରାପହଁରା କଲା ପରି ସେତେବେଳେ ହେଉନଥିଲା। ରାଜା ରଥ ତଳେ ପଥରେ ଛେରା ପହଁରା କରୁଥିଲେ । ପ୍ରତାପରୁଦ୍ର ଦେବ ନିଜେ ସୁନା ଛାଉଣୀଦ୍ୱାରା ପଥ ପରିଷ୍କାର କରୁଥିଲେ, ରାଜା ପଥ ମଧ୍ୟରେ ସୁଗନ୍ଧି ଚନ୍ଦନ ଜଳ ସିଞ୍ଚନ କରୁଥିଲେ । ସେ ସମୟରେ ରଥଟଣାରେ ଗୌଡ଼ ନାମକ ସମ୍ପ୍ରଦାୟ ନିଯୁକ୍ତ ହେଉଥିଲେ । ତାଙ୍କ ସହିତ ହସ୍ତୀମାନଙ୍କୁ ମଧ୍ୟ ରଥଟଣା କାର୍ଯ୍ୟରେ ଲଗାଯାଉଥିଲା । ଶ୍ରୀଚୈତନ୍ୟ ସେତେବେଳେ ରଥ ଆଗରେ ଭାବ ବିହ୍ୱଳିତ ନୃତ୍ୟ ଓ ସଂକୀର୍ତ୍ତନ କରୁଥିଲେ । ଶ୍ରୀଚୈତନ୍ୟ ଏକ ସଙ୍ଗେ ସାତଟି ଦଳରେ ନୃତ୍ୟ କରୁଥିଲେ । ତତ୍କାଳୀନ ସମୟରେ ବଳଗଣ୍ଡିଠାରେ ରଥ ଦୀର୍ଘ ସମୟ ରହିବାର ପ୍ରଥା ଥିଲା । ସେହି ସ୍ଥାନରେ ଜଗନ୍ନାଥଙ୍କ ନିକଟରେ ବିପୁଳ ପରିମାଣର ଭୋଗ ଲାଗିବାର ନିୟମ ବା ଚଳଣି ମଧ୍ୟ ଥିଲା ।

Leave A Reply

Your email address will not be published.