ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦୁର୍ଗାପୂଜାରେ ସବୁଠି ମାହାମାୟା, ଦୁର୍ଗତିନାଶୀନି ମା’ ଦୁର୍ଗାଙ୍କୁ ପୂଜା କରାଯାଏ । ସବୁ ପୂଜା ମଣ୍ଡପରେ ମା’ଙ୍କୁ ପୂଜାର୍ଚ୍ଚନା ମାଧ୍ୟମରେ ଆବାହନ କରାଯାଏ । ସଂସାରର ସବୁ ଦଃଖ, କଷ୍ଟ ହରଣ କରିବା ପାଇଁ ମା’ ଧରାବତରଣ କରିଥାନ୍ତି । ସବୁଠି ବହୁ ଆଡମ୍ବରରେ ମା’ଙ୍କୁ ପୂଜା କରାଯାଏ । ହେଲେ ଦୁର୍ଗାପୂଜାରେ ମହାବୀର ହନୁମାନଙ୍କୁ ପୂଜା କରାଯିବାର ଶୁଣିଛନ୍ତି କି? ଆଜ୍ଞା ହଁ । ଦୁର୍ଗାପୂଜାରେ ମହାବୀର ହନୁମାନଙ୍କୁ ମଧ୍ୟ ପୂଜା କରାଯାଏ । ଅନେ ସ୍ଥାନରେ ଏଭଳି ପରମ୍ପରା ରହିଛି । ଭୁବନେଶ୍ୱର ନୟାପଲ୍ଲୀ ମହାବୀର ପୂଜା କମିଟିରେ ଦୁର୍ଗାପୂଜାରେ ମା’ଙ୍କ ବଦଳରେ ହନୁମାନଙ୍କୁ ବହୁ ଆଡ଼ମ୍ବରରେ ପୂଜା କରାଯାଇଥାଏ । ଏହି ପୂଜାରେ ଅନେକ ମାହାତ୍ମ୍ୟ ରହିଛି ।
ସବୁଠି ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ମା’ ଦୁର୍ଗାଙ୍କ ପୂଜା କରାଯାଉଥିବା ବେଳେ ଏଠାରେ ସପ୍ତମୀ ଠାରୁ ପୂଜା ଆରମ୍ଭ ହୋଇଥାଏ । ଏହି ପୂଜା ପଛରେ ଅନେକ କିମ୍ବଦନ୍ତୀ ମଧ୍ୟ ରହିଛି । ଏହା ରାମାୟଣ ସହ ଜଡ଼ିତ । ପ୍ରଭୁ ରାମଚନ୍ଦ୍ର ରାବଣକୁ ବଦ୍ଧ କରିବା ପାଇଁ ମା’ ଦୁର୍ଗାଙ୍କୁ ପୂଜା କରିଥିଲେ । ଆଉ ସେଥିରେ ହନୁମାନଙ୍କର ବହୁ ଭୂମିକା ଥିଲା । ସେ ପଦ୍ମଫୁଲ ଆଣି ରାମଚନ୍ଦ୍ରଙ୍କୁ ଦେଇଥିଲେ । ଅନ୍ୟପଟେ ହନୁମାନ ହେଉଛନ୍ତି ମହାଦେବଙ୍କ ରୁଦ୍ର ଅବତାର । ତେଣୁ ବିଭିନ୍ନ ସ୍ଥାନରେ ଦୁର୍ଗାପୂଜାରେ ମହାବୀର ହନୁମାନଙ୍କୁ ପୂଜା କରାଯାଇଥାଏ । ମହାବୀର ହନୁମାନ ଏଠାରେ ଦଶବତାର ବେଶରେ ପୂଜା ପାଇଥାନ୍ତି ।
ଭୁବନେଶ୍ୱରରେ ଏହି ପୂଜା କମିଟି ଦୀର୍ଘ ୧୦ ବର୍ଷ ଧରି ମହାବୀର ହନୁମାନଙ୍କୁ ପୂଜା କରି ଆସୁଛନ୍ତି । ବହୁ ଆଡ଼ମ୍ବରରେ ମହାବରାଙ୍କ ଏହି ପୂଜା କରାଯାଇଥାଏ । ବିଭିନ୍ନ ଆଡ଼ୁ ଶ୍ରାଦ୍ଧାଳୁମାନେ ମଧ୍ୟ ଏହି ପୂଜା ଦେଖିବାକୁ ଛୁଟି ଆସିଛନ୍ତି । ଦୀର୍ଘ ୨ ବର୍ଷ ଧରି କରୋନା କଟକଣା ଥିବାରୁ ବିନା ଭକ୍ତରେ ଏହି ପୂଜାର୍ଚ୍ଚନା ଚାଲିଥିଲା । ତେଣୁ ଏବର୍ଷ କୌଣସି କଟକଣା ନଥିବାରୁ ଦୁର୍ଗାପୂଜାରେ ମହାବୀର ହନୁମାନଙ୍କ ଏହି ପୂଜା ବହୁ ଜାକଜମକରେ କରିବାକୁ ପୂଜା କମିଟି ପ୍ରସ୍ତୁତ ହେଉଛି ।